Odisha news

ହବିଷ୍ୟାଳି ଶିବିର ଉଦ୍‌ଘାଟିତ

0

ମହାପ୍ରଭୁ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ। ମହାପ୍ରଭୁଙ୍କ ନିକଟରେ ମା’ମାନେ ରହି ବ୍ରତ ପାଳନ କରି ନିଜ ପରିବାରର ମଙ୍ଗଳ କାମନା କରିବେ ସତ, କିନ୍ତୁ ଏହି ପୁଣ୍ୟର ଫଳ ଓଡ଼ିଆ ଜାତି ଭୋଗ କରିବ। ହବିଷ୍ୟାଳି କାର୍ତ୍ତିକ ବ୍ରତ କାର୍ଯ୍ୟକ୍ରମର ଉଦ୍‌ଘାଟନ ପର୍ବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହା କହିଛନ୍ତି। ବୃନ୍ଦାବତୀ ନିବାସରେ ଅନୁଷ୍ଠିତ ଉଦ୍‌ଘାଟନୀ ପର୍ବରେ ଶ୍ରୀ ହରିଚନ୍ଦନ ବକ୍ତବ୍ୟ ରଖି କହିଲେ, ଏହି ପର୍ବ ଓଡ଼ିଶାର ଧର୍ମୀୟ ଭାବନା ସହ ଜଡ଼ିତ। ପ୍ରତ୍ୟେକ ଯେପରି ଭଲ ଅନୁଭବ ନେଇ ଫେରିବେ ସେନେଇ ସମସ୍ତେ ସଜାଗ ରହିଛନ୍ତି ବୋଲି ସେ କହିଥିଲେ।

ସାଂସଦ ସମ୍ବିତ ପାତ୍ର ଅତିଥି ଭାବେ ଯୋଗଦେଇ ମା’ଟିଏ ନିଜ ପରିବାରଠୁ ମାସେ କାଳ ଦୂରେଇ ରହି ବ୍ରତ କରି କେବେ ନିଜ ପାଇଁ କିଛି ମାଗେ ନାହିଁ। ବରଂ ନିଜ ପରିବାର ବର୍ଗଙ୍କ ପାଇଁ ମଙ୍ଗଳ କାମନା କରେ। ମହିଳାମାନଙ୍କ ସମର୍ପଣ ଭାବ ସର୍ବଦା ଉଦାହରଣ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରୀ ବିଧାୟକ ସୁନୀଲ ମହାନ୍ତି, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓଁପ୍ରକାଶ ମିଶ୍ର, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଏସ୍‌ପି ପ୍ରତୀକ ସିଂହ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାପାଳଙ୍କ ସୂଚନା ମୁତାବକ ୪ଟି ଶିବିରରେ ଅଢ଼େଇ ହଜାରରୁ ଅଧିକ ହବିଷ୍ୟାଳିଙ୍କ ଆଶ୍ରୟ ଦିଆଯାଇଛି। କେବଳ ବୃନ୍ଦାବତୀ ନିବାସରେ ୧୪ଶହରୁ ଅଧିକ ପଞ୍ଜୀକୃତ ହବିଷ୍ୟାଳିଙ୍କୁ ଆଶ୍ରୟ ଦିଆଯାଇଛି। ସ୍ବେଚ୍ଛାସେବୀ ଓ ଅନ୍ୟ କର୍ମଚାରୀଙ୍କ ସମେତ ପ୍ରାୟ ୪ଶହରୁ ଊର୍ଦ୍ଧ୍ବ ବ୍ୟକ୍ତି ନିୟୋଜିତ ହୋଇଛନ୍ତି। ୧୫ରୁ ଅଧିକ ଅଧିକାରୀଙ୍କୁ ୪ଟି କେନ୍ଦ୍ରର ଦାୟିତ୍ବ ଦିଆଯାଇଛି। ଏହି ଅବସରରେ ସମସ୍ତ ହବିଷ୍ୟାଳି ମା’ମାନଙ୍କୁ ଚାଦର, ଜପାମାଳି ଏବଂ ବ୍ରତ ପାଇଁ ଆବଶ୍ୟକ ଉପକରଣ ଆଦି ଯୋଗାଇ ଦିଆଯାଇଛି।

Leave A Reply