Odisha news

କନ୍ଧମାଳର ଘଞ୍ଚ ଜଙ୍ଗଲ ରେ ମାଓ ଏନ୍‌କାଉଣ୍ଟର : ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ

0
କନ୍ଧମାଳ, ତା, ୨୫/୧୨ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳରେ ମାଓ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ କୁଖ୍ୟାତ ମାଓବାଦୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଧିନସ୍ଥ ଗୁମ୍ମା ପଞ୍ଚାୟତ ର ପେଡମ୍ ଘଞ୍ଚ ଜଙ୍ଗଲରେ ଘଟିଛି ଏହି ଏନକାଉଣ୍ଟର । ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଛି । ଖବର ଅନୁଯାୟୀ, ପେଡମ୍ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ ସୁରକ୍ଷା କର୍ମୀ ଏବଂ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ଓ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ସାଦା ପୋଷାକରେ ପୋଲିସକୁ ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ ହୋଇଥିବା ଜଣାପଡିଛି ।
ଦୁଇ ମାଓବାଦୀଙ୍କ ନିକଟରୁ ଗୋଟିଏ ରିଭରବଲ୍, ଗୋଟିଏ ୩୦୩ ରାଇଫଲ୍ ଓ ଗୋଟିଏ ୱାକିଟକି ଜବତ କରିଛନ୍ତି ଏସ୍ଓଜି ଯବାନ । ଦୁଇ ନିହତ ମାଓବାଦୀ ହେଲେ ରାୟଗଡ଼ାର ରାକେଶ ଓ ବିଜାପୁରର ଅମ୍ରିତ ବୋଲି ଜଣାପଡିଛି । ଉଭୟଙ୍କ ମୁଣ୍ଡ ପାଇଁ ଥିଲା ୨୩.୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ତେବେ ଏହି ଏନକାଉଣ୍ଟର ପରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
Leave A Reply