ବାରିପଦା/କୁଳିଅଣା : ନାବାଳିକାଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କଲା ସମ୍ପର୍କୀୟ କାକା । ଏହିପରି ଲୋମହର୍ଷଣକାରୀ ଘଟଣା ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଞ୍ଚଳରେ ଘଟିଛି । ଘଟଣାରୁ ପ୍ରକାଶ ଯେ, ଶନିବାର ଜିଲ୍ଲାରେ ଶେଷ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ତାଙ୍କର ଜଣେ ସମ୍ପର୍କୀୟ କାକା ତାଙ୍କୁ ନିଜ ସହ ନିକଟସ୍ଥ ନଈ ପଠାକୁ ନେଇ ଯାଇଥିଲେ । ପ୍ରଥମେ ସେ ତାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ନାବାଳିକା ଜଣଙ୍କ କାହାକୁ ଏକଥା କହିଦେବେ ଭାବି ଭୟରେ ସମ୍ପର୍କୀୟ କାକା ଜଣକ ତାଙ୍କୁ ହତ୍ୟା କରିଥିଲେ । ନାବାଳିକାଙ୍କ ପରିବାର ଲୋକ ଭୋଟ ଦେଇ ଘରକୁ ଫେରିବା ପରେ ଝିଅକୁ ପାଇନଥିଲେ । ସେମାନେ ଗାଁ ମୁଣ୍ଡରେ ଥିବା ପୋଳପଳା ନଈ ଓ ନିକଟସ୍ଥ ଜଙ୍ଗଲରେ ଖୋଜାଖୋଜି କରିଥିଲେ । ବେଶ କିଛି ସମୟର ଖୋଜାଖୋଜି ପରେ ନଈ ପଠାରୁ ନାବାଳିକାଙ୍କର ଉଲଗ୍ନ ମୃତଦେହକୁ ପାଇଥିଲେ । ଝିଅ ଏଠାକୁ କେମିତି ଆସିଲା ବୋଲି ପରିବାର ଲୋକ ଗାଁ ଲୋକଙ୍କ ପଚରା ଉଚରା କରିଥିଲେ । ଏହି ସମୟରେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ କକା ରମେଶ ଚନ୍ଦ୍ର ଦେହୁରୀ ଖରାବେଳେ ସାଙ୍ଗରେ ଧରି ବୁଲୁଥିବା ସେମାନେ କହିଥିଲେ । ଏହାପରେ ଗାଁର କିଛି ଲୋକ ଓ ନାବାଳିକାଙ୍କ ପରିବାର ବର୍ଗ ସମ୍ପର୍କୀୟ କାକା ରମେଶ ଚନ୍ଦ୍ର ଦେହୁରୀଙ୍କ ନିକଟରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତ ଶିଶୁକନ୍ୟାର ଶବ ଉଦ୍ଧାର କରିବା ସହ ରମେଶ ଚନ୍ଦ୍ର ଦେହୁରୀଙ୍କୁ ଗିରଫ କରିଥିଲେ । ଏନେଇ କୁଳିଅଣା ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଘଟଣାର ପଙ୍ଖାନୁପଙ୍ଖ ତଦନ୍ତ ଆରମ୍ଭ କରାଯାଇଛି ।