ନିମାପଡା,୦୧/୦୮/ : ନିମାପଡା ଏନଏସି କୁ ସରସ ସୁନ୍ଦର କରିବା ପାଇଁ ପ୍ରାୟ ୧୮ କୋଟି ଟଙ୍କା ବ୍ୟୟରେପୂର୍ତ୍ତ ବିଭାଗ ପକ୍ଷରୁ ତଳଅଣ୍ଡିଆ ଛକ ଠାରୁ ଦୋଳବେଦୀ ଛକ ପର୍ଯ୍ୟନ୍ତ ୪ ଥାକିଆ ରାସ୍ତା, ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ସରକାରୀ ଜାଗାରୁ କ୍ଷୁଦ୍ର ବ୍ୟବସାୟିଙ୍କୁ ଉଛେଦ କରାଯାଇଥିଲା।ସରକାରୀ ଜାଗାକୁ ମାଡ଼ିବସିଥିବା ପ୍ରଭାବ ଶାଳୀ ଲୋକଙ୍କୁ ଛାଡି ଗରିବ ଲୋକଙ୍କ ଦୋକାନ ଭଙ୍ଗା ଯାଇଥିବା ନେଇ ଅଭିଯୋଗ ଉଠିଥିଲା। ତେବେ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବା ବେଳେ ରାସ୍ତା ଯନ୍ତ୍ରଣା ଅସହ୍ୟ ହୋଇପଡିଛି ବୋଲି ଉକ୍ତ ରାସ୍ତା ଦେଇ ଯାଉଥିବା ବାଟୋଇ ଓ ସ୍ଥାନୀୟ ଲୋକେ କହୁଛନ୍ତି। ତିନି କି. ମି ପର୍ଯ୍ୟନ୍ତ ହେଉଥିବା ରାସ୍ତା ନିର୍ମାଣରେ ପିଚୁ, ଢ଼ଳେଇ,ସଫେଇ ନାଳ ଓ କେନାଲ ବ୍ରିଜ ଆଦି କାମ ରହିଛି। ତେବେ କାମ ଆରମ୍ଭ ହେବା ସାତ ମାସ ବିତିଥିଲେ ମଧ୍ୟ ୬୦ ଭାଗ କାର୍ଯ୍ୟ ସରିପାରି ନାହିଁ। କାମ ଚାଲୁଥିବାରୁ ରାସ୍ତା ସଂକୁଚିତ ହୋଇପଡିଥିବା ବେଳେ ରାସ୍ତା ସାରା ଛୋଟ ବଡ଼ ଖାଲ ଗାଡି ଚାଳକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ବର୍ଷା ପାଣି ଖାଲରେ ଜମି ଗାଡିଆ ସଦୃଶ୍ୟ ଦେଖା ଯାଉଛି।ସ୍କୁଲ କଲେଜ ପିଲା ସାଇକେଲ ଓ ସ୍କୁଟି ନେଇ ଯିବାବେଳେ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲରେ ପଡି ଆହତ ହେଉଛନ୍ତି। ଦୋଳବେଦୀ ଛକ ଠାରୁ ତଳଅଣ୍ଡିଆ ଛକ ଅତିକ୍ରମ କରିବାକୁ ହେଲେ ପ୍ରାୟ ଏକ ଘଣ୍ଟା ସମୟ ଲାଗୁଛି। ରାସ୍ତା ଜାମ ରହୁଥିବାରୁ ଆମ୍ବୁଲାନ୍ସ ଓ ଅଗ୍ନିଶମ ଜରୁରୀ କାଳିନ ଗାଡି ସେହି ବାଟ ଦେଇ ଅତିକ୍ରମ କରିବାକୁ ବହୁ ବିଳମ୍ବ ହେଉଛି।ବର୍ଷାରେ ରାସ୍ତା, ବ୍ରିଜ ଓ ଡ୍ରେନ ନିର୍ମାଣ କାର୍ଯ୍ୟ ଚାଲିଛି। ହୋଇଥିବା ନୂଆ ପିଚୁ କାମ ଦବିଥିବା ଦେଖିବାକୁ ମିଳିଛି। କାମ ସରୁନଥିବାରୁ ରାସ୍ତା ଯନ୍ତ୍ରଣା ଅଥୟ ହେଲାଣି ବୋଲି ଲୋକେ କହୁଛନ୍ତି। ଚାଲିଥିବା ନୂଆ ରାସ୍ତା ଓ ଡ୍ରେନ ର ସ୍ଥାୟୀତ୍ୱ କୁ ନେଇ ସନ୍ଦେହ ଉପୁଜୁଛି।