Odisha news

କାନଝରୀ ଜଳସେଚନ ପ୍ରକଳ୍ପ ପର୍ଯ୍ୟଟକ ଙ୍କୁ ଆକର୍ଷିତ କରୁଛି।

0
କେନ୍ଦୁଝର :  ପ୍ରାକୃତିକ ସମ୍ପଦଭରା କେନ୍ଦୁଝର ଜିଲ୍ଲା ପରିବେଶ ପର୍ଯ୍ୟଟନର ଏକ ଉତ୍କୃଷ୍ଟ କ୍ଷେତ୍ର ରୂପେ ପରିଚିତ । ବୈତରଣୀର ଉତ୍ପରିସ୍ଥଳ ଗୋନାସିକା, ପ୍ରାକୃତିକ ପାର୍କ ଚିକିଣିଆ, ସବୁଜସୁନ୍ଦର ଚକ୍ରତୀର୍ଥ, ଜଳ ଜଙ୍ଗଲର ସୁଷମା ହଦଗତ ଡ୍ୟାମ, କାନଝାରୀ ଡ୍ୟାମ, ପ୍ରାକୃତିକ ପ୍ରପାତ ଖଣ୍ଡାଧାର, ସାନଘାଗରା, ବଡଘାଗରା,
ଗୁଣ୍ଡିଚାଘାଗି ଆଦି ରମଣୀୟ ପରିବେଶ ପର୍ଯ୍ୟଟନସ୍ଥଳ ଏହି ଜିଲ୍ଲାରେ ରହିଛି। ବର୍ଷର ସବୁ ସମୟରେ ପର୍ଯ୍ୟଟକମାନେ ବହୁସଂଖ୍ୟାରେ ଏହିସବୁ ସ୍ଥାନମାନଙ୍କୁ ଆସିଥାନ୍ତି। ତନ୍ମଧ୍ୟରୁ କାନଝାରୀ ଡ୍ୟାମ ଅନ୍ୟତମ । କାଳିଞ୍ଜର ନଦୀ ଉପରେ ଦୁଇଟି ପାହାଡ ମଝିରେ ସୁନ୍ଦର ମାଟିବନ୍ଧ, ମାଇଲ ମାଇଲ ବ୍ୟାପି ବିସ୍ତୀର୍ଣ୍ଣ ଜଳରାଶି, ଉଭୟ ପାର୍ଶ୍ଵରେ ସବୁଜ ବନାନୀ, ପାହାଡ ମୁଣ୍ଡରେ ଶୈଳନିବାସ ଭଳି ଦୁଇଟି ସରକାରୀ ବଙ୍ଗଳାରେ ରାତ୍ରୀଯାପନର ସୁବିଧା ରାଜ୍ୟ ତଥା ରାଜ୍ୟ ବାହାର
ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ବର୍ଷର ସବୁ ସମୟରେ ଆକୃଷ୍ଟ କରିଥାଏ । ନଦୀବନ୍ଧର ନିମ୍ନଭାଗରେ ନଦୀର ଦୁଇ ପାର୍ଶ୍ଵରେ ବଡ କେନାଲ ଦୁଇଟିରେ ଜଳର ସହଜଲଭ୍ୟତା ଅନେକଙ୍କୁ ଏଠାରେ ପିକନିକ କରିବାକୁ ଟାଣିଆଣିଥାଏ। ନଦୀବନ୍ଧର ନିମ୍ନଭାଗରେ ଓ ନଦୀର ଉଭୟ ପାର୍ଶ୍ବରେ ଅନତିଦୂରରେ ଶ୍ରୀ ଶ୍ରୀ ରଘୁନାଥେଶ୍ବର ଓ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ନାମରେ ଦୁଇଟି ଶୈବପୀଠ ଥିବାରୁ ମକର ସଂକ୍ରାନ୍ତୀ, ଶିବରାତ୍ରି, ଦୋଳପୂର୍ଣ୍ଣିମା ଆଦି ଦିନମାନଙ୍କରେ ଏଠାରେ ପ୍ରବଳ ଜନସମାଗମ ହୋଇଥାଏ।
ଘଟଗାଁରୁ କେନ୍ଦୁଝର ସହର ଆଡକୁ ୨୦ ନଂ ଜାତୀୟ ରାଜପଥରେ ଗଲାବେଳେ ୧୫ କିମି ପୂର୍ବରୁ ପଡେ ଚାନ୍ଦପଶି ଛକ । ସେଠାରୁ ଉତ୍ତର ଦିଗକୁ ଯାଇଥିବା ପିଚୁ ରାସ୍ତାରେ ମାତ୍ର ୩ କିଲୋମିଟର ଦୂରରେ ଅବସ୍ଥିତ କେନ୍ଦୁଝର ଜିଲ୍ଲାର ଅନ୍ୟଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ କାନଝାରୀ ଡ୍ୟାମ। ସବୁ ସମୟରେ ବିସ୍ତୃତ ଜଳରାଶି ଉପରେ ଦୂରଦୂରାନ୍ତରୁ ଆଗତ ପକ୍ଷୀଦଳ ଏଠାରେ ବାସୁଥାନ୍ତି। କେବେକେବେ ପାଖ ଜଙ୍ଗଲରେ ରହୁଥ‌ିବା ହାତୀପଲଙ୍କର ଜଳକ୍ରୀଡା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । କାନଝାରୀ ଡ୍ୟାମର ମନୋମୁଗ୍ଧକର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ମନ ଜିଣିଥାଏ। ପରିବେଶ ବିଜ୍ଞାନୀ, ଗବେଷକ, ଛାତ୍ରଛାତ୍ରୀମାନେ ଛୁଟିକାଟିବାକୁ ଏଠାକୁ ଆସିଥାନ୍ତି। ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟର ଭଣ୍ଡାର ଏହି କାନଝରୀ ନଦୀବନ୍ଧ ପର୍ଯ୍ୟଟନସ୍ଥଳର ବିକାଶ ପାଇଁ ସରକାରଙ୍କ ପର୍ଯ୍ୟଟନ ବିଭାଗ ତଥା ଜଙ୍ଗଲ ଓ ପରିବେଶ ବିଭାଗ ଦୃଷ୍ଟି  ଦେବାକୁ ଦାବି ହେଉଛି। ଜଳ ଭଣ୍ଡାରର ଉପର ମୁଣ୍ଡରେ ଶୈଳନିବାସ ପରି ଦୁଇଟି ଡାକବଙ୍ଗଳା ରହିଛି। ମୋଟାମୋଟି ଭାବେ ପ୍ରାକୃତିକ ପର୍ଯ୍ୟଟନର ଏକ ପ୍ରକୃଷ୍ଟ କ୍ଷେତ୍ର ହେଉଛି କାନଝାରୀ ଡ୍ୟାମ। ପର୍ଯ୍ୟଟକଙ୍କ ସଂଖ୍ୟା ତୁଳନାରେ ରହଣି ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବାବେଳେ ଗୋପାଳପୁର ଡାକ ବଙ୍ଗଳାକୁ ପୁନରୁଦ୍ଧାର କରାଯାଇ ଏ ଦିଗରେ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଶୀତଦିନେ ବଣଭୋଜି ପ୍ରବଳ ଜନସମାଗମ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ଜରୁରୀ ହୋଇପଡିଛି । ଡ୍ୟାମ ନିମ୍ନ ଭାଗରେ ଥିବା ନଦୀରେ କୌଣସି ପୋଲ ନଥିବାରୁ ଡ୍ୟାମ ଉପରେ ସମସ୍ତ ଯାନବାହାନ ଚଳାଚଳ କରୁଛି ପର୍ଯ୍ୟଟକଙ୍କ ବାରମ୍ବାର ଦାବି ପରେ ପାନୀୟ ଜଳର ବ୍ୟବସ୍ଥାରେ ସାମାନ୍ୟ ଉନ୍ନତିଘଟାଇ ପାକିଂ ମଝିରେ ଦୁଇଟି ନଳକୂଅ ସ୍ଥାପନ କରାଯାଇଛି । ଏଠାରେ ଏକ ପାର୍କ ନିର୍ମାଣ କରାଯାଇଥିବା ବେଳେ ବଣଭୋଜି ପାଇଁ ପର୍ଯ୍ୟଟକଙ୍କ ଭିଡ ଜମୁଛି। ଏହାକୁ ନୂଆ ରୂପ ଦିଆଯିବା ସହ ଜଳଭଣ୍ଡାରରେ ପେଡାଲ ବୋଟିଂ ବ୍ୟବସ୍ଥାର ପ୍ରଚଳନ ହେଲେ ପର୍ଯ୍ୟଟକମାନଙ୍କ ପାଇଁ ଅଧିକ ଆମୋଦଦାୟକ ହୋଇପାରନ୍ତା ବୋଲି ପର୍ଯ୍ୟଟକମାନେ ମତବ୍ୟକ୍ତ କରୁଛନ୍ତି । ରାତିରେ ଆଲୋକ ବ୍ୟବସ୍ଥା ଆଦୌ ନଥିବାରୁ ବଣଭୋଜି ସମୟରେ ଅସାମାଜିକ ଦୁର୍ବୁତ୍ତଙ୍କର ଦୈରାମ୍ୟ ବୃଦ୍ଧି ପାଉଛି। ନିକଟସ୍ଥ ଜଙ୍ଗଲରେ ଅନେକ ବିରଳ ପଶୁପକ୍ଷୀ ରହୁଥିବାରୁ ସେମାନଙ୍କର ଓ ଜଙ୍ଗଲର ସୁରକ୍ଷା ପାଇଁ ବନ ବିଭାଗର ଏକ ସ୍ବତନ୍ତ୍ର ବିଟ ଏଠାରେ ସ୍ଥାପନ କରାଯିବା ଜରୁରୀ। ତେବେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ କାନଝାରୀ ଡ୍ୟାମ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବାବେଳେ ଏଠାରେ ପରିବେଶ ପର୍ଯ୍ୟଟନର ବିକାଶ ପାଇଁ ପର୍ଯ୍ୟଟନ ବିଭାଗର ରାଜ୍ୟ ଓ ଜିଲ୍ଲା ପଦାଧିକାରୀ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
Nalco
Leave A Reply