ବାରିପଦା : ବାରିପଦା କଲ୍ୟାଣୀ ମହିଳା ସମିତି ସଭା କକ୍ଷ ଠାରେ ମହାବିଷୁବ ସଂକ୍ରାନ୍ତିରେ ମୟୂରଭଞ୍ଜ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପ୍ରଦୀପ୍ତ କିଶୋର ପଣ୍ଡାଙ୍କ ସଭାପତିତ୍ତ୍ୱରେ ଓଡ଼ିଆ ନବ ବର୍ଷ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଡଃ ଶ୍ୟାମସୁନ୍ଦର ଦାସ ଓଡ଼ିଆ ନବବର୍ଷର ପ୍ରଚଳନ ସହିତ ଯୁଗାବ୍ଦ ଓ ବିକ୍ରମ ସମ୍ବତ ଉପରେ ଆଲୋଚନା କରି ବନ୍ଧୁ ମିଳନ କାର୍ଯ୍ୟ ଆରମ୍ଭ କରିଥିଲେ । କାର୍ଯ୍ୟକ୍ରମ ମଧ୍ୟରେ ଅନେକ ଯାତ୍ରା ନାଟକପୁସ୍ତକ ପାଣ୍ଡୁଲିପିର ସ୍ରଷ୍ଟା ଗଗନ ବିହାରୀ ଦାସମଙ୍ଗରାଜଙ୍କୁ ତାଙ୍କର ଜୀବନ କାଳର ସମର୍ପିତ ମୁକ୍ତମଞ୍ଚ ନାଟକ ଲେଖା ସହିତ ନିର୍ଦେଶନା ପାଇଁ ସମ୍ମାନିତ କରାଯାଇଥିଲା । ଶ୍ରୀ ମଙ୍ଗରାଜ ଉତ୍ତରରେ ଏବର ଯାତ୍ରାର ଅଶ୍ଳୀଳ ପ୍ରଦର୍ଶନକୁ ସମାଲୋଚନା କରିଥିଲେ । ମୁଖ୍ୟଅତିଥି ସୀମାନ୍ତ ମହାବିଦ୍ୟାଳର ପୂର୍ବତନ ଅଧ୍ୟକ୍ଷ ନଳିନୀ କାନ୍ତ ସେନାପତି ମିଲେଟ୍ ର ବିଭିନ୍ନ ଶ୍ରେଣୀ ଓ ସେଗୁଡିକର ପୁଷ୍ଟି ପୋଷକ ଉପରେ ବିସ୍ତୃତ ତଥ୍ୟ ଉପସ୍ଥାନ କରି ସେସବୁର ସେବନ କିପରି ବିଭିନ୍ନ ଜଟିଳ ରୋଗର ସମାଧାନ ତାହା ତଥ୍ୟ ଭିତିକ ପ୍ରମାଣ ଦେଇଥିଲେ । ସେବାନିବୃତ୍ତ ବରିଷ୍ଠ ଆୟୁର୍ବେଦ ଡାଃ ରାଜକୁମାର ମିଶ୍ର ଦେଶଜ ଚିକିତ୍ସାର ପ୍ରଭାବ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । କବୟିତ୍ରୀ ସୁଧାମୟୀ ଦାସ ମହାବିଷୁବ ସଂକ୍ରାନ୍ତି ବନ୍ଧୁମିଳନ ଉପରେ କବିତା ପଠନ କରିଥିବାବେଳେ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ସମସ୍ତ ସଭ୍ୟ ବେଲପଣା ରେ ଆପ୍ୟାୟିତ ହୋଇଥିଲେ । ବନ୍ଧୁ ମିଳନକୁ ସାଫଲ୍ୟ କରିବାରେ ଶୋଭନା ଆଚାର୍ଯ୍ୟ, ବାସନ୍ତିଲତା ମହାପାତ୍ର, ଡଃ ସୁଶାନ୍ତ କୁମାର ପାତ୍ର ଓ ମୁରଲୀଧର ପାତ୍ର ସକ୍ରିୟ କାର୍ଯ୍ୟ କରିଥିଲେ । ପରିଶେଷରେ ସରୋଜ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।