ଜାଲ୍ ନିଯୁକ୍ତିଧାରୀଙ୍କୁ ନିର୍ବାଚନ ସମୟରେ ଦଳୀୟ ଭୋଟ କରାଇବା କାର୍ଯ୍ୟରେ ବ୍ୟବହାର କରୁଛି ଶାସକ ବିଜେଡି : ଗୋଲକ ମହାପାତ୍ର
ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ନିଦେ୍ର୍ଦଶରେ ଚାଲିଛି ଜାଲ୍ ସାର୍ଟିଫିକେଟ ଓ ନିଯୁକ୍ତି ପ୍ରକ୍ରିୟା
ନକଲି ସାର୍ଟିଫିକେଟର ଚେର ବହୁ ଲମ୍ବା
ବିଜେଡି ଶାସନରେ ସଂପୂର୍ଣ୍ଣ ନକଲି ଶାସନ ବ୍ୟବସ୍ଥା ଚାଲିଛି
ଦୁର୍ନୀତିରେ ସଂଶ୍ଳିଷ୍ଟ ଥିବା ଶାସକ ବିଜେଡିର ବହୁ ନେତାଙ୍କ ତଥ୍ୟପ୍ରମାଣକୁ ନଷ୍ଟ କରିବା ପାଇଁ ଜାଣିଶୁଣି ତଦନ୍ତ ପ୍ରକ୍ରିୟାକୁ ବିଳମ୍ବ କରାଯାଉଛି
ନକଲି ସାର୍ଟିଫିକେଟ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରନ୍ତୁ ରାଜ୍ୟ ସରକାର
ଭୁବନେଶ୍ୱର, ତା.୧୧/୦୪: ନକଲି ଔଷଧ, ଘିଅ, ତେଲ, ଚାଉଳ, ଅଣ୍ଡା, ଟମାଟୋ ସସ୍ ପ୍ରସ୍ତୁତରେ ଓଡିଶା ଆଜି ପ୍ରଥମ ସ୍ଥାନ ଅଧିକାର କରିସାରିଛି । ସେହିପରି ନକଲି ଶିକ୍ଷକ, ଡାକ୍ତର, ଅଙ୍ଗନବାଡି କର୍ମଚାରୀ, ବନବିଭାଗ କର୍ମଚାରୀ ନିଯୁକ୍ତି ଆଜି ଚର୍ଚ୍ଚାର ବିଷୟ ପାଲଟିଛି । ରତ୍ନଭଣ୍ଡାର ଚାବି, ୫-ଟି ବିଭାଗ ମଧ୍ୟ ନକଲି । ଯେଉଁ ଜାଗାରେ ହାତ ମାରିଲେ ସବୁଠି ନକଲି, କିଛି ଅସଲି ନାହିଁ । ବର୍ତମାନ ଏହି ନକଲି ପୃଷ୍ଟାରେ ଶିକ୍ଷାଗତ ସାର୍ଟିଫିକେଟ ଯୋଡି ହୋଇଯାଇଛି । ଫଳରେ ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀ, ତାଲିମପ୍ରାପ୍ତ ଯୁବତୀ, ଯୁବକ ନିଯୁକ୍ତି ପାଇବାରୁ ବଂଚିତ ହୋଇଛନ୍ତି । ବିଜେଡି ଶାସନରେ ସଂପୂର୍ଣ୍ଣ ନକଲି ଶାସନ ବ୍ୟବସ୍ଥା ଚାଲିଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, “ଓଡ଼ିଶାରେ ଅପରାଧୀମାନଙ୍କ ବଳ ବିଜୁ ଜନତା ଦଳ” । ବର୍ଷ ବର୍ଷ ଧରି ଜାଲ ସାର୍ଟିଫିକେଟ ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଥିବା ର୍ୟାକେଟର ମୁଖ୍ୟ ମନୋଜ ଦାଶ ହେଉଛନ୍ତି ଶାସକ ବିଜେଡିର ଆଇଟି ସେଲ୍ର ପୂର୍ବତନ ବଲାଙ୍ଗୀର ଜିଲ୍ଲା ମୂଖ୍ୟ । ମନୋଜଙ୍କ ସହ ବିଜୁ ଜନତା ଦଳର ବଡ ବଡ ପୁରୁଖା ନେତା ଓ ମନ୍ତ୍ରୀଙ୍କ ଫଟୋ ରହିଛି । ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, ବର୍ତମାନର ହାଉସିଂ ବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ, ସ୍ୱର୍ଗତ ନବ ଦାସ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଫଟୋ ରହିଛି । ବିଜେଡି ଦଳରେ ରହି ମନୋଜ ଦାଶ ତାର ସହଯୋଗୀ ଜାଲ ସାର୍ଟିଫିକେଟ ପ୍ରସ୍ତୁତ କରୁଥିଲେ । ରାଜ୍ୟରେ ବର୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ନକଲି ସାର୍ଟିଫିକେଟର ଚେର ବହୁ ଲମ୍ବା ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ନକଲି ସାର୍ଟିଫିକେଟ ଘଟଣା ଧରାପଡିବାର ଆଜିକୁ ୧୭-୧୮ ଦିନ ବିତିଗଲାଣି । ବର୍ତମାନ ସୁଦ୍ଧା କେତେ ଜଣଙ୍କୁ ଗିରଫ କରାଗଲା, କେତେ ଜଣଙ୍କୁ ଛାଡି ଦିଆଗଲା, କିଏ କିଏ ସଂପୃକ୍ତ ଅଛନ୍ତି, ଏହାର ଖୁଲାସା କରାଗଲା ନାହିଁ । ବାହାର ରାଜ୍ୟକୁ କାହିଁକି ଯାଇନାହାନ୍ତି ? ମାତ୍ର ୨ ଜଣଙ୍କ ଭିତରେ ତଦନ୍ତ ସୀମିତ ହୋଇ ରହିଛି । ପ୍ରଥମେ ବଲାଙ୍ଗୀର ପୋଲିସ ତଦନ୍ତ କରୁଥିବାବେଳେ ରାଜ୍ୟ ସରକାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ଦେଲେ । ଜାଣିଶୁଣି ତଦନ୍ତ ପ୍ରକ୍ରିୟାକୁ ବିଳମ୍ବ କରାଯାଉଛି । ଏହା ଦ୍ୱାରା ଜାଲ୍ କାରବାରରେ ସଂଶ୍ଳିଷ୍ଟ ଥିବା ଶାସକ ବିଜେଡିର ବହୁ ନେତା ତଥ୍ୟପ୍ରମାଣକୁ ନଷ୍ଟ କରିବାରେ ସଫଳ ହୋଇପାରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ନକଲି ସାର୍ଟିଫିକେଟ ଦେଇ ବୌଦ୍ଧ ଜିଲ୍ଲାର ଜଣେ ଅଙ୍ଗନୱାଡି କର୍ମୀ ଧରାପଡିଛନ୍ତି । ବାଲେଶ୍ୱର ଜିଲ୍ଲା ସୋରରେ ଜଣେ ଶିକ୍ଷୟତ୍ରୀ ଓ ମୟୂରଭଞ୍ଜରେ ୧୪୨ଜଣ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି । ଶିକ୍ଷକ ନିଯୁକ୍ତି ପୂର୍ବରୁ ସାର୍ଟିଫିକେଟ୍ ଯାଂଚ ପାଇଁ ଶିକ୍ଷା ବିଭାଗ ୬ ଥର ତାଗିଦ କରିଛି । କିନ୍ତୁ ଦାୟିତ୍ୱରେ ଥିବା ବିଇଓ, ଡିଇଓ ଏବଂ ଅନ୍ୟାନ୍ୟ ଶିକ୍ଷା ବିଭାଗ ଅଧିକାରୀ କାହିଁକି ଯାଂଚ କରୁନଥିଲେ । ବାସ୍ତବରେ ଓଡ଼ିଶାରେ ବିଜେଡି ସରକାର ନକଲି ନିଯୁକ୍ତିକୁ ପ୍ରୋତ୍ସାହନ ଦେଉଛନ୍ତି । ସେମାନଙ୍କୁ ଶାସକ ବିଜେଡି ନିର୍ବାଚନ ସମୟରେ ଦଳୀୟ ଭୋଟ କରାଇବା କାର୍ଯ୍ୟରେ ବ୍ୟବହାର କରୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଡାକ୍ତର ନିଯୁକ୍ତି କ୍ଷେତ୍ରରେ ସଠିକ ଯାଂଚ କରିବା ପାଇଁ ସର୍ଭେ କରିବାକୁ ଗତ ଜାନୁୟାରୀ ମାସରେ ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ତା’ପରେ ବି ରାଜ୍ୟ ସରକାର କୌଣସି ପଦକ୍ଷେପ ଗହଣ କରିଲେ ନାହିଁ । ୨୦୨୧ ଅଗଷ୍ଟରେ ଜାଲ୍ ପ୍ରମାଣପତ୍ରରେ କନିଷ୍ଠ ରାଜସ୍ୱ ସହାୟକ(ଜେଆରଏ) ନିଯୁକ୍ତିକୁ ନେଇ ଅଭିଯୋଗ ହୋଇଥିଲା । କିନ୍ତୁ କାର୍ଯ୍ୟାନୁଷ୍ଠାନତ ଦୂରର କଥା, ଦେଢ଼ବର୍ଷ ପରେ ବି ପ୍ରଶାସନ ତାର ତଦନ୍ତ କରୁନାହାନ୍ତି । ଏଥି ପାଇଁ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ନିଦେ୍ର୍ଦଶ ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
୨୦୧୦ରୁ ୨୦୨୨ ଭିତରେ ୨୯୫ଟି ମାମଲା ତଦନ୍ତ କରିଛି କ୍ରାଇମବ୍ରାଂଚ । କ୍ରାଇମବ୍ରାଂଚର ପାରିବା ପଣିଆକୁ ବିଧାନସଭାରେ ରାଜ୍ୟ ସରକାର ଖୋଦ୍ ସ୍ୱୀକାର ମଧ୍ୟ କରିଛନ୍ତି । ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡକୁ ୭୨ଦିନ ବିତିଥିଲେ ବି ହତ୍ୟାକାଣ୍ଡର କାରଣ ସଂପର୍କରେ କ୍ରାଇମବ୍ରାଂଚ ଜବାବ୍ ଦେଇପାରିଲା ନାହିଁ । ସେହିପରି ପରୀ, ମମିତା ଭଳି ଜଘନ୍ୟ ହତ୍ୟାକାଣ୍ଡର ଖୁଲାସା କରିପାରିଲା ନାହିଁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ । ବରଂ ଓଡ଼ିଶାରେ ଘଟିଯାଉଥିବା ଜଘନ୍ୟ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଶାସକ ବିଜେଡିର ନେତା ଓ ମନ୍ତ୍ରୀଙ୍କୁ ଖସାଇ ଦେବାର ଦାୟୀତ୍ୱ ନେଇଛି କ୍ରାଇମବ୍ରାଂଚ ।
ମହାଡାକପାଡ ଯଦି ଜାଲ୍ ସାର୍ଟିଫିକେଟ୍ ଜାଣିପାରିନଥାନ୍ତେ ତାହାଲେ ଏହି ଘଟଣା ଜନତାଙ୍କ ସାମ୍ନାକୁ ଆସିନଥାନ୍ତା । ମହାଡାକପାଡ ସିବିଆଇ ଇନ୍କ୍ୱାରୀ କରିବାକୁ କହିଛନ୍ତି । ଏହି ଜାଲ୍ ସାର୍ଟିଫିକେଟ ମାମଲାରେ ବଲାଙ୍ଗିରର ବିଜେଡି କର୍ମୀଠୁ ଆରମ୍ଭ କରି ସେକ୍ରେଟେରୀଏଟ୍ର ବଡବାବୁ ପର୍ଯ୍ୟନ୍ତ ସାମିଲ ଅଛନ୍ତି । ଓଡ଼ିଶାରେ ନକଲି ତଦନ୍ତ କରୁଥିବା ସଂସ୍ଥା କ୍ରାଇମବ୍ରାଂଚ ଏହି ଘଟଣାର ସଠିକ୍ ତଦନ୍ତ କେବେହେଲେ କରିପାରିବ ନାହିଁ । ତେଣୁ ନକଲି ସାର୍ଟିଫିକେଟ୍ ଏବଂ ନିଯୁକ୍ତି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ଉମାକାନ୍ତ ପଟ୍ଟନାୟକ ଓ ଅନିଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।