ରାତି ପାହିଲେ ଉତ୍ତର ପ୍ରଦେଶର ଆଧ୍ୟାତ୍ମିକ ନଗରୀ ଅଯୋଧ୍ୟାରେ ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ। ବହୁ ପ୍ରତୀକ୍ଷିତ ଏହି ସମାରୋହ ପାଇଁ ପୂରା ଭାରତ ସମେତ ବିଦେଶରେ ମଧ୍ୟ ଭକ୍ତମାନେ ଉତ୍ସାହିତ ଅଛନ୍ତି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଓଡ଼ିଶାବାସୀ ଉତ୍ସାହିତ ଅଛନ୍ତି। ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରଭୁ ରାମଙ୍କ ପାଇଁ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ ମଧ୍ୟ କରାଯାଇଛି। ବିଶେଷ ଭାବରେ ପୂଜା ଦୋକାନଗୁଡ଼ିକରେ ଦୀପ ଓ ରାମ ତଥା ହନୁମାନ ଫଟୋ ଥିବା କମଳା ରଂଗର ପତାକା ଭଲ ବିକ୍ରି ହେଉଛି।
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଓଡିଶାରେ ଲୋକଙ୍କ ମନରେ ପ୍ରବଳ ଉତ୍ସାହ। ବଜାରରେ ବି ଭିଡ଼ ଜମୁଛି। ପୂଜା ସାମଗ୍ରୀ ଦୋକାନରୁ ଜୟ ଶ୍ରୀରାମ ଲେଖା ଓ ହନୁମାନଙ୍କ ଚିତ୍ର ଥିବା ପତାକା କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ଲାଗୁଛି। ଭଳିକି ଭଳି ପତାକା ମିଳୁଥିବା ଦର ମଧ୍ୟ ଭିନ୍ନ ଭିନ୍ନ ରହିଛି। କଟକ ଓ ଭୁବନେଶ୍ୱରରେ ପତାକାର ବେଶ ଚାହିଦା ରହିଛି। ୧୦ ଟଙ୍କାରେ ମିଳୁଥିବା ପତାକା ଆଜି ୩୦ ଟଙ୍କାରେ ବିକ୍ରି ହେଉଛି। ପୂର୍ବରୁ ୧୫୦ରୁ ୨ଶହ ଟଙ୍କାରେ ମିଳୁଥିବା ପତାକା ଆଜି ୪୦୦ ଟଙ୍କାରେ ବିକ୍ରି କରାଯାଉଛି। ତଥାପି ଗ୍ରାହକମାନେ ଖୁସି ମନରେ କିଣି ନେଉଛନ୍ତି।
ସେପଟେ କଟକ ଜିଲ୍ଲା ମାହାଙ୍ଗା ମଧ୍ୟ ରାମମୟ ହୋଇଛି। ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ମାହାଙ୍ଗାରେ ବିଶାଳ ବାଇକ୍ ଶୋଇଯାତ୍ରା କରାଯାଇଛି। କୁନି କୁନି ପିଲାଙ୍କୁ ସୁନ୍ଦର ବେଶରେ ସଜେଇ ସହର ପରିକ୍ରମା କରିଛନ୍ତି। କଟକ ସହରରେ ୨୦ ଫୁଟ ଉଚ୍ଚର ବାଲୁକା ଶ୍ରୀରାମ ମନ୍ଦିର ନିର୍ମାଣ ହୋଇଛି। ଅନ୍ତର୍ଜାତୀୟ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହାକୁ ନିର୍ମାଣ କରିଛନ୍ତି। ରାଉରକେଲା ସହରକୁ ଦୀପାବଳି ଭଳି ସଜେଇ ଦିଆଯାଇଛି। ଜୟପୁରରେ ମଧ୍ୟ ପ୍ରଭୁ ରାମଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଅନ୍ୟ ସହରରେ ମଧ୍ୟ ରାମ ନାମ ଓ ରାମଧ୍ବନି ଶୁଭିବ। ଏଥି ପାଇଁ ପ୍ରସ୍ତୁତି ଚାଲିଛି