Odisha news

ଶ୍ରୀମନ୍ଦିର ଫାଇଲ ଚୋରି ସଂକ୍ରାନ୍ତରେ କ୍ୟାପିଟାଲ ଥାନାରେ ଏଫଆଇଆର ଦେଲା ବିଜେପି

ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଫାଇଲ ଚୋରି : ବିଜେପି

0

ଭୁବନେଶ୍ୱର,ତା.୨୧/୦୪: ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଶ୍ରୀମନ୍ଦିରରେ ପ୍ରଥମେ ରତ୍ନଭଣ୍ଡାର ଚାବି ହଜିଯାଇଥିଲା ଏବେ ଓଡ଼ିଶା ସରକାରଙ୍କ ଲୋକସେବା ଭବନ ପରିସରରେ ଆଇନ ବିଭାଗରୁ ଶ୍ରୀଜଗନ୍ନାଥ ପ୍ରଶାସନ ସଂକ୍ରାନ୍ତୀୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ ଚୋରି ହଜିଯାଇଛି । ବାସ୍ତବରେ ସେ ଫାଇଲ ହଜିନାହିଁ ବଂର ରାଜ୍ୟ ସରକାର ନିଜେ ସେହି ଫାଇଲକୁ ନଷ୍ଟ କରିବାର ଷଡଯନ୍ତ୍ର କରିଛନ୍ତି । ରାଜ୍ୟ ସରକାରଙ୍କ ଜାଣିଶୁଣି ଏଭଳି ପରିସ୍ଥିତି ବାରମ୍ବାର ଘଟାଉଛନ୍ତି । ଆଇନ ବିଭାଗର ଫାଇଲ ଜେଟିଏ୫୫ ଅଫ ୨୦୦୬ ଓ ଜେଟି୦୬ ଅଫ ୨୦୧୪ ନିଖୋଜ ହୋଇଥିବା ଦର୍ଶାଇ ଖୋଜିବାର ଅପଚେଷ୍ଟା କରିଛନ୍ତି । ରାଜ୍ୟ ସରକାରଙ୍କ ଆଇନ ବିଭାଗର ଚିଠି ସଂଖ୍ୟା ୮୨୧୦ ଗତ ୧୮ରେ ସଂଲଗ୍ନ ହୋଇଛି । ଏହି ଫାଇଲରେ ବିଭିନ୍ନ କୋର୍ଟ, ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟର ନିଦେ୍ର୍ଦଶନାମାର କାର୍ଯ୍ୟକାରିତା ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି । ରାଜ୍ୟ ସରକାର ଉକ୍ତ ଫାଇଲକୁ ଗାଏବ କରି ହଜିଯାଇଥିବା ଦର୍ଶାଇ ତାକୁ ଖୋଜିବା ପାଇଁ ବୃଥା ଅପଚେଷ୍ଟା କରୁଛନ୍ତି । ଏନେଇ ଭାରତୀୟ ଜନତା ପାର୍ଟି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ପ୍ରତିନିଧିମଣ୍ଡଳୀ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରିଛନ୍ତି ।
ସୂଚନାଥାଉ କି, ରାଜ୍ୟ ସରକାର ଆଇନ ବିଭାଗର ଅଫିସରଙ୍କୁ ହାତ କରି ଶ୍ରୀଜଗନ୍ନାଥ ପ୍ରଶାସନର ତଥ୍ୟକୁ ଲୋକ ଲୋଚନରୁ ଦୂରେଇ ରଖିବା ସହ ଚୋରୀ ହୋଇ ଯାଉଛି ବୋଲି ଅପପ୍ରଚାର କରୁଛନ୍ତି । ରାଜ୍ୟ ସରକାର ଡ୍ରାମା ନକରି ତୁରନ୍ତ ସ୍ପଷ୍ଟ କରନ୍ତୁ ସେହି ହଜିଥିବା ଫାଇଲରେ କଣ ଥିଲା । ଜଗତର ନାଥ, କୋଟି କୋଟି ହିନ୍ଦୁମାନଙ୍କର ଆରାଧ୍ୟ ଠାକୁର, ଓଡିଶାବାସୀଙ୍କର ବିଶ୍ୱାସର ପ୍ରାଣକେନ୍ଦ୍ର ମହାପ୍ରଭୁ ଜଗନ୍ନାଥଙ୍କର ଫାଇଲବି ଏଠି ସୁରକ୍ଷିତ ନାହିଁ । ଏହି ସରକାର ବାରମ୍ବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅନ୍ୟାୟ କରୁଛନ୍ତି, ଭକ୍ତଙ୍କ ଭାବାବେଗ ସହିତ ଖେଳ ଖେଳୁଛନ୍ତି । ଓଡ଼ିଶା ସରକାରଙ୍କ ହୀନଚକ୍ରାନ୍ତକୁ ଅନୁସନ୍ଧାନ କରିବାର ଆବଶ୍ୟକତା ଅଛି । ଜଗନ୍ନାଥଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଭାରତୀୟ ଜନତା ପାର୍ଟି ଓଡ଼ିଶା ଶାଖା ମର୍ମାହତ ଅଛନ୍ତି । ଏନେଇ ହୀନ ଚକ୍ରାନ୍ତ କରିଥିବା ଓ ଫାଇଲ ଚୋରି କରିଥିବା ବ୍ୟକ୍ତିବିଶେଷ ଓ ଅଧିକାରୀମାନଙ୍କୁ ଅନୁସନ୍ଧାନ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର ଦାବି କରିଛନ୍ତି ।
ଏହି ଅବସରରେ ବିଧାୟକ ଡା.ବୁଧାନ ମୁର୍ମୁ, କେ.ନାରାୟଣ ରାଓ, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ମନୋଜ ମହାପାତ୍ର ଓ ଲିଗାଲ୍ ସେଲ୍ ଅଧ୍ୟକ୍ଷ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

 

 

Leave A Reply