ପାଂଚପୀଢ ,୪/୮: କରଞ୍ଜିଆ ସ୍ଥିତ ଅମ୍ବିକା ଆଲୁମିନିୟମ କାରଖାନାରୁ ଲକ୍ଷାଧିକ ଟଙ୍କାର ମେସିନ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଗତକାଲି ରାତିରେ ଚୋରି ହୋଇଥିବା ଲିଖିତ ଅଭିଯୋଗ କରିଛନ୍ତି କାରଖାନା ମାଲିକ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ୱଡ ନମ୍ବର ୧୨ ବାସିନ୍ଦା ମଥୁରା ପ୍ରସାଦ ଅଗ୍ରୱାଲ। ତେବେ ଏହି କାରଖାନାଟି ଅନେକ ବର୍ଷ ହେବ ବନ୍ଦ ହୋଇ ରହିଥିଲା। ମାତ୍ର କାରଖାନା ମାଲିକ ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟା ରେ ସେଠାକୁ ଯାଆନ୍ତି। ସେହିପରି ସେ ଆଜି ସକାଳୁ ମଧ୍ୟ କାରଖାନାକୁ ଯାଇ ଦେଖନ୍ତି ଯେ ଫାଟକ ଓ ଦ୍ୱାରର ତାଲା ଭଙ୍ଗା ହୋଇ ପଡ଼ିଛି ଏବଂ ଗଦି ଓ ତକିଆ ତଥା ଅନ୍ୟାନ୍ୟ ସାମଗ୍ରୀ ଇତସ୍ତତଃ ହୋଇ ପଡ଼ିଛି। ସେଠାରେ ଥିବା ଆଲୁମିନିୟମ ବାଲ୍ଟି,ଡେକ୍ଚି ନିର୍ମାଣ ପାଇଁ ବ୍ୟବହୃତ ହେଉଥିବା ନୂଆ ଆଲୁମିନିୟମ ପ୍ଲେଟ୍,ଗୋଲାଇ ପ୍ଲେଟ୍,ଫିଟିଙ୍ଗ ସାମଗ୍ରୀ ଏବଂ ଗୋଟିଏ କମ୍ପ୍ୟୁଟର ଓଜନ ମେସିନ ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ।ଚୋରି ବିଷୟରେ ସେ ଲିଖିତ ଏତଲା କରଞ୍ଜିଆ ଥାନାରେ ଦେଇଥିବା ଜଣାପଡିଛି। ଲିଖିତ ଏତଲାକୁ ଆଧାର କରି କରଞ୍ଜିଆ ପୋଲିସ ଥାନା ପକ୍ଷରୁ ଚୋରି ହୋଇଥିବା କାରଖାନାରେ ଏକ ପୋଲିସ ଦଳ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ସୂଚନା ଥାଉକି କରଞ୍ଜିଆ ସହରରେ ଚୋରଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଛି। ଅଳ୍ପ କିଛି ଦିନ ମଧ୍ୟରେ ସହରରେ ୮-୧୦ ଟି ସ୍ଥାନରେ ଚୋରି ହେଲାଣି। ହେଲେ ପୋଲିସ ଚୋରଙ୍କ ଟେର ପାଉନି। ତେଣୁ ଏଠାରେ ଲଗାଣ ବର୍ଷା ହେଉଥିଲେ ମଧ୍ୟ ସହରବାସୀ ଚୋରଙ୍କ ଭୟରୁ ରାତିରେ ଅନିଶ୍ଚିତତା ମଧ୍ୟରେ ଶୋଇବାକୁ ବାଦ୍ଧ ହେଉଛନ୍ତି ଏବଂ ପୋଲିସ ବିଭାଗ ପ୍ରତି ଥିବା ଆକ୍ରୋଶ ଭାଵ ବୃଦ୍ଧି ହେଉଥିବା ଶୁଣିବାକୁ ମିଳୁଛି।