ଵ୍ରହ୍ମପୁର, ୨୮/୧୧- ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ଡ. ଅରୁଣ କୁମାର ସାହୁ ଉକ୍ତ ମାମଲାର ଅଭିଯୁକ୍ତ ସିଏଚ. ଶ୍ୟାମସୁନ୍ଦର ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ତତ୍କାଳୀନ ସପ୍ଲାଇ ଇନ୍ସପେକ୍ଟର ଥିଲେ। ଜଜ ତାଙ୍କ ରାୟରେ ପ୍ରମାଣ ମିଳିଥିବାରୁ ଅଭିଯୁକ୍ତଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନଦେୟ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ପାଇଁ ମଧ୍ୟ ନିର୍ଦେଶ ରହିଛି।
ଘଟଣାରୁ ପ୍ରକାଶ ଯେ, ସିଏଚ ଶ୍ୟାମସୁନ୍ଦର ପାତ୍ର ୧୯୭୯ ମସିହା ନଭେମ୍ବର ୨୬ ତାରିଖରେ ଯୋଗାଣ ବିଭାଗରେ ମାର୍କେଟିଂ ଇନ୍ସପେକ୍ଟର ଭାବେ କାମ ଆରମ୍ଭ କରିଥିଲେ। ୨୦୦୮ ମସିହା ଡିସେମ୍ବର ୧୦ ତାରିଖରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତତ୍କାଳୀନ ସପ୍ଲାଇ ଇନ୍ସପେକ୍ଟର ଶ୍ୟାମସୁନ୍ଦର ପାତ୍ର ଙ୍କ ଘରେ ଭିଜିଲାନ୍ସ ଟିମ ଚଢଉ କରିଥିଲା। ସେହି ସମୟରେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୧୬ ଲକ୍ଷ ୮୨ ହଜାର ୧୨୦ ଟଙ୍କା ଆକଳନ କରାଯାଇଥିଲା। ଯାହାଫଳରେ ତାଙ୍କ ବିରୋଧରେ ୩୭/୦୮ ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଭିଜିଲାନ୍ସ ଇନ୍ସପେକ୍ଟର ଅନିଲ କୁମାର ପ୍ରଧାନ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। ମାମଲାର ବିଚାରଣା ବେଳେ ୨୭ଜଣ ସାକ୍ଷୀଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଥିଲା। ମଙ୍ଗଳବାର ରାୟ ପ୍ରକାଶ ବେଳେ ଅଭିଯୁକ୍ତ ଶ୍ୟାମସୁନ୍ଦର ପାତ୍ର କୋର୍ଟରେ ହାଜର ହୋଇଥିଲେ। ସାକ୍ଷୀ ମାନଙ୍କ ବୟାନ କୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।