ବେତନଟୀ : ମଙ୍ଗଳବାର ମଧ୍ୟାହ୍ନରେ ୧୮ନଂ ଜାତୀୟ ରାଜପଥର କଚିମବିଲା ନିକଟରେ ସଡକ ଦୁର୍ଘଟଣାରେ ଜଣେ ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ କେଶବ ଚନ୍ଦ୍ର ସାହୁ(୬୩)ଙ୍କର ମୃତ୍ୟୁ ଘଟିଛି । ବେତନଟୀ ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣା ଗ୍ରସ୍ତ ଗାଡି ଜବତ କରି ତଦନ୍ତ ଚଳାଇଛି । ନିଜ ସ୍କୁଟିରେ ସେ ତାଙ୍କର ପୁରାତନ ସ୍କୁଲ ସୁରେଇଡିହି ସ୍ଥିତ ଶ୍ରୀରାମଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ଯାଇ ପିଲାମାନଙ୍କୁ ବିଜ୍ଞାନ ପାଠ ପଢାଇ ଫେରୁଥିବା ବେଳେ ବାରିପଦା ପଟୁ ବାଲେଶ୍ବର ଅଭିମୁଖେ ଦ୍ରୃତ ବେଗରେ ଯାଉଥିବା ଏକ ଟୟୋଟା କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଶିକ୍ଷକ ଜଣେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ । ସେ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଜ୍ଞାନ ପରିଦର୍ଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଭୀମଦା, ଗୁଡିଆଲବନ୍ଧ ଓ ସୁରେଇଡିହି ହାଇସ୍କୁଲରେ ସେ ପ୍ରଧାନ ଶିକ୍ଷକତା କରି ୨୦୧୯ମସିହାରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଜିଲ୍ଲା ଶିକ୍ଷା ମହଲରେ ଶୋକ ଖେଳିଯାଇଛି । ମୟୂରଭଞ୍ଜ ଜିଲ୍ଲା ଓଷ୍ଟା ସଂଘ, ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ସଂଘ, ପେନସନର ସଂଘର କର୍ମକର୍ତ୍ତା ମେଡିକାଲରେ ପହଞ୍ଚି ଶେଷଦର୍ଶନ କରୁଛନ୍ତି । ସ୍ବର୍ଗତ ଶିକ୍ଷକଙ୍କ ପତ୍ନୀ ଓ ସାନଝିଅଙ୍କ ପୂର୍ବରୁ ଅକାଳ ମୃତ୍ୟୁ ଘଟିଥିବା ବେଳେ ବଡଝିଅ ବିବାହିତ । ସେ ବିଶୋଇ ଏସଏସଡି ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ଜୋଇଁ ବ୍ୟାଙ୍କ ଅଫିସର । ଉଭୟେ ବାପାଙ୍କ ଚକ୍ଷୁଦ୍ବୟକୁ ଚକ୍ଷୁ ଭଣ୍ଡାରକୁ ଦାନ କରିଛନ୍ତି ।