କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ହକି ବିଶ୍ବକପ ଟ୍ରଫିକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଖବରରୁ ପ୍ରକାଶ ଯେ ଓଡିଶା ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରୁଥିବା ବେଳେ ଏହି ବିଶ୍ବକପର ଟ୍ରଫି ମଂଗଳବାର ଦିବା ୧୨ଘଟିକା ସମୟରେ ପୁରୀ ଠାରୁ କଡା ସୁରକ୍ଷା ମଧ୍ୟରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ପହଞ୍ଚିଥିଲା। ଏହି ଟ୍ରଫିକୁ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୁରୀ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ର, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଓ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଶ୍ବକପ ହକି ଟ୍ରଫିକୁ କୋଣାର୍କ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଏନସିସି, ସ୍କାଉଟ, ଗାଇଡ, ଛାତ୍ର ଛାତ୍ରୀ, ସାମ୍ବାଦିକ ମାନଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଥିଲା।
ଏହି ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବରେ ପୁରୀ ଜିଲ୍ଲା ସାଧାରଣ ଓ ବିବିଧ ଉପବିଭାଗରେ ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଓ ନିମାପଡା ଏସଡିପିଓ ଦେବାଶିଷ ମିଶ୍ରଙ୍କ ସମେତ କୋଣାର୍କ ଏନଏସି କାଉନସିଲର ଓ କୋଣାର୍କ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ହକି ବିଶ୍ବକପ ଟ୍ରଫିକୁ ସୂର୍ଯ୍ୟ ମନ୍ଦିର ପରିସରରେ ଗୋଟିପୁଅ ନୃତ୍ୟରେ ମଧ୍ୟ ସ୍ବାଗତ କରାଯାଇଥିଲା। ଏହି ଟ୍ରଫିକୁ ଚନ୍ଦ୍ରଭାଗା ଇକୋ ରିଟ୍ରିଟ ମହୋତ୍ସବ ଅନୁଷ୍ଠିତ ହେଉଥିବା ସ୍ଥାନରେ ମଧ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରେ ପରେ କୋଣାର୍କ ଯାତ୍ରୀ ନିବାସ ଠାରେ କିଛି ସମୟ ଅବସ୍ଥାନ କରିବା ପରେ ହକି ବିଶ୍ବକପ ଟ୍ରଫିକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୁବନେଶ୍ଵର ଅଭିମୁଖେ ନିଆଯାଇଥିଲା। ଏହି ଟ୍ରଫି କୋଣାର୍କ ପରିକ୍ରମା କରିବା ଘଟଣା କ୍ରୀଡା ପ୍ରେମୀ ମହଲରେ ଖୁସିର ଲହରୀ ଖେଳିଯାଇଛି।
