Odisha news

ହିଙ୍ଗୁଳା ଲୋକ ମହୋତ୍ସବର ସପ୍ତମ ସଂଧ୍ୟା, ସମ୍ବଲପୁରୀ ନୃତ୍ୟରେ ଦର୍ଶକ ବିମୋହିତ

0

ତାଳଚେର ତା ୧୧/୦୪ ତାଳଚେର ବ୍ଲକ ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ପୀଠ ପରିସରରେ ଚାଲିଥିବା ୧୯ତମ ଲୋକମହୋତ୍ସବର ସପ୍ତମ ସନ୍ଧ୍ୟାରେ ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟବୋର୍ଡ ର ମ୍ୟାନେଜିଂ ଟ୍ରଷ୍ଟି ତଥା ତାଳଚେର ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ରଥ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ମହାନଦୀ କୋଇଲା କମ୍ପାନୀର ଅଧ୍ୟକ୍ଷ ଓମ୍ ପ୍ରକାଶ ସିଂହ,ସମ୍ମାନୀତ ଅତିଥି ଅଧ୍ୟକ୍ଷ ଶ୍ରୀ ସିଂହଙ୍କ ଧର୍ମପତ୍ନୀ ପଦ୍ମଜା ସିଂହ,କାର୍ମିକ ନିର୍ଦ୍ଦେଶକ କେଶବ ରାଓ,ଅର୍ଥ ବିଭାଗର ନିର୍ଦ୍ଦେଶକ ଅଜିତ୍ କୁମାର ବେଉରା,ଅର୍ଥ ବିଭାଗ ନିର୍ଦ୍ଦେଶକ ଶ୍ରୀ ବେଉରାଙ୍କ ଧର୍ମପତ୍ନୀ ରଶ୍ମିତା ବେଉରା,ହିଙ୍ଗୁଳା କୋଇଲା କ୍ଷେତ୍ରର ମହାପ୍ରବନ୍ଧକ ଅରୁଣ କୁମାର ସ୍ୱର୍ଣ୍ଣକାର,ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ଅଶୋକ କୁମାର ଧଳ,ଲିଙ୍ଗରାଜ କ୍ଷେତ୍ରର ମହାପ୍ରବନ୍ଧକ ଅଜୟ କୁମାର ଦେହୁରୀ,ତାଳଚେର କ୍ଷେତ୍ରର ମହାପ୍ରବନ୍ଧକ ଅରବିନ୍ଦ କୁମାର ସିଂହ,କଣିହାଁ କ୍ଷେତ୍ର ମହାପ୍ରବନ୍ଧକ କିଶୋର କୁମାର ରାଉଳ,ଭରତପୁର କ୍ଷେତ୍ରର ମହାପ୍ରବନ୍ଧକ ଦିବ୍ୟ ଜୀବନ ସିଂହ ଓ ହିଙ୍ଗୁଳା କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ଅଜୟ କୁମାର ସିଂହ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ଓମ୍ ପ୍ରକାଶ ସିଂହ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସେ ଓଡିଆ ଭାଷାରେ ସମସ୍ତ ଦର୍ଶକଙ୍କୁ ଅଭିନନ୍ଦନ ଜଣାଇବା ସହ ମା ହିଙ୍ଗୁଳାଙ୍କ ଆଶିର୍ବାଦ ସମସ୍ତଙ୍କ ଉପରେ ଅଛି ବୋଲି କହିଥିଲେ ।

ଏହି ଅବସରରେ ଅନୁଗୋଳ ତଥା ତାଳଚେରରେ ଏମସିଏଲ୍ ପକ୍ଷରୁ କରାଯାଉଥିବା ବିଭିନ୍ନ ଲୋକକଲ୍ୟାଣ କାର୍ଯ୍ୟ ସମ୍ବଦ୍ଧରେ ବିସ୍ତୃତ ବିବରଣୀ ଦେବା ସହିତ  ଗତ ଛଅ ବର୍ଷ ମଧ୍ୟରେ ପାରିପାଶ୍ୱିର୍କ ଉନ୍ନୟନ ନିମନ୍ତେ ଅନୁନ୍ୟ ୯୬୦ କୋଟି ଟଙ୍କା ସିଏସ୍‌ଆର୍ ମାଧ୍ୟମରେ ଖର୍ଚ୍ଚ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ଏମ୍‌ସିଏଲ୍ ୧୨୫୧ କୋଟି ଟଙ୍କା ଖର୍ଚ୍ଚ କରି ସାରିଛି ବୋଲି ଶ୍ରୀ ସିଂହ ପ୍ରକାଶ କରିଥିଲେ । ଏ ଅଂଚଳର ବିକାଶ ପାଇଁ ଶିକ୍ଷା,ସ୍ୱାସ୍ଥ୍ୟ,ଜଳ,ପରିମଳ,ପର୍ଯ୍ୟାବରଣର ସୁରକ୍ଷା ପାଇଁ ଏମସିଏଲ୍ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି ବୋଲି ସେ ମତପ୍ରକାଶ କରିଥିଲେ ।

ତାଳଚେର ଦେଉଳବେଡାର ନଟରାଜ କଳା ଏକାଡେମୀର  କଳାକାରମାନଙ୍କ ଦ୍ୱାରା ପରିବେଷିତ ‘ଭାବର ଲହରୀ ମା’ ସମଲେଇ’,ଗୋବରା ଏଫ୍‌ଏନ୍‌ଜି ଡ୍ୟାନ୍ସ ଗ୍ରୁପର କଳାକାରମାନଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ନୃତ୍ୟ ‘ଡାଲଖାଇ’ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସେହିପରି କେନ୍ଦ୍ରପଡାର ସର୍ବବୃହତ ମଂଚ ଗଡମେକର ଅନୁଷ୍ଠାନ ପକ୍ଷରୁ ‘ନବଦୁର୍ଗା’ ଶୀର୍ଷକ ଓଡଶୀ ନୃତ୍ୟ  ଆଜି ସନ୍ଧ୍ୟାର ଅନ୍ୟତମ ଆକର୍ଷଣ ଥିଲା । ତାହାସହିତ ମଧ୍ୟପ୍ରଦେଶର ଲୋକରଞ୍ଜନ ଏକାଡେମୀର କଳାକାରମାନଙ୍କ ଦ୍ୱାରା ପରିବେଷିତ ଲୋକନୃତ୍ୟ  ‘ନୋଟ୍ରା’ଦର୍ଶକମାନଙ୍କର ମନକୁ ଜିଣବାରେ ସକ୍ଷମ ହୋଇଥିଲା । ବରଗଡର ଟିକେଶ୍ୱରୀ ଲୋକକଳା ଏକାଡେମୀର ଧୁଡୁକି ନୃତ୍ୟ ଓ ତାଳଚେର ସାଉଥବଲଣ୍ଡାର ନୃତ୍ୟଶ୍ରୀଧାରାର କଳାକାରମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣରେ ଦର୍ଶକ ବିଭୋର ହୋଇଥିଲେ । କାର୍ଯ୍ୟକ୍ରମକୁ ସଞ୍ଜୀବ ପଟ୍ଟନାୟକ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଟ୍ରଷ୍ଟବୋର୍ଡର ସମସ୍ତ ସଦସ୍ୟ  ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply