ବାଲିଗୁଡା,ତା, ୨୭/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଆ ଭାଷା ସାହିତ୍ୟ ପ୍ରତିଷ୍ଠାନ, ଭୁବନେଶ୍ୱର, ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟସ୍ତରୀୟ ଏକଦିବସୀୟ ଓଡ଼ିଆ ଭାଷା ସାହିତ୍ୟ ସମ୍ପାନ କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଏଏମସିଏସ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ପାଠଚକ୍ରର ଶୀର୍ଷକ ଥିଲା “କନ୍ଧମାଳର ଲୋକ ସଂସ୍କୃତି, ପରମ୍ପରା ଓ ଆମ ମାତୃଭାଷା” । ଏଥିରେ ଉଦଘାଟକ ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ପ୍ରସନ୍ନ କୁମାର ସ୍ବାଇଁ ଯୋଗ ଦେଇ କନ୍ଧମାଳର ଲୋକ ସଂସ୍କୃତି ହିଁ କନ୍ଧମାଳକୁ ବିଶ୍ଵଦରବାରରେ ପରିଚୟ ଦେଇଛି ବୋଲି ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଷ୍ଠାନର ସ୍ଵତନ୍ତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ପ୍ରାକ୍ତନ ପ୍ରାଧ୍ୟାପକ ଡ. ରମେଶ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦୀପକ କୁମାର ମହାନ୍ତି, ଶ୍ରୀଭରତପତି ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଡ. ଅଶୋକ କୁମାର ପଣ୍ଡା ଯୋଗ ଦେଇଥିଲେ । ଭିର୍ତ୍ତି ପ୍ରବନ୍ଧ ଉପସ୍ଥାପକ ଭାବେ ଦୀନକୃଷ୍ଣ ମହାପାତ୍ର ବିଷୟ ବସ୍ତୁର ଉପସ୍ଥାପନ କରିଥିବା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ର ଶ୍ରୀମାନ୍ କାହ୍ନୁ ଚରଣ ପାତ୍ର ଏବଂ ଏ. ଏମ୍. ସି. ଏସ୍ ମହାବିଦ୍ୟାଳୟର ସ୍ନାତକ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସୁଲେଖା ଭୋଇ ପ୍ରବନ୍ଧ ପାଠ କରିଥିଲେ । ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ପରିଶୁଦ୍ଧ ଓଡ଼ିଆ ଭାଷା ଲିଖନ, ପ୍ରବନ୍ଧ ଓ ତର୍କ ତିନୋଟି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । କୃତି ପ୍ରତିଯୋଗୀଙ୍କୁ ପ୍ରଥମ ସ୍ଥାନ ଅଧିକାରୀ ଙ୍କୁ ୧୫୦୦, ଦ୍ଵିତୀୟ ସ୍ଥାନ ଅଧିକାରୀଙ୍କୁ ୧୨୦୦ ଏବଂ ତୃତୀୟ ସ୍ଥାନ ଅଧିକାରୀଙ୍କୁ ୧୦୦୦ ଆର୍ଥିକ ରାଶି ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଅଧ୍ୟାପକ ବନମାଳୀ ବେହେରା ଅତିଥିଙ୍କୁ ମଞ୍ଚକୁ ସ୍ବାଗତ କରିଥିବା ବେଳେ ଅଧ୍ୟାପିକା ନିବେଦିତା ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ରିଲୁ ପ୍ରଧାନ, ଭଞ୍ଜକିଶୋର ସାହୁ, ଅଜୟ ଗଣ୍ଡ ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ଅଧ୍ୟାପକ ବିରୂପାକ୍ଷ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।