Odisha news

ବାଲି ବୋଝେଇ ଡମ୍ଫର ଧକ୍କାରେ ବାଇକ ଚାଳକଙ୍କ ଶୋଚନୀୟ ମୃତ୍ୟୁ

0

ବେତନଟୀ :  ବେତନଟୀ ଥାନା ଅଧୀନ କାଠପାଳ ନିକଟ ଖମାରୀ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ବାଲି ବୋଝେଇ ଡମ୍ଫର ଧକ୍କାରେ ଜନୈକ ବାଇକ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ବେତନଟୀ ତହସିଲର ଷ୍ଟାମ୍ପ ଭେଣ୍ଡର ତଥା ଖମାରୀ ଗ୍ରାମର ନିରଞ୍ଜନ ମହାନ୍ତ । ହସ୍ତଗତ ସୂଚନା ମୁତାବକ ନିରଞ୍ଜନ ନିଜର ପୁଅ ଗୁଣନିଧି ସହିତ ମୋଟର ସାଇକେଲ ଯୋଗେ ବେତନଟୀରୁ ସଉଦାପତ୍ର କିଣି ଘରକୁ ଫେରୁଥିଲେ । ତେବେ ଖମାରୀ ଗାଁ ପହଞ୍ଚିବା ପୂର୍ବରୁ ରାସ୍ତା ପାର୍ଶ୍ୱରେ ଗାଡି ଛିଡାକରି ପୁଅ ଗୁଣନିଧି ପରିସ୍ରା କରିବାକୁ ଯାଇଥିବା ବେଳେ ନିରଞ୍ଜନ ମୋଟରସାଇକେଲ ନିକଟରେ ଛିଡା ହୋଇଥିଲେ। ଏହି ସମୟରେ ଓଆର-୧୬ଡି- ୩୨୪୬ ନମ୍ବର ବିଶିଷ୍ଟ ବାଲି ବୋଝେଇ ଡମ୍ଫର ଚାଳକ ଦ୍ରୁତଗତିରେ ଓ ବେପରୁଆ ଭାବରେ ଗାଡି ଚଳାଇ ଆସି ନିରଞ୍ଜନଙ୍କୁ ଧକ୍କା ଦେଇଥିଲା । ଗୁରୁତର ନିରଞ୍ଜନଙ୍କୁ ଉଦ୍ଧାରକରି ପ୍ରଥମେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ନିରଞ୍ଜନଙ୍କୁ ବାରିପଦା ଜିଲ୍ଲାମୁଖ୍ୟ ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହିତ ପୁଲିସକୁ ଖବର ଦେଇଥିଲେ। ଏନେଇ ବେତନଟୀ ପୁଲିସ ଧକ୍କା ଦେଇଥିବା ବାଲି ବୋଝେଇ ଡମ୍ଫରକୁ ଜବତ କରିବା ସହିତ ୨୦୮/୨୩ ନଂରେ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି l

Leave A Reply