ଝାରସୁଗୁଡ଼ାରେ “କନଭେସନ ଅନ୍ ଜିଏସଟି ରିଫର୍ମ – ୨୦୨୫”ରେ କେନ୍ଦ୍ରମନ୍ତ୍ରୀ , ଜିଏସଟି ସଂସ୍କାର ୨.୦ ଦ୍ୱାରା ସହଜ ଜୀବନଯାପନ ସହ ଅର୍ଥନୈତିକ ସଂସ୍କାରର ନୂଆ ଯୁଗ ଆରମ୍ଭ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ
• ପ୍ରେଜେଣ୍ଟେସନ ମାଧ୍ୟମରେ ଟିକସ ପ୍ରକ୍ରିୟା ସରଳୀକରଣ ଦ୍ୱାରା ମୋଦୀ ସରକାରରେ ଆସିଥିବା ଅଭୁତପୂର୍ବ ପରିବର୍ତ୍ତନ ଉପରେ କହିଲେ
• ଜିଏସଟି ସଂସ୍କାର ୨.୦ ଦ୍ୱାରା ଲୋକଙ୍କର ଖର୍ଚ୍ଚ କମୁଛି ଓ ସଞ୍ଚୟ ବଢୁଛି
• ମୋଦୀ ସରକାରରେ ଭାରତର ଆର୍ଥିକ ଅଭିବୃଦ୍ଧି ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ହୋଇଛି
• ଦୈନନ୍ଦିନ ବ୍ୟବହୃତ ଜିନିଷରେ ଜିଏସଟି କମିବା ଦ୍ୱାରା ସାଧାରଣଲୋକମାନେ ଲାଭବାନ ହେବେ
• ଜିଏସଟି ପ୍ରକ୍ରିୟାରେ ସଂସ୍କାର ଓ ଜିଏସଟି ହାରରେ ସରଳୀକରଣ ପ୍ରମୁଖ ଅର୍ଥନୈତିକ କ୍ଷେତ୍ରକୁ ତ୍ୱରାନ୍ୱିତ କରିବ
• ଝାରସୁଗୁଡ଼ାରେ ବ୍ୟବସାୟ କ୍ଷେତ୍ରରେ ଥିବା ସମ୍ଭାବନା ଉପରେ ଚର୍ଚ୍ଚା କଲେ
• ଶିଶୁମାନଙ୍କ ପୋଷଣକୁ ଠିକ୍ କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ
ଝାରସୁଗୁଡ଼ା, ଅକ୍ଟୋବର ୦୩ – ଜିଏସଟି ସଂସ୍କାର ୨.୦ ଦ୍ୱାରା ‘ସହଜ ଜୀବନଯାପନ’ ଓ ଅର୍ଥନୈତିକ ସଂସ୍କାରର ନୂଆ ଯୁଗ ଆରମ୍ଭ ହୋଇଛି । ଇଜ୍ ଅଫ୍ ଲିଭିଂ ଏବଂ ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସକୁ ପ୍ରୋତ୍ସାହିତ କରି ଏହି ଜିଏସଟି ସଂସ୍କାର ଭାରତକୁ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ମାର୍ଗ ପ୍ରଶସ୍ତ କରିବ ବୋଲି ଶୁକ୍ରବାର ‘ଝାରସୁଗୁଡ଼ା ଚାମ୍ବର୍ସ ଅଫ୍ କମର୍ସ’ ପକ୍ଷରୁ ଆୟୋଜିତ ଜିଏସଟି ସଂସ୍କାର ସମ୍ପର୍କିତ “କନଭେସନ ଅନ୍ ଜିଏସଟି ରିଫର୍ମ – ୨୦୨୫” କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ପ୍ରେଜେଣ୍ଟେସନ ମାଧ୍ୟମରେ ଟିକସ ପ୍ରକ୍ରିୟା ସରଳୀକରଣ ଦ୍ୱାରା ମୋଦୀ ସରକାରରେ ଆସିଥିବା ଅଭୁତପୂର୍ବ ପରିବର୍ତ୍ତନ ଓ ଏହା ଦ୍ୱାରା ଦେଶକୁ ମିଳିବାକୁ ଥିବା ଲାଭ ଉପରେ ଆଲୋକପାତ କରିଥିଲେ । ଶ୍ରୀ ପ୍ରଧାନ କହିଥିଲେ ଭାରତ ୪.୨ ଟ୍ରିଲିୟନ ଆମେରିକୀୟ ଡଲାର ସହ ବିଶ୍ୱର ଚତୁର୍ଥ ବୃହତମ ଅର୍ଥନୀତିର ଦେଶ ହୋଇଛି । ୨୦୧୩-୧୪ରେ ଦେଶର ରପ୍ତାନୀ ପରିମାଣ ୪୬୬.୨୨ ବିଲିୟନ ଆମେରିକୀୟ ଡଲାର ଥିବା ବେଳେ ଆଜି ତାହା ୭୭ ପ୍ରତିଶତ ବଢି ୮୨୪.୯ ବିଲିୟନ ଆମେରିକୀୟ ଡଲାର ହୋଇଛି । ଭାରତର ଆର୍ଥିକ ଅଭିବୃଦ୍ଧି ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ହୋଇଛି ।
ସେ କହିଛନ୍ତି ଯେ ୨୦୧୯ରେ ଦେଶରେ ପ୍ରାୟ ୪.୯ କୋଟି ନିବେଶକ ଥିଲେ । ଏହି ସଂଖ୍ୟା ୧୩.୨ କୋଟି ହୋଇଛି । ଦେଶରେ ବିଦେଶ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ବା ଏଫଡିଆଇ ୨୦୧୩-୧୪ ବର୍ଷରେ ୩୬.୦୫ ବିଲିୟନ ଆମେରିକୀୟ ଡଲାର ଥିଲା । ଏହି ସଂଖ୍ୟା ଦୁଇ ଗୁଣା ହୋଇ ୮୧.୦୪ ବିଲିୟନ ଆମେରିକୀୟ ଡଲାର ହୋଇଛି । ଦେଶର ଜିଡିପି ହାର ୨୦୧୪-୧୫ରେ ୧୦୬.୫୭ କୋଟିରୁ ତିନିଗୁଣା ବଢି ୩୩୧.୦୩ କୋଟି ହୋଇଛି । ଆମ ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାର (ଫରେକ୍ସ ରିଜର୍ଭ) ୬୯୭.୯ ବିଲିୟନ ଆମେରିକୀୟ ଡଲାର ବଢିଛି । ୨୦୨୦ରେ ଜିଏସଟି କଲେକ୍ସନ ୧୧ ଲକ୍ଷ କୋଟି ହୋଇଥିବା ବେଳେ ଏବେ ତାହା ବଢି ୨୨ ଲକ୍ଷ କୋଟି ହୋଇଛି ।
କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଜିଏସଟି ସଂସ୍କାର ୨.୦ ଦ୍ୱାରା ଲୋକଙ୍କର ଖର୍ଚ୍ଚ କମୁଛି ଓ ସଞ୍ଚୟ ବଢୁଛି । ବିକଶିତ ଅର୍ଥନୀତି ପାଇଁ ଯେଉଁ ସର୍ତ୍ତର ପ୍ରସ୍ତୁତି ଦରକାର, ଏହି ଜିଏସଟି ସଂସ୍କାର ସେ ଦିଗରେ ବଡ଼ ପଦକ୍ଷେପ । ଏହାକୁ ନେଇ ଲୋକମାନେ ଉତ୍ସାହିତ ଅଛନ୍ତି । ମୋଦୀ ସରକାରରେ ଜିଏସଟି ପ୍ରକ୍ରିୟାରେ ସଂସ୍କାର ଓ ଜିଏସଟି ହାରରେ ସରଳୀକରଣ ପ୍ରମୁଖ ଅର୍ଥନୈତିକ କ୍ଷେତ୍ରକୁ ତ୍ୱରାନ୍ୱିତ କରିବ । ବିଶେଷ ଭାବରେ ଦୈନନ୍ଦିନ ବ୍ୟବହୃତ ଜିନିଷରେ ଜିଏସଟି କମିବା ଦ୍ୱାରା ସାଧାରଣ ଲୋକମାନେ ଲାଭବାନ ହେବେ । ଏହି ସଂସ୍କାର ଦ୍ୱାରା କୃଷି, ଶିକ୍ଷା, ଷ୍ଟାର୍ଟଅପ୍, ବ୍ୟାବସାୟ ଏବଂ ସ୍ୱାସ୍ଥ୍ୟ ସମେତ ବିଭିନ୍ନ କ୍ଷେତ୍ରରେ ଲୋକମାନେ ବିଶେଷ ଭାବରେ ଲାଭ ପାଇବେ।
ଏହାବ୍ୟତୀତ ଝାରସୁଗୁଡ଼ାରେ ବ୍ୟବସାୟ କ୍ଷେତ୍ରରେ ଥିବା ସମ୍ଭାବନା ଉପରେ ଚର୍ଚ୍ଚା କରିବା ସହ ଶିଶୁମାନଙ୍କୁ ପୋଷଣକୁ ଠିକ୍ କରିବା ପାଇଁ ଆଗେଇ ଆସିବା ପାଇଁ ଝାରସୁଗୁଡ଼ା ଚାମ୍ପର୍ସ ଅଫ କମର୍ସର ସଦସ୍ୟମାନଙ୍କୁ ସେ ଆହ୍ୱାନ କରିଛନ୍ତି ।