ବାରିପଦା : ରାଜ୍ୟ ସରକାର ସବୁ ବର୍ଗର ସରକାରୀ କର୍ମଚାରୀଙ୍କ ସମେତ ପ୍ରାଥମିକ ଶିକ୍ଷକଙ୍କ କ୍ୟାଡର ପୁନର୍ଗଠନ କରିଛନ୍ତି । ଏହାଦ୍ୱାରା ପ୍ରାୟ ୧ଲକ୍ଷ ୪ହଜାର ପ୍ରାଥମିକ ଉପକୃତ ହେବେ ବୋଲି ସରକାର ବିବୃତି ପ୍ରକାଶ କରିଛନ୍ତି । ମାତ୍ର ଲେଭେଲ ୫(ଏ) ବର୍ଗର ଶିକ୍ଷକ ମାନଙ୍କୁ ଏଥିରେ ଅଣଦେଖା କରାଯାଇଥିବାରୁ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ରାଜ୍ୟସାରା ଏହି ଅସନ୍ତୋଷ ଦେଖାଯାଇଥିବା ବେଳେ ବାରିପଦା ବ୍ଲକର ଏହି ବର୍ଗର ଶିକ୍ଷକ ମାନଙ୍କର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୦୬ ମସିହା ପରଠାରୁ ନିଯୁକ୍ତି ପାଇଥିବା ପ୍ରାଥମିକ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଇଁ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି । କ୍ୟାଡର ପୁନର୍ଗଠନ ବିଷୟରେ ପୁଣି ଥରେ ବିଚାର କରି ସବୁ ବର୍ଗର ପ୍ରାଥମିକ ଶିକ୍ଷକ କିପରି ସମାନ ସୁବିଧା ସୁଯୋଗ ପାଇ ପାରିବେ ସେ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ୫ଟି ଅଧ୍ୟକ୍ଷ ତଥା ଶିକ୍ଷା ସଚିବଙ୍କ ଉଦେ୍ଦଶ୍ୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି । ଯଦି ସରକାର ଏହା ଉପରେ ପୁନର୍ବିଚାର ନକରନ୍ତି ତେବେ ବାଧ୍ୟହୋଇ ଶିକ୍ଷକ ସମାଜ ପୁଣିଥରେ ରାଜରାସ୍ତାକୁ ଓହ୍ଲାହିବାକୁ ବାଧ୍ୟ ହେବ ବୋଲି ୫(ଏ) ବର୍ଗର ଶିକ୍ଷକ ସୌମ୍ୟ ଦାସ, ସୁଶୀଲ କୁମାର ପଣ୍ଡା, ଧନପତି ମିଶ୍ର, କବିତାରାଣୀ ବେହେରା, ସସ୍ମିତା ଦାସ, ମଙ୍ଗଲୀ ମୁର୍ମୁ ତଥା ବ୍ଲକ ପ୍ରାଥମିକ ସଂଘର ସଭାପତି ପ୍ରଦୀପ କୁମାର ନାଥ ଓ ସମ୍ପାଦକ ସିଦେ୍ଧଶ୍ୱର ମିଶ୍ର ମିଳିତ ବିବୃତିରେ କହିଛନ୍ତି ।