ଵ୍ରହ୍ମପୁର , ୪/୪- ଏସିଜେଏମ ଅଲେଖ କୁମାର ପ୍ରଧାନ ସୋମବାର ଏକ ହତ୍ୟା ଉଦ୍ୟମ ମାମଲାର ଶୁଣାଣି କରି ପ୍ରମାଣ ଅଭାବରୁ ସେ ଗୋଳନ୍ଥରା ଥାନା ଅନ୍ତର୍ଗତ ମଦନମୋହନପୁର ଗ୍ରାମର ସିଏଚ. ଜଗା ପାତ୍ର ଓ ଟି.ରାମେୟା ପାତ୍ରଙ୍କୁ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି।। ଘଟଣାରୁ ପ୍ରକାଶ ଯେ, ଏକ ଘରର ଚାରି ପାର୍ଶ୍ୱ( ହଦ )ଚିହ୍ନଟ ପାଇଁ ଡ଼ି.ଆଦେୟା ପାତ୍ରଙ୍କ ସହ ଟି. ରାମେୟା ପାତ୍ର ଓ ସି ଏଚ . ଜଗା ପାତ୍ରଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା। ଗତ ୨୦୨୧ ଅଗଷ୍ଟ ୮ ତାରିଖ ଉକ୍ତ ଜାଗା ଉପରେ ଆଦେୟା ଠିଆ ହୋଇଥିବା ବେଳେ ରାମେୟା ଓ ଜଗା ସେଠାରେ ପହଞ୍ଚିଥିଲେ । ପୂର୍ବ ବିବାଦକୁ କେନ୍ଦ୍ରକରି ଉଭୟ ରାମେୟା ଓ ଜଗା ଘଟଣାସ୍ଥଳରେ ଆଦେୟା ଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ପରେ ଆଦେୟା ଏନେଇ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ରାମେୟା ଓ ଜଗାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସେମାନେ ଜାମିନରେ ଛାଡ଼ ପାଇଥିଲେ। ଉକ୍ତ ମାମଲାର ବିଚାରଣା ବେଳେ ୮ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସୋମବାର ଉକ୍ତ ମାମଲାର ରାୟ ପ୍ରକାଶ ବେଳେ ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସାକ୍ଷୀ ମାନଙ୍କ ବୟାନ କୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳିନଥିବାରୁ ଏସିଜେଏମ ତାଙ୍କର ଚୂଡାନ୍ତ ରାୟରେ ସେମାନଙ୍କୁ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ଭି.ପ୍ରସନ୍ନ କୁମାର ପାତ୍ର ଓ ମୁଦୁଲାଙ୍କ ପକ୍ଷରୁ ଆଇନଜୀବୀ ପ୍ରଦୀପ କୁମାର ମହାପାତ୍ର ଓ ତାଙ୍କ ସହଯୋଗୀ ଶ୍ରୀମନ୍ତ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।