ସୋର, ୨୯/୪ : ଗତକାଲି ବିଳମ୍ବିତ ରାତିରେ ସୋର ପୌରପାଳିକା ଅନ୍ତର୍ଗତ କମରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ତିନୋଟି ସ୍କୁଲ ଏବଂ ଡ୍ରାଇଭର ମହାସଂଘ କାର୍ଯ୍ୟାଳୟରୁ ସିରିଜ ଚୋରି ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି. ଅଭିଯୋଗ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଚୋର ମାନେ କମରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚାବି ଭାଙ୍ଗି ଭିତରେ ପଶି ଗଡ଼ରେଜ ଚାବି ଭାଙ୍ଗି ଷାଠିଏ ହଜାର ଟଙ୍କା, ଦହିପୁରସ୍ଥିତ ପୁରୁଷୋତ୍ତମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚାବି ଭାଙ୍ଗି ପଚାଶ ହଜାର ଟଙ୍କା ସହ ସିସିଟିଭି ହାର୍ଡଡିସ୍କ ଚୋରି କରି ନେଇଯାଇଛନ୍ତି. ସେହିପରି ଚମ୍ପୋ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚାବି ଭାଙ୍ଗି ଚୋର ମାନେ ଭିତରେ ପଶିଥିଲେ ମଧ୍ୟ ନିରାଶ ହୋଇ ଫେରିଯାଇଛନ୍ତି. କିନ୍ତୁ ଦହିପୁରସ୍ଥିତ ଡ୍ରାଇଭର ମହାସଂଘ କାର୍ଯ୍ୟାଳୟ ତଥା ଟ୍ରକ ଡ୍ରାଇଭର, ହେଲ୍ପର, ଲେବର ୟୁନିୟନ ଅଫିସ ର ଚାବି ଭାଙ୍ଗି ଗଡ଼ରେଜରେ ଥିବା ଚାଳିଶ ହଜାର ଟଙ୍କା ଏବଂ ସିସିଟିଭିର ହାର୍ଡଡିସ୍କକୁ ଚୋରି କରି ନେଇଯାଇଛନ୍ତି. ସକାଳେ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଡ୍ରାଇଭର ମହାସଂଘ ସଭାପତି ଏ ବାବଦରେ ଜାଣିବା ପରେ ସୋର ଥାନାରେ ପୃଥକ ପୃଥକ ଭାବେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି. ପ୍ରତିଦିନ ସୋର ଅଞ୍ଚଳରେ ଚୋରି, ଡକାୟତି, ରାହାଜାନି ଭଳି ଘଟଣା ଘଟୁଥିବା ବେଳେ ଏବେ ବିଦ୍ୟାଳୟ ଉପରେ ଚୋରଙ୍କ ନଜର ପଡିଛି. ତେବେ ପୁଲିସର କାର୍ଯ୍ୟ କଳାପ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି.