ବାସ୍ତବ ଦୁନିଆର ଆହ୍ୱାନକୁ ସମ୍ମୁଖୀନ ହୋଇପାରିବ ଭାରତର ଏଆଇ ମିଶନ: ଏସ୍ କ୍ରିଷ୍ଣନ୍, କେନ୍ଦ୍ର ସୂଚନା ପ୍ରଯୁକ୍ତି ସଚିବ
ନୂଆଦିଲ୍ଲୀ(Suvendra Pattanaik) : କୃତ୍ରିମ ବୁଦ୍ଧିମତ୍ତା ବା ଏଆଇକୁ ନେଇ ଭାରତର ଆଭିମୁଖ୍ୟ ଭବିଷ୍ୟତର ଆହ୍ୱାନଗୁଡ଼ିକୁ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ। ଏହାର ଏଆଇ ମିଶନ ଏହିଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହା ବାସ୍ତବ ଦୁନିଆର ଆବଶ୍ୟକତାକୁ ପୂରଣ କରିପାରିବ। ଆଲଗୋରିଦିମରୁ ଆରମ୍ଭ କରି ଫଳାଫଳ ଯାଏ ଏହି ମିଶନ ଭାରତର ସବୁସ୍ତରର ନାଗରିକଙ୍କୁ ସୁଫଳ ଦେବା ଲାଗି ପ୍ରସ୍ତୁତ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟ ସଚିବ ଏସ୍ କ୍ରିଷ୍ଣନ୍। ଆଜି ଭାରତ ଏଆଇ ସମ୍ମିନଳୀ ୨୦୨୬ର ଦ୍ୱିତୀୟ ଦିନରେ ଜନ କୈନ୍ଦ୍ରିକ କୃତ୍ରିମ ବୁଦ୍ଧିମତ୍ତା ଏବଂ ସାର୍ବଭୌମ ବୈଷୟିକ ଦକ୍ଷତାର ଦ୍ୱେତ ଆବଶ୍ୟକତା ସମ୍ପର୍କରେ ମତାମତ ରଖିବାକୁ ଯାଇ ସେ ଏହା କହିଛନ୍ତି।
ଏହି ଅଧିବେଶନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବସ୍ଥା ଯେପରି ସାଧାରଣ ସେବା ପ୍ରଦାନ ଏବଂ ନାଗରିକଙ୍କ କଲ୍ୟାଣରେ ଉନ୍ନତି ଆଣିପାରିବ, ସେଥିପ୍ରତି ଧ୍ୟାନ ଦିଆଯାଇଥିଲା। କମ୍ପ୍ୟୁଟ୍, ମଡେଲ୍ ଏବଂ ଡାଟା କିଭଳି ଶେଷରେ ପ୍ରୟୋଗାତ୍ମକ ଆପ୍ଲିକେସନରେ ପରିଣତ ହେବ, ଯାହା ଉତ୍ପାଦକତା ବୃଦ୍ଧି କରିବ, ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବ ଏବଂ ନାଗରିକମାନଙ୍କୁ ପ୍ରତ୍ୟକ୍ଷ ସୁବିଧା ପ୍ରଦାନ କରିବ, ସେନେଇ ଏହି ଆଲୋଚନା ପର୍ୟ୍ୟବସିତ ଥିଲା।
ଏହି ଅବସରରେ ବିଭାଗୀୟ ସଚିବ ଶ୍ରୀ କୃଷ୍ଣନ କହିଛନ୍ତି ଯେ, ଭାରତ ଏଆଇ ମିଶନ ବିଭିନ୍ନ ଆବଶ୍ୟକତା ଏବଂ ବାସ୍ତବ ଦୁନିଆର ଆହ୍ୱାନଗୁଡ଼ିକୁ ସମାଧାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ହେଉଛି ଏଆଇ ବ୍ୟବହାର କରି ଆମେ ସୃଷ୍ଟି କରିପାରୁଥିବା ପ୍ରଭାବଶାଳୀ ପ୍ରୟୋଗଗୁଡ଼ିକୁ ଖୋଜିବା ପାଇଁ ଏକ ମାଧ୍ୟମ। ସେ କହିଛନ୍ତି ଯେ, “ଆମେ କେବଳ ଗୋଟିଏ କାରଣ ପାଇଁ କମ୍ପ୍ୟୁଟ୍, ମଡେଲ୍ ଏବଂ ଡାଟା ପ୍ରଦାନ କରୁଛୁ, ତାହା ହେଉଛି ବାସ୍ତବ ପ୍ରଭାବ ପକାଉଥିବା ଆପ୍ଲିକେସନ୍ ଗଠନ କରିବା। ଏଣୁ ଏଆଇ ବାବଦରେ ହେଉଥିବା ଚର୍ଚ୍ଚା ସଫଳ ହେଉଛି କି ନା ତହା ଜାଣିବାକୁ ହେଲେ, ଏହା ପ୍ରକୃତରେ ବାସ୍ତବ ଦୁନିଆର ଆହ୍ୱାନକୁ ସମ୍ମୁଖୀନ ହୋଇ ପାରୁଛି କି ନା ତାହା ଜାଣିବା ଦରକାର। ଆପଣ ଯଦି ପ୍ରଦର୍ଶନୀ ବୁଲି ଦେଖିବେ ଜାଣିବେ ଯେ ଅନେକ ଷ୍ଟାର୍ଟଅପ ସ୍ୱାସ୍ଥ୍ୟସେବା, କୃଷି, ଶିକ୍ଷା ଏବଂ ଉତ୍ପାଦନ କ୍ଷେତ୍ରରେ କାର୍ୟ୍ୟ କରୁଛନ୍ତି। ସେଇଠୁ ହିଁ ପ୍ରଭାବ ଆସିବ। ସରକାରଙ୍କ ପାଖରେ କେବେ ବି ପର୍ୟ୍ୟାପ୍ତ ଶିକ୍ଷକ, ଡାକ୍ତର କିମ୍ବା ବିଚାରପତି ରହିବେ ନାହିଁ, କିନ୍ତୁ ଯଦି ଏଆଇ ଉତ୍ପାଦକତା ବଢ଼ାଇପାରେ, ତେବେ ସେବା ଗୁଣବତ୍ତାରେ ବ୍ୟାପକ ସଂସ୍କାର ଆସିପାରିବ। ଚ୍ୟାଲେଞ୍ଜ ହେଉଛି କଣ କାମ କରୁଛି ତାହା ବାଛିବା, ଦାୟିତ୍ୱର ସହ ଏହାର ପରିସର ବଢ଼ାଇବା, ଗୋପନୀୟତା ରକ୍ଷା କରିବା ଏବଂ ସାର୍ବଜନୀନ ଅର୍ଥ ଯେପରି ମାପଯୋଗ୍ୟ ଫଳାଫଳ ସୃଷ୍ଟି କରେ ତାହା ନିଶ୍ଚିତ କରିବା।” ଏକ୍ସପୋରେ ଥିବା ୬୦୦ ରୁ ଅଧିକ ଷ୍ଟାର୍ଟଅପ୍ ଏବଂ କମ୍ପାନୀଗୁଡ଼ିକୁ ପରିଦର୍ଶନ କରିବାକୁ ଏବଂ ଏଆଇ ବ୍ୟବହୃତ ହେଉଥିବା କ୍ଷେତ୍ରଗୁଡ଼ିକୁ ଦେଖିବା ପାଇଁ ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଏହି ଅବସରରେ ଅନୁରୋଧ କରିଥିଲେ।
ଏହି ଅଧିବେଶନରେ ଜେ-ପାଲର ବୈଶ୍ୱିକ କାର୍ୟ୍ୟ ନିର୍ବାହୀ ନିର୍ଦ୍ଦେଶକ ଇକବାଲ ସିଂ ଧାଲିୱାଲ ଏବଂ ଚିକାଗୋ ବିଶ୍ୱବିଦ୍ୟାଳୟର ଅର୍ଥନୀତି ପ୍ରଫେସର ମାଇକେଲ୍ କ୍ରେମରଙ୍କ ସମେତ ଅନ୍ୟାନ୍ୟ ନୀତି ନିର୍ଦ୍ଧାରକ ଏବଂ କ୍ଷେତ୍ର ବିଶେଷଜ୍ଞମାନେ ଯୋଗ ଦେଇଥିଲେ।
ଶ୍ରୀ ଧାଲିୱାଲ କଠୋର ମୂଲ୍ୟାଙ୍କନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, “ଯଦି ଆପଣ ବିକାଶମୂଳକ କାର୍ୟ୍ୟରେ ଯଥେଷ୍ଟ ସମୟ ବିତାଇଛନ୍ତି, ତେବେ ଆପଣ ଅନେକ ‘ସିଲଭର ବୁଲେଟ୍’ (ତତ୍କାଳ ସମାଧାନ) ଆସିବା ଏବଂ ଯିବାର ଦେଖିଥିବେ। ଗୋଟିଏ ପ୍ରଯୁକ୍ତି ବିଦ୍ୟା ତତ୍ତ୍ୱଗତ ଭାବେ କିମ୍ବା ଲ୍ୟାବ୍ ସେଟିଂରେ ଅତ୍ୟନ୍ତ ଆଶାଜନକ ହେଲେ ବି କ୍ଷେତ୍ରସ୍ତରର ବାସ୍ତବତା ସହ ସାମ୍ନା ହେବା ମାତ୍ରେ ଏହା ବିଫଳ ହୋଇପାରେ। ସେଥିପାଇଁ ପ୍ରମାଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମକୁ କେବଳ ଏଆଇ କାମ କରୁଛି କି ନାହିଁ ପଚାରିବା ଉଚିତ୍ ନୁହେଁ, ବରଂ ଏହା କାହା ପାଇଁ କାମ କରୁଛି, କେଉଁ ପରିପ୍ରେକ୍ଷୀରେ ଏବଂ କି ଫଳାଫଳ ସହିତ କାମ କରୁଛି, ତାହା ପଚାରିବା ଆବଶ୍ୟକ। କଠୋର ମୂଲ୍ୟାଙ୍କନ ଓ ଅନୁଶୀଳନ ବିନା, ଆମେ ଉତ୍ସାହକୁ ପ୍ରଭାବ ବୋଲି ଭାବି ଭୁଲ କରିବାର ଆଶଙ୍କା ରହିଛି। ଏଆଇର ଅପାର ସମ୍ଭାବନା ଅଛି, କିନ୍ତୁ କେବଳ ଯଦି ଏହାକୁ କ୍ଷେତ୍ରସ୍ତରରେ ପରୀକ୍ଷା କରାଯାଏ ଏବଂ ଲୋକଙ୍କୁ ତଥା ଫଳାଫଳକୁ କେନ୍ଦ୍ରରେ ରଖି ଦାୟିତ୍ୱର ସହ ଏହାର ସମ୍ପ୍ରସାରଣ କରାଯାଏ।”
ଚିକାଗୋ ବିଶ୍ୱବିଦ୍ୟାଳୟର ଅର୍ଥନୀତି ପ୍ରଫେସର ମାଇକେଲ୍ କ୍ରେମର୍ କହିଛନ୍ତି, “ଆମେ ଟ୍ରାଫିକ ନିୟମ ପାଳନ, ସ୍ୱୟଂଚାଳିତ ଡ୍ରାଇଭର ଲାଇସେନ୍ସ ପରୀକ୍ଷା, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି କ୍ଷେତ୍ରରେ ପ୍ରଭାବର ପ୍ରାରମ୍ଭିକ ପ୍ରମାଣ ଦେଖୁଛୁ। ଏଥିରେ ବ୍ୟକ୍ତିଗତ ଆଡାପ୍ଟିଭ୍ ଲର୍ଣ୍ଣିଂ ଅନ୍ତର୍ଭୁକ୍ତ ଯାହା ସପ୍ତାହକୁ ମାତ୍ର ଏକ ଘଣ୍ଟା ବ୍ୟବହାରରେ ଛାତ୍ରଛାତ୍ରୀଙ୍କ ଶିଖିବା ଗତିକୁ ଦ୍ୱିଗୁଣିତ କରିଛି। କିନ୍ତୁ କେବଳ ପ୍ରଯୁକ୍ତିବିଦ୍ୟା ଯଥେଷ୍ଟ ନୁହେଁ। ସରକାରୀ ସେବାରେ ଉନ୍ନତି ଆଣିବା କୌଣସି ଏକ ବଜାର ନୁହେଁ। ଏଥିରେ ସାମାଜିକ ସଂସ୍ଥା ଏବଂ ସରକାର ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ସରକାରୀ ବ୍ୟବସ୍ଥା ମଧ୍ୟରେ ଏହାର ଗ୍ରହଣୀୟତା କଷ୍ଟକର ଏବଂ କ୍ରୟ ପ୍ରକ୍ରିୟା ଗୁରୁତ୍ୱ ରଖେ। ମୂଲ୍ୟାଙ୍କନ ଗୁରୁତ୍ୱପୂର୍ଣ୍ଣ ଯଦ୍ୱାରା ରାଜ୍ୟଗୁଡ଼ିକ ପରସ୍ପରଠାରୁ ଶିଖିପାରିବେ। ଏଆଇର ପ୍ରଚଣ୍ଡ ସମ୍ଭାବନା ଅଛି, କିନ୍ତୁ ଏହାକୁ ବାସ୍ତବ ରୂପ ଦେବା ପାଇଁ ପ୍ରମାଣ, ବ୍ୟବସ୍ଥା-ସ୍ତରୀୟ ପରିବର୍ତ୍ତନ ଏବଂ ସତର୍କ କାର୍ୟ୍ୟକାରିତା ଆବଶ୍ୟକ।”
ଏହି ଅଧିବେଶନ ସମ୍ମିଳନୀର ବ୍ୟାପକ ଏଜେଣ୍ଡାର ଏକ ପ୍ରମୁଖ ଅଂଶ ଥିଲା, ଯାହା ନୀତି ନିର୍ଦ୍ଧାରକ, ଅନୁସନ୍ଧାନକାରୀ ଏବଂ ଶିଳ୍ପ ନେତାମାନଙ୍କୁ ଏକାଠି କରି ଏଆଇର ଦକ୍ଷତାକୁ ସମ୍ପ୍ରସାରିତ ସାର୍ବଜନୀନ ପ୍ରୟୋଗରେ ପରିଣତ କରିବା ଉପରେ ଆଲୋଚନା କରିଥିଲା। ଏଆଇ ଚାଳିତ ସେବା ପ୍ରଦାନକୁ ଆଗେଇ ନେବାରେ ସୁସଂଗଠିତ କାର୍ୟ୍ୟକାରିତା ଏବଂ ବିଭିନ୍ନ କ୍ଷେତ୍ର ମଧ୍ୟରେ ସହଯୋଗର ଗୁରୁତ୍ୱକୁ ଏହି ଆଲୋଚନାଗୁଡ଼ିକରେ ଆଲୋକପାତ କରାଯାଇଥିଲା।