ଭୁବନେଶ୍ୱର, ୨୭/୦୭/୨୦୨୫ : ରାଜ୍ୟରେ କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ହେବା ଫଳରେ ୬ଟି ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ୧୧ ହଜାରରୁ ଊଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଥିବାବେଳେ ଏକ ହଜାରରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୯ଟି ଆଶ୍ରୟସ୍ଥଳରେ ରଖାଯାଇଛି ।
ବନ୍ୟା ପରିସ୍ଥିିତି ନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଦେଓରଞ୍ଜନ କୁମାର ସିଂହଙ୍କ ଉପସ୍ଥିତିରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାପାଳ ଓ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ଆଭାସି ମାଧ୍ୟମରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ । ଜିଲ୍ଲା ପ୍ରଶାସନ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଜନସାଧାରଣଙ୍କୁ ନିରାପଦ ଆଶ୍ରୟସ୍ଥଳିରେ ରଖିବା ଓ ରିଲିଫ୍ ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ରାଜୀବ ଭବନଠାରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ସିଂହ କହିଲେ ଯେ ବାଲେଶ୍ୱର ଜିଲ୍ଲାରେ ୫ଟି ଓଡ୍ରାଫ୍ ଟିମ୍ ସହ ଗୋଟିଏ ଏନ୍ଡିଆର୍ଏଫ୍, ୨୬ଟି ଅଗ୍ନିଶମ ଓ ଜରୁରୀକାଳୀନ ସେବା ବାହିନୀ ନିୟୋଜିତ ହୋଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ଓଡ୍ରାଫ୍ ଦଳ, ୨୩ଟି ଅଗ୍ନିଶମ ବାହିନୀ, ଭଦ୍ରକ ଜିଲ୍ଲାରେ ଗୋଟିଏ ଓଡ୍ରାଫ୍, ଗୋଟିଏ ଏନ୍ଡିଆର୍ଏଫ୍ ଓ ୧୩ଟି ଅଗ୍ନିଶମ ବାହିନୀ, ଯାଜପୁର ଜିଲ୍ଲାରେ ଗୋଟିଏ ଓଡ୍ରାଫ୍ ଟିମ୍ ସହ ୧୪ଟି ଅଗ୍ନିଶମ ବାହିନୀ ସମେତ ଏହି ସବୁ ଜିଲ୍ଲାରେ ୧୦୬ଟି ବୋଟ୍ ମଧ୍ୟ ଉଦ୍ଧାର ଓ ରିଲିଫ୍ ବଣ୍ଟନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
ସୁବର୍ଣ୍ଣରେଖା ନଦୀକୁ ଛାଡ଼ି ଅନ୍ୟ ସମସ୍ତ ନଦୀର ଜଳପତ୍ତନ ହ୍ରାସ ପାଇବାରେ ଲାଗିଛି । ସୁବର୍ଣ୍ଣରେଖାରେ ବନ୍ୟାଜଳକୁ ଆଖିରେ ରଖି ବାଲେଶ୍ୱର ଜିଲ୍ଲା ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି । ବୈତରଣୀ ଓ ଜଳକା ନଦୀରେ ଜଳପତ୍ତନ କମିବାରେ ଲାଗିଛି । ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରାତ୍ରକାଳୀନ ପ୍ରେଟ୍ରୋଲିଙ୍ଗ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ବନ୍ୟାଞ୍ଚଳରେ ଜଳବିଶୋଧନ ଓ ଜନସାଧାରଣଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବାର ବ୍ୟବସ୍ଥା କରାଯିବା ସହ ଆବଶ୍ୟକ ପରିମାଣରେ ଆଣ୍ଟିଭେନମ୍ ମହଜୁଦ ରଖାଯାଇଛି । ଆବଶ୍ୟକତା ଅନୁଯାୟୀ ଲୋକମାନଙ୍କୁ ସ୍ଥିତି ସାମାନ୍ୟ ହେବା ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇଦିଆଯିବ । ଅତିରିକ୍ତ ରିଲିଫ୍ କମିଶନର ଶ୍ରୀ ମନୀଷ ଅଗ୍ରୱାଲଙ୍କୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ବନ୍ୟାଞ୍ଚଳରେ ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ କାର୍ଯ୍ୟ
ପଠାଯାଇଛି ।
ଏହି ଅବସରରେ ଓସ୍ଡ଼ମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ କମଳ ଲୋଚନ ମିଶ୍ର ଓ ଅତିରିକ୍ତ ରିଲିଫ୍ କମିଶନର ଶ୍ରୀ ପଦ୍ମନାଭ ବେହେରାଙ୍କ ସମେତ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ଓ ଓସ୍ଡମାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।