ନୂଆ ନିୟମରେ ଘାଣ୍ଟି ହେଉଛନ୍ତି ଦିବ୍ୟାଙ୍ଗ। ବାଲିପାଟଣା ୧୦/୦୪ ( ସ ବ୍ୟୁ ) ରାଜ୍ୟ ସରକାର ବରିଷ୍ଠ ନାଗରିକ, ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ , ଅସହାୟ ବିଧବା ମହିଳାଙ୍କୁ ସହଜ ସୁବିଧାରେ ଭତ୍ତା ପ୍ରଦାନ କରିବା ପାଇଁ ନୂତନ ନିୟମ ଡିବିଟି ଲାଗୁ କରିଥିଲେ।କିନ୍ତୁ ଏହି ଯୋଜନା ସଫଳ ରୂପାୟନ କରିବା ପାଇଁ ଥିବା ଅଧିକାରୀ ମାନଙ୍କର ଅଣ ଦେଖାରୁ ବହୁ ହିତାଧିକାରୀ ବଞ୍ଚିତ ହେଉଥିବା ବେଳେ ବହୁ ଦିବ୍ୟାଙ୍ଗ ଏଥିରୁ ବଞ୍ଚିତ ହେଉଛନ୍ତି। ବାଲିପାଟଣା ବ୍ଲକର ୧୭ ଟି ପଞ୍ଚାୟତରୁ ୭୪୫୩ ଭତ୍ତା ହିତାଧିକାରୀଙ୍କ ମଧ୍ୟରୁ ୪୫୧୨ ଜଣଙ୍କୁ ସରକାରଙ୍କ ଡି ବି ଟି ସ୍କିମ୍ (ସିଧାସଳଖ ବ୍ୟାଙ୍କ ଜମା ଖାତା) କୁ ଯିବା ବ୍ୟବସ୍ଥା ହୋଇଅଛି। ସେଥିମଧ୍ୟରୁ ଫେବ୍ରୁଆରୀ ମାସରେ ୧୪୨୯ ଜଣଙ୍କର ଜମା ଖାତାକୁ ଯାଇ ନ ଥିଲା। ପରେ ସେମାନଙ୍କୁ ଏହି ମାସରେ ନିଜ ନିଜର ପଞ୍ଚାୟତରେ ହାତରେ ପଇସା ଦେବାର ବ୍ୟବସ୍ଥା କରାଯାଇଥିଲା।
ଯାହା ଫଳରେ ଥରେ ସେମାନଙ୍କର ବ୍ୟାଙ୍କ ଖାତାକୁ ଏବଂ ଆଉ ଗୋଟିଏ ମାସରେ ପଞ୍ଚାୟତରୁ ନେଉଛନ୍ତି। ଏହି ପ୍ରକ୍ରିୟା ଦ୍ୱାରା ନିରୀହ ଗରିବ , ଅସହାୟ, ଭିନ୍ନକ୍ଷମ ଲୋକ ଏପଟ ସେପଟ ହୋଇ ବହୁତ ହଇରାଣ ହେଉଛନ୍ତି। କିଛି ଲୋକଙ୍କ ଖାତାକୁ ପଇସା ଯାଇନଥିଲେ ବି ସରକାରୀ ପ୍ରକ୍ରିୟାରେ ଡିବିଟି ଲିଷ୍ଟରେ ତାଙ୍କ ନାମ ରହୁଛି। ବହୁତ ଲୋକ ଗୋଟିଏ ଜମା ଖାତା ଦେଇଥିଲେ ବି ସେମାନଙ୍କର ଆଉ ଗୋଟିଏ ଖାତାକୁ ପଇସା ଯାଉଛି। କବିତା ଲେଙ୍କା ନାମ୍ନୀ ଅନ୍ଧ ମହିଳା, ଯାହାଙ୍କର ସ୍ୱାମୀ ବି ଅନ୍ଧ ସେମାନେ ଏହି ଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରୀ କ୍ଷେତ୍ରରେ ତାଙ୍କର DBT ହୋଇଥିବା ଦେଖାଉଥିଲେ ବି ସେମାନଙ୍କର କୌଣସି ଜମା ଖାତାକୁ ପଇସା ଯାଉ ନାହିଁ। ଫଳରେ ଅନ୍ଧ ଦମ୍ପତି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଚାରିଲେ ସେ କହୁଛନ୍ତି ସବୁ ଠିକ ହୋଇଯିବ ।
କିନ୍ତୁ ବାସ୍ତବିକ କ୍ଷେତ୍ରରେ ଦେଖିବାକୁ ଗଲେ ଏସି ତଳେ ବସି ଯୋଜନା କରି ଦେଉଥିବା ସରକାରଙ୍କ ବଡ଼ ପଣ୍ଡା ମାନେ କେବେ ବି ତଳ ସ୍ତରର କର୍ମଚାରୀ କି ହିତାଧିକାରୀଙ୍କ କଥା ବୁଝୁନାହାନ୍ତି। ସରକାର ଘୋଷଣା କରିଥିଲେ ଯେ ବ୍ୟାଙ୍କଙ୍କୁ ସବୁ ପ୍ରକାର ସହଯୋଗ କରିବା ପାଇଁ ଅଧିକାରୀମାନେ ସବୁ ମାସରେ ଯାଇକି ପଞ୍ଚାୟତରେ କିମ୍ବା ଶଯ୍ୟାଶାୟୀମାନଙ୍କୁ ସେମାନଙ୍କ ଘରେ ଦେବା ବ୍ୟବସ୍ଥା ଥିଲେ ମଧ୍ୟ ବାଲିପାଟଣାରେ ତାହାର ବ୍ୟତିକ୍ରମ ଘଟୁଛି। ବାଲିପାଟଣା ବ୍ଲକ କନିଷ୍ଠ ସହାୟକ ସଂଗ୍ରାମ କେଶରୀ ଦାସ ଏବଂ ସାମାଜିକ ସୁରକ୍ଷା ଅଧିକାରୀ ଦିବ୍ୟଜ୍ୟୋତି ଭୁତିଆ କୁହନ୍ତି ଏସବୁ ସମସ୍ୟା ସାମୟିକ ଭାବେ ହୋଇଛି, ଖୁବ୍ କମ୍ ସମୟ ମଧ୍ୟରେ ଦୁର କରିବା ପାଇଁ ପ୍ରୟାସ ଜାରି ରହିଛି। ସେ ଆସିବା ଦିନ ଠାରୁ ଯଦିଓ ଲୋକଙ୍କ ସମସ୍ୟା ବହୁ ଭାବରେ ଦୂର ହୋଇଛି କିନ୍ତୁ ଏହି ଭଳି ଗୁରୁତର ସମସ୍ୟାକୁ ସମଧାନ କରାଗଲେ ଆଗାମୀ ଦିନରେ ବହୁ ଅସହାୟ ଭିନ୍ନକ୍ଷମ ହିତାଧିକାରୀ ଏ ଭଳି ଅସୁବିଧାର ସମ୍ମୁଖୀନ ହେବେ ନାହିଁ।