ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍)ର ୬୨ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ରାଜସ୍ଥାନ ରୟାଲ୍ସ ଭେଟିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଟସ୍ ଜିଣି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ରିୟାନ ପରାଗଙ୍କ ନେତୃତ୍ବରେ ରାଜସ୍ଥାନ ବ୍ୟାଟିଂ କରିଥିଲା। ରିୟାନ ପରାଗ ଏବଂ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୯୩ ରନ୍ ସଂଗ୍ରହ କରିଛି। ଦିଲ୍ଲୀକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୯୪ ରନ୍ର ଆବଶ୍ୟକତା ଅଛି। ମିଚେଲ ଷ୍ଟାର୍କ୍ସ ଦିଲ୍ଲୀ ପାଇଁ ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଛନ୍ତି।
ରାଜସ୍ଥାନ ପାଇଁ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଏବଂ ବୈଭବ ସୂର୍ଯ୍ୟବଂଶୀ ଇନିଂସ ଆରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ୍ ପାଇଁ ୧୯ ରନ୍ର ଭାଗିଦାରୀ କରିଥିଲେ। ଜୟସ୍ବାଲ ୯ଟି ବଲ୍ର ସାମ୍ନା କରି ୩ଟି ଚୌକା ବଳରେ ୧୨ ରନ୍ କରିଥିଲେ। ଧ୍ରୁବ ଜୁରେଲଙ୍କ ସହିତ ବୈଭବ ସୂର୍ଯ୍ୟବଂଶୀ ୭୦ ରନ୍ର ଭାଗିଦାରୀ କରିଥିଲେ।
ଦିଲ୍ଲୀର ଦ୍ବିତୀୟ ଶିକାର ହୋଇଥିଲେ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ସେ ଆଉଟ ହେବା ପୂର୍ବରୁ ବ୍ୟକ୍ତିଗତ ଭାବେ ୪୬ ରନ୍ ସଂଗ୍ରହ କରିଥିଲେ। ଏଥି ପାଇଁ ସେ ୨୧ଟି ବଲ୍ ଖେଳିଥିଲେ, ଯେଉଁଥିରେ ୫ଟି ଚୌକା ଏବଂ ୩ଟି ଛକା ସାମିଲ କରିଥିଲେ।
ଅଧିନାୟକ ରିୟାନ ପରାଗଙ୍କ ବ୍ୟକ୍ତିଗତ ସ୍କୋର ୫୧ ରନ୍ ଥିଲା। ସେ ୨୬ଟି ବଲ୍ ଖେଳି ୩ଟି ଚୌକା ଏବଂ ୫ଟି ଛକା ମାରିଥିଲେ। ଧ୍ରୁବ ଜୁରେଲ ୪୦ଟି ବଲ୍ ଖେଳି ୫ଟି ଚୌକା ଏବଂ ୨ଟି ଛକା ବଳରେ ୫୩ ରନ୍ ସଂଗ୍ରହ କରିଥିଲେ। ମଧ୍ୟକ୍ରମର ବ୍ୟାଟର ଦୋନୋଭାନ ଫେରେରିଆ ଖାତା ଖୋଲିପାରି ନଥିଲେ। ଶୁଭମ ଦୁବେ ୯ଟି ବଲ୍ ଖେଳି ୫ ରନ୍ ସଂଗ୍ରହ କରିଥିଲେ।
ଦିଲ୍ଲୀ ପାଇଁ ମିଚେଲ ଷ୍ଟାର୍କ୍ସ ଶ୍ରେଷ୍ଠ ବୋଲିଂ କରିବା ସହିତ ୪ଟି ୱିକେଟ୍ ନେଇଥିଲେ। ଷ୍ଟାର୍କ୍ସଙ୍କ ବ୍ୟତୀତ ଲୁଙ୍ଗି ଏନ୍ଗିଡି ଏବଂ ମାଧବ ତିୱାରି ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।