ସୋର,୨୦/୪: ସୋର ପୌରପାଳିକାର ଭତ୍ତା ବଣ୍ଟନ,ଲାଇଟ ଏବଂ ଟିଉବୱେଲ ଆଦିର ସେବା ପ୍ରଦାନରେ ଅନିୟମିତତା ସମସ୍ୟାକୁ ନେଇ ସୋର ନଗର କଂଗ୍ରେସ ତରଫରୁ ଆଜି ସକାଳେ ସୋର ପୌରକାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଘଣ୍ଟିଆ ଧାରଣା ଦିଆଯାଇଥିଲା।ସୋର ନଗର କଂଗ୍ରେସ ସଭାପତି ରାଜେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏବଂ ହିତାଧିକାରୀ ଏହି ଧାରଣାରେ ବସିଥିଲେ । ପୂର୍ବରୁ ଭତ୍ତା ହିତାଧିକାରୀଙ୍କୁ ସହଜରେ ଭତ୍ତା ଟଙ୍କା ମିଳୁଥିବା ବେଳେ ବର୍ତମାନ ସମୟରେ ୩ /୪ ମାସ ହେଲା ଭତ୍ତା ପ୍ରଦାନରେ ବିଳମ୍ବ ତଥା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଆସୁ ନ ଥିବାରୁ ହିତାଧିକାରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କିଛି ବରିଷ୍ଠ ହିତାଧିକାରୀ ୭ ଶହ ଟଙ୍କା ବଦଳରେ ୫ ଶହ ଟଙ୍କା ପାଉଥିବା ନେଇ ହିତାଧିକାରୀମାନେ କ୍ଷୋଭ ପ୍ରକାଶ କରିଥିଲେ । ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଆଲୋକର ବ୍ୟବସ୍ଥା ହୋଇନଥିବା ବେଳେ ଅନେକ ସ୍ଥାନରେ ଦିନରେ ଲାଇଟ ଜଳୁଥିବା ବେଳେ ରାତିରେ ଲାଇଟ ଜଳୁନାହିଁ ।ଫଳରେ ପୌରବାସୀ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ପୌର ପାଳିକାରେ ଚୋରି ଛିନତାଇ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି ।ଖରା ଦିନରେ ପୌରାଞ୍ଚଳ ର ଅନେକ ସ୍ଥାନରେ ଥିବା ନଳକୂପ ଗୁଡିକ କାର୍ଯ୍ୟକ୍ଷମ ହେଉନାହିଁ ଯେଉଁଥିପାଇଁ ସହର ବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ସମସ୍ୟା ଗୁଡିକ ବାବଦରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ପୌର ଅଧିକାରୀ କିମ୍ବା ପୌର କର୍ତ୍ତୃପକ୍ଷ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗରେ ଆଜି ସୋର ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ସୋର ନଗର କଂଗ୍ରେସ ତରଫରୁ ଦୁଇଘଣ୍ଟିଆ ଧାରଣା ଦିଆଯାଇଥିଲା। ପରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତିରେ ପୋୖରାଧକ୍ଷ ମାଧବ ଧଡ଼ା ଧାରଣାସ୍ଥଳରେ ପହଂଚି ସମସ୍ୟା ବାବଦରେ ଅବଗତ ହୋଇ ତୁରନ୍ତ ସମାଧାନ କରିବେ ବୋଲି କହିବା ସହିତ ଏ ବାବଦରେ ଦାବୀପତ୍ର ଗ୍ରହଣ କରିଥିଲେ । ଏକ ମାସ ମଧ୍ୟରେ ଏହାର ସ୍ଥାୟୀ ସମାଧାନ ନ ହେଲେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ନଗର ସଭାପତି ତଥା ପାରିଷଦ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଏହି ଧାରଣାରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ବିଧାୟକ ସୁରେନ୍ଦ୍ର ପ୍ରସାଦ ପରମାଣିକ, ପାରିଷଦ ଜିତ୍ତରଞ୍ଜନ ମହାପାତ୍ର, ନିଶାକର ମହାନ୍ତି, ଅନିରୁଦ୍ଧ ମହାନ୍ତି ଗୌରାଙ୍ଗ ତ୍ରିପାଠୀ, ସନ୍ଦୀପ ସେଠୀ, ନଗର ଯୁବ କଂଗ୍ରେସ ସଭାପତି ଲଲାଟେନ୍ଦୁ ପଣ୍ଡା, ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ଜେନାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଏବଂ ହିତାଧିକାରୀମାନେ ଧାରଣାରେ ବସିଥିଲେ ।