ବ୍ରହ୍ମପୁର, ୧୯/୭ – ନକଲି ଡାକ୍ତର ଶୁଭ୍ରଜିତ୍ ପଣ୍ଡା ଗିରଫ ହେବା ପରେ ସମସ୍ତ ରେକର୍ଡ ସଂଗ୍ରହ କରୁଛି ବ୍ରହ୍ମପୁର ପୋଲିସ । ଥରେ ଜେଲ୍ ଯାଇ ଫେରିବା ପରେ ଶୁଭ୍ରଜିତ୍ ପୁଣି ରୋଗୀ ଚିକିତ୍ସା କରୁଥିଲେ । ତେଣୁ ସେ ବର୍ତ୍ତମାନ ଜେଲ୍ରୁ କିପରି ବାହାରିନପାରିବେ ସେଥିପାଇଁ କୋର୍ଟରେ ସମସ୍ତ ତଥ୍ୟ ପ୍ରମାଣ ଦାଖଲ କରିବାକୁ ପୋଲିସ ଉଦ୍ୟମ ଚଳାଇଛି । ସୋମବାର ଶୁଭ୍ରଜିତଙ୍କୁ ପୋଲିସ କୋର୍ଟଚାଲାଣ କରିଥିବା ବେଳେ କୋର୍ଟ ନିର୍ଦ୍ଦେଶ ପ୍ରକାରେ ସେ ଏବେ ବ୍ରହ୍ମପୁର ମଣ୍ଡଳକାରାଗାର( ଜେଲ୍)ରେ ଅଛନ୍ତି। ଶୁଭ୍ରଜିତ ସମସ୍ତ ସାର୍ଟିଫିକେଟ୍ ଜାଲ୍ କରିଥିଲେ ବୋଲି ପୋଲିସ ପ୍ରକାଶ କରିଛି । ତେଲେଙ୍ଗାନାର ହାଇଦ୍ରାବାଦ ଚିଲକାଲଗୁଡା ପୋଲିସ ଶୁଭଜିତ୍ଙ୍କୁ ୨୦୨୦ ଫେବ୍ରୁଆରୀ ୮ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେତେବେଳେ ଶୁଭ୍ରଜିତ୍ ଠାରୁ ଜବତ ହୋଇଥିଲା ତାଙ୍କ ନକଲି ଡାକ୍ତରୀ କାଗଜପତ୍ର । ସେ ଯେତେସବୁ ସାର୍ଟିଫିକଟ ରଖିଥିଲେ ଚିଲକାଲଗୁଡା ଥାନା ପୋଲିସ ସେସବୁକୁ ଜବତ କରି ସ୍ଥାନୀୟ କୋର୍ଟରେ ଦାଖଲ କରିଥିଲା । ସେହି ପ୍ରମାଣପତ୍ର ସେଠାରେ ଥିବା ବେଳେ ବର୍ତ୍ତମାନ ଶୁଭ୍ରଜିତ୍ଙ୍କ ଠାରୁ ବ୍ରହ୍ମପୁର ଦିଗପହଣ୍ଡି ଥାନା ପୋଲିସ ସମସ୍ତ ଜେରକ୍ସ ପ୍ରମାଣପତ୍ର ଜବତ କରିଛି। ଅନ୍ୟପକ୍ଷରେ ସେହି କେସ୍ ରେକର୍ଡ ମଧ୍ୟ ଦେବାକୁ ତେଲେଙ୍ଗାନା ପୋଲିସ ସହ ଆଲୋଚନା କରିଛନ୍ତି ବ୍ରହ୍ମପୁର ଏସ୍ପି ଡା.ସର୍ବଣା ବିବେକ ଏମ୍ । ନକଲି ଡାକ୍ତର ରାକେଟ୍ରେ କେବଳ ଶୁଭଜିତ୍ ଅଛନ୍ତି ନା ତାଙ୍କର କିଛି ସହଯୋଗୀ ମଧ୍ୟ ଅଛନ୍ତି ତାହାର ଏବେ ତନାଘନା କରୁଛି ପୋଲିସ।
