Odisha news

ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ପୁଲିସ ଉପରକୁ ବୋମା ମାଡ ନିଷ୍କ୍ରିୟ କରୁଥିବା ବେଳେ ଫୁଟିଗଲା ବୋଲା, ଟିମ ସଦସ୍ୟ ଆହାତ

୩ ଅପରାଧୀ ଓ ୨ ମହିଳା ଅଟକ

0

ବ୍ରହ୍ମପୁର,୧୫ା୩: ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ପୁଲିସ ଉପରକୁ ବୋମା ମାଡ ହୋଇଛି ା ବ୍ରହ୍ମପୁର ପୁଲିସ ଜିଲା ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ରବିହାର ଅଞ୍ଚଳରେ ଥିବା ଏକ ଘର ଭିତରେ ଆଜି ଅପରାହ୍ନରେ ଏହି ଘଟଣା ଘଟିଛି ା ସେହିଘରୁ ୩ ଜଣ ଅପରାଧୀଙ୍କ ସହ ୨ ଜଣ ମହିଳାଙ୍କୁ କାବୁ କରାଯାଇଛି ା ସନ୍ଧ୍ୟାରେ ପୁଲିସର ବୋମା ନିଷ୍କ୍ରିୟକାରୀ ଟିମ ଉକ୍ତ ଘର ଭିତରକୁ ଯାଇ ବୋମା ନିଷ୍କ୍ରିୟ କରୁଥିବା ବେଳେ ଗୋଟିଏ ବୋମା ଫୁଟିଯିବାରୁ ଟିମର ଜଣେ ସଦସ୍ୟ ଆହତ ହୋଇଛନ୍ତି ା
ଗତକାଲି ବିଳମ୍ବିତ ରାତିରେ ବଡବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ୭ମ ଲାଇନରେ ସୁରେଶ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ବୋମା ମାଡ ହୋଇଥିଲା ା ଦେହ ବ୍ୟବସାୟକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଘର ଉପରେ ବୋମା ଫିଙ୍ଗିଥିବା ଶୁଣିବାକୁ ମିଳିଥିଲା ା ସେହିକ୍ରମରେ ବଡବଜାର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ା ତଦନ୍ତ ବେଳେ ବ୍ରହ୍ମପୁରର ପୁରୁଣା ଅପରାଧୀ ଦୁନିଆ ସାହୁ, ରାକେଶ ମିଶ୍ର ଓ ଶ୍ରୀକାନ୍ତ ପଣ୍ଡା ଏହି ବୋମା ମାଡ କରିଥିବା ବଡବଜାର ପୁଲିସ ଜାଣିବାକୁ ପାଇଥିଲା ା ସେହିପରି ଏହି ୩ ଜଣ ଶ୍ରୀକ୍ଷେତ୍ରବିହାର ୪ର୍ଥ ଲାଇନରେ ଥିବା ଏକ ଭଡା ଘରେ ଥିବା ପୁଲିସ ଜାଣିବାକୁ ପାଇଥିଲା ା

ଦିନ ୧୨ଟା ବେଳେ ବଡବଜାର ଥାନାର ଏସଆଇ ରଞ୍ଜିତ ଦାସ ଓ ତାଙ୍କ ଟିମ ସେହି ଘର ନିକଟକୁ ଯାଇ ଚଢଉ କରିଥିଲେ ା ହେଲେ ପୁଲିସ ଆସିଥିବା ଜାଣି ଘର ଭିତରେ ଥିବା  ଦୁର୍ବୃତ୍ତମାନେ କବାଟ ବନ୍ଦ କରି ଭିତରେ ରହିଥିଲେ ା ଅଭିଯୁକ୍ତମାନେ ପୁଲିସକୁ ଡରାଇବାକୁ ଯାଇ ଘର ଭିତରେ ରହି ଗୁଳି ମଧ୍ୟ ଫୁଟାଇବାର ଶବ୍ଦ ସୃଷ୍ଟି କରିଥିଲେ ା ଦୁର୍ବୃତ୍ତଙ୍କ ଏଭଳି କାରନାମା ଦେଖି ଏସଡିପିଓ ରାଜୀବଲୋଚନ ପଣ୍ଡା ଓ ଶିବଶଙ୍କର ମହାପାତ୍ର, ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଓ ନିମଖଣ୍ଡି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନଙ୍କ ସମେତ ଏକ ପ୍ଲାଟୁନ ପୁଲିସ ସେହି ଘର ନିକଟରେ ପହଞ୍ଚିଥିଲେ ା ଦୁର୍ବୃତ୍ତଙ୍କୁ ଆତ୍ମ ସମର୍ପଣ କରିବାକୁ ପୁଲିସ ପକ୍ଷରୁ ମାଇକ ଯୋଗେ ଘୋଷଣା କରାଯାଇଥିଲା ା ଏହାପରେ ସେହି ଘର ଭିତରୁ ଜଣେ ମହିଳା ବାହାରକୁ ଆସି ଆତ୍ମ ସମର୍ପଣ କରିଥିଲେ ମଧ୍ୟ ୩ ଅଭିଯୁକ୍ତ ବାହାରକୁ ଆସିନଥିଲେ ା ଫଳରେ ପୁଲିସ ବାଧ୍ୟ ହୋଇ ଶବଳ ଦ୍ବାରା ଘରର କବାଟ ଭାଙ୍ଗିବାକୁ ଚେଷ୍ଟା କରିଥିଲା ା କବାଟ ଭାଙ୍ଗି ଭିତରକୁ ପଶିବା ବେଳେ ଘର ଭିତରେ ଥିବା ଦୁର୍ବୃତ୍ତମାନେ ପୁଲିସକୁ ଲକ୍ଷ୍ୟ କରି ୨ ଟି ବୋମା ଫିଙ୍ଗିଥିଲେ ା ହେଲେ ବୋମା ଦୁଇଟି କବାଟରେ ବାଜି ଫୁଟିଯିବାରୁ ପୁଲିସ ଏସଆଇ ରଞ୍ଜିତ ଓ ଅନ୍ୟ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିଲେ ା

ଏହାପରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରି  ଥାନାକୁ ନେଇଯାଇଥିଲା ା ସେହି ଘର ଭିତରେ ଯାଞ୍ଚ ବେଳେ ୨ଟି ବ୍ୟାଗରେ ୭ରୁ ଅଧିକ ବୋମା ଓ ୫ଟି ଖଣ୍ଡା ସହ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା ା ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ା ସେହି ଘର ଭିତରେ କିଛି ଅନୈତିକ କାର୍ଯ୍ୟ ଚାଲୁଥିବା ପୁଲିସ ସନ୍ଦେହ କରିଥିଲା ା ଉପରୋକ୍ତ ୩ ଅପରାଧୀଙ୍କ ସମେତ ପୁଲିସ ସେହି ଘରେ ଥିବା ୨ ଜଣ ମହିଳାଙ୍କୁ ମଧ୍ୟ କାବୁ କରି ଥାନାକୁ ନେଇଥିଲା ା ସମସ୍ତ ଅଭିଯୁକ୍ତଙ୍କୁ ଥାନାରେ ପଚରାଉଚରା ଜାରି ରହିଛି ା ଅନ୍ୟପକ୍ଷରେ ସେହି ଘରୁ ମିଳିଥିବା ବୋମାଗୁଡ଼ିକୁ ନିଷ୍କ୍ରିୟ ପାଇଁ ପୁଲିସର ବୋମା ନିଷ୍କ୍ରିୟକାରୀ ଘଟଣାସ୍ଥଳରେ ପହଞ୍ଚିଥିଲା ା ଘର ଭିତରେ ରହି ବୋମା ଗୁଡ଼ିକୁ ନିଷ୍କ୍ରିୟ କରୁଥିବା ଟିମର ସଦସ୍ୟ ତଥା ହାବିଲଦାର ଅଶୋକ ପ୍ରଧାନଙ୍କ ହାତରେ ଗୋଟିଏ ବୋମା ଫୁଟି ଯାଇଥିଲା ା ତାଙ୍କୁ ତୁରନ୍ତ ଉଦ୍ଧାର କରି ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନିଆଯାଇଥିଲା ା ଅଶୋକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି ା ସେହିପରି ପୁଲିସ ଶ୍ରୀକ୍ଷେତ୍ରବିହାର ଅଞ୍ଚଳରେ ଥିବା ଅନ୍ୟ ଗୋଟିଏ ଘରେ ଚଢଉ କରି ସେଠାରୁ ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି ା ଏହି ବୋମା ମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଦୁନିଆ ସାହୁ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି

Nalco
Leave A Reply