ବେତନଟୀ : ପହିଲା ବୈଶାଖୀରେ ମହୁରୀ ଉଡା ଯାତ୍ରା କାହିଁ କେଉଁ ଆବାହନ କାଳରୁ ପାଳିତ ହୋଇ ଆସୁଅଛି ତାହାର ହିସାବ ନାହିଁ। ବର୍ତ୍ତମାନ ଗ୍ରାମର ଥିବା ବୟଜ୍ୟେଷ୍ଠ ବ୍ୟକ୍ତିଙ୍କ କହିବା ଅନୁସାରେ ତାଙ୍କ ବାପା ଜେଜେ ବାପାଙ୍କ ଅମଳରୁ ଗ୍ରାମ ଦେବତୀ ମା ବାସୁଳୀ ଆବିର୍ଭୁତ ହୋଇ ପୂଜା ପାଇ ଆସୁଥିଲେ। ଗ୍ରାମ ତଥା ଅଞ୍ଚଳର ଲୋକ ମାନଙ୍କ ସୁଖ ଶାନ୍ତି ପାଇଁ ମା ବାସୁଳୀଙ୍କ ଉଦେଶ୍ୟରେ ତତ୍କାଳୀନ ଗ୍ରାମ ବାସୀଙ୍କ ଦ୍ଵାରା ଏହି ଉଡା ଯାତ୍ରା ଆରମ୍ଭ ହୋଇଥିଲା। ମା ବାସୁଳୀଙ୍କର ସାତ ଭଉଣୀଙ୍କୁ ପରିବର୍ତ୍ତୀ ସମୟରେ ଗ୍ରାମର ଅନ୍ୟ ସ୍ଥାନରେ ଆସ୍ଥାନ କରି ପୂଜା କରାଯାଉଥିଲା। ସେହିଦିନ ଠାରୁ ମା ଥାନଶୀର,ଜାମଶୀର, କାଳିକା, ବଡ଼ାମ, ମନ୍ଦାରମଣି, କନକ ଦୁର୍ଗା, ବାହୁତୀ ପୂଜା ପାଇ ଆସୁଛନ୍ତି। ବହୁ ବର୍ଷ ପରେ ମହାଦେବ ମନ୍ଦିର ନିର୍ମାଣ କରାଯାଇ ଥାନ ପତି ଭାବେ ମୁକ୍ତେଶ୍ଵର ମହାଦେବଙ୍କୁ ସ୍ଥାପନା କରାଯାଇଥିଲା। ଏହି ଉଡା ଯାତ୍ରା ପହିଲା ବୈଶାଖୀର ୧୩ ଦିନ ପୂର୍ବରୁ ଭକ୍ତା ମାନେ ଶୁଦ୍ଧପୁତ ଭାବେ ହବିଷାନ୍ନ କରି ଏକାଙ୍ଗୀ ଭାବେ ଭକ୍ତା ମଣ୍ଡପରେ ରହିଥାଆନ୍ତି। ପ୍ରଥମ ଦିନରୁ ମହାଦେବ ଶିବ ଏବଂ ପାର୍ବତୀଙ୍କର ଅନ୍ୟ ରୂପ ବାସୁଳୀଙ୍କୁ ବ୍ରାହ୍ମଣଙ୍କ ଦ୍ଵାରା ପୂଜାର୍ଚ୍ଚନା କରି ପଇତା ଧାରଣ କରିଥାଆନ୍ତି। ପହିଲା ବୈଶାଖୀର ପୂର୍ବ ରାତ୍ରୀରେ ନିଶା ଘଟ ଗ୍ରାମ ପୁଷ୍କରିଣୀରୁ ନିଶା ଘଟ ଉତ୍ତୋଳନ କରି ଦଣ୍ଡ ନୃତ୍ୟ ଏବଂ ଢୋଲ ବାଦ୍ୟ ବଜାଇ ମଣ୍ଡପ ପ୍ରାଙ୍ଗଣରେ ରଖି ସାରା ରାତି ପୂଜାର୍ଚ୍ଚନାରେ ଭକ୍ତାମାନେ ନିଜକୁ ନିୟୋଜିତ କରିଥିଲେ। ପଣା ସଂକ୍ରାନ୍ତି ପ୍ରାତଃରୁ ପୋଖରୀରୁ ସ୍ନାନ ସାରି ଗ୍ରାମ ପରିକ୍ରମା କରିଥିଲେ। ରବିବାର ଅପରାହ୍ନରେ ପ୍ରଥମେ ଏହି ଭକ୍ତା ମାନେ କଣ୍ଟାପାଟ, ଝୁଲାପାଟ ଓ ନିଆଁପାଟ ପରେ ପୁଣି ପୁଷ୍କରିଣୀରେ ସ୍ନାନ ସାରି ମଣ୍ଡପରେ ପହଞ୍ଚିବା ପରେ ରାତ୍ରୀରେ ନିଶାଘଟକୁ ଗ୍ରାମ ପରିକ୍ରମା କରିଥିଲେ। କଣ୍ଟାପାଟ, ନିଆଁପାଟ, ଝୁଲାପାଟକୁ ଦେଖିବା ପାଇଁ ହଜାରେ ରୁ ଉର୍ଦ୍ଧ୍ୱ ଦର୍ଶକଙ୍କ ଭିଡ଼ ଜମିଥିଲା। ଏହି ଉଡା ପର୍ବରେ ନିଜକୁ ସାମିଲ କରିବା ପାଇଁ ବହୁ ମାନସିକଧାରୀ ଗ୍ରାମର ଭକ୍ତା ମାନଙ୍କ ସହିତ ମିଶି ହବିଷାନ୍ନ କରିବା ପୂର୍ବକ ନିଜକୁ ଶୁଦ୍ଧପୁତ ଭାବେ ଏହାକୁ ପାଳନ କରିଥିଲେ। ସୋମବାର ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉଡା ପଡ଼ିଆରେ ଉଡ଼ାଖୁଣ୍ଟ ସ୍ଥାପନ କରାଯାଇ ଦାଶୀ ଏବଂ ଭକ୍ତା ମାନେ ଉଡି ଉଡି ମା ଙ୍କର ପୁଷ୍ପ ଏବଂ ମିଷ୍ଟାନ୍ନ ବର୍ଷା କରିଥିଲେ। ପାଗ ଅନୁକୂଳ ଥିଲା ବୋଲି ରାତ୍ରି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କର ଭିଡ ଜମି ରହିଥିଲା l ଏହି ଉଡା ପର୍ବରେ ଶାନ୍ତି ଶୃଙ୍ଖଳା ପାଇଁ ବୈଶିଙ୍ଗା ଥାନାଧିକାରୀ ତପନ କୁମାର ପ୍ରଧାନ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ପୁଲିସ ଟିମ ମଧ୍ୟ ମୁତୟନ ରହିଥିଲେ । ମଙ୍ଗଳବାର ଉଡା ପର୍ବ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି | ଚଳିତ ବର୍ଷ ଏହି ଉଡା ପର୍ବ ଶାନ୍ତିଶୃଙ୍ଖଳା ରେ ପାଳିତ ହୋଇଥିବାରୁ ମହୁରୀ ଗ୍ରାମ କମିଟି ତରଫରୁ ବୟଜ୍ୟେଷ୍ଠ ବ୍ୟକ୍ତି ଗୋବିନ୍ଦ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।