ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଗତକାଲି ରାଜ୍ୟରେ କରୋନା ନମୁନା ପରୀକ୍ଷା ସଂଖ୍ୟା ଲକ୍ଷେ ଅତିକ୍ରମ କରିଛି । ଏଯାବତ୍ ୧୦୦୩୦୨ଟି ନମୁନା ପରୀକ୍ଷା ହୋଇଥିବା ସୂଚନା ରହିଛି।
ଏମାନଙ୍କ ଭିତରୁ ୫ ଜଣଙ୍କୁ ଛାଡ଼ି ଦେଲେ ଅବଶିଷ୍ଟ ୯୭ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଅନ୍ୟ ୫ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତକାଲି ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ୨୦ଜଣ ଆକ୍ରାନ୍ତଙ୍କୁ ଏଥିରେ ସାମିଲ କରାଯାଇଛି।
ଏଣେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଉକ୍ତ ଆକ୍ରାନ୍ତ କଟକ ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ବୃଦ୍ଧ ବୋଲି ଜଣାଯାଇଛି। ଏହାଫଳରେ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୯୬ ଥିବା ବେଳେ ୨୭୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଆଜି ଚିହ୍ନଟମାନଙ୍କ ଭିତରୁ ଯାଜପୁର ଜିଲ୍ଲାରୁ ସର୍ବାଧିକ ୩୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଭଦ୍ରକ ଜିଲ୍ଲାରୁ ୨୧ଜଣ, ଜଗତସିଂହପୁର ଜିଲ୍ଲାରୁ ୨୩ଜଣ, ବାଲେଶ୍ବର ଜିଲ୍ଲାରୁ ୨ଜଣ, ଖୋର୍ଦ୍ଧାରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକ ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ଜଣ, ପୁରୀ ଜିଲ୍ଲାରୁ ୪ଜଣ, ସମ୍ବଲପୁର ଜିଲ୍ଲାରୁ ୨ଜଣ, ଅନୁଗୁଳ ଜିଲ୍ଲାରୁ୨, ନୟାଗଡ଼ ଜିଲ୍ଲାରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଗଞ୍ଜାମ ଜିଲ୍ଲାରୁ କେହି କରୋନା ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି।
