ତିହିଡି,୨୧/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ବଜାରକୁ ଜବରଦଖଲ ମୁକ୍ତ କରିବାକୁ ତହସିଲ ପ୍ରଶାସନ ପକ୍ଷରୁ ଗତ କିଛି ପୂର୍ବେ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏମିତିକି ଡାକବାଜି ଯନ୍ତ୍ର ମାଧ୍ୟମରେ ନିଜ ତରଫରୁ ଜବରଦଖଲ ହଟାଇ ନେବାକୁ ତହସିଲ ପ୍ରାଶସନ ପକ୍ଷରୁ ସମସ୍ତଙ୍କୁ ନିବେଦନ କରାଯାଇଥିଲା । ମାତ୍ର ପରେ ଏହା ଫସରଫାଟି ଯାଇଥିଲା । କେଉଁ କାରଣରୁ ଏହାକୁ ବନ୍ଦ କରି ଦିଆଗଲା ସେଥିନେଇ ଲୋକେ ସନ୍ଦିହାନ ରହିଲେ । ଏହି ଜବରଦଖଲ ଉଚ୍ଛେଦ ଏବେ ଆଉ କରାଯିବନି ବୋଲି ଲୋକଙ୍କ ଭିତରେ ଆଲୋଚନା ବି ଚାଲିଲା । ତେବେ ଆଜି ଥାନା ଛକ ଠାରୁ ବ୍ଲକ ଛକ ଯାଏଁ ତହସିଲ ପ୍ରଶାସନ ପକ୍ଷରୁ ତହସିଲଦାରଙ୍କ ଉପସ୍ଥିତିରେ ମାପଚୁପ କରାଯିବା ଘଟଣାରୁ ଜବରଦଖଲ ଉଚ୍ଛେଦ ନେଇ ରହିଥିବା ସନେ୍ଦହ ଉପରୁ ପରଦା ହଟିଛି । ଆଗାମୀ ଜାନୁୟାରୀ ୨୬ ପରେ ଯେକୌଣସି ସମୟରେ ଜବରଦଖଲ ଉଚ୍ଛେଦ କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି । ସେ ଯାହା ହେଉ ତିହିଡି ବଜାରରେ ଜବରଦଖଲ ସମସ୍ୟା ଆଜିର ନୁହେଁ । ଏହି ସମସ୍ୟାର ସମାଧାନ ପାଇଁ ଲୋକେ ବହୁ ଦିନରୁ ଦାବି କରିଆସୁଥିଲେ । ପ୍ରଶାସନ ପକ୍ଷରୁ ବି ଏଥିନେଇ ଅନେକବାର ଉଦ୍ୟମ କରାଯାଇଛି ହେଲେ ପରେ ଏହା ବିଭିନ୍ନ କାରଣରୁ ବିଫଳ ହୋଇଛି । ଜବରଦଖଲ ପାଇଁ ତିହିଡି ବଜାରରେ ଟ୍ରାଫିକ ସମସ୍ୟା ଗୁରୁତର ଆକାର ଧାରଣ କରୁଥିବା ବେଳେ ସାଧାରଣ ଲୋକେ ଦୁର୍ଦ୍ଦଶା ଭୋଗ କରି ଆସୁଛନ୍ତି । ଅନ୍ୟପକ୍ଷେ ବଜାରର ଉନ୍ନତିକରଣ କାର୍ଯ୍ୟ ବି ବାଧାପ୍ରାପ୍ତ ହେଉଛି ।