ଅଶାନ୍ତ ବାତାବରଣକୁ ଲକ୍ଷ୍ୟ କରି ପୋଲିସର ଫ୍ଲାଗମାର୍ଚ୍ଚ : ଶାନ୍ତି ପାଇଁ ପ୍ରଶାସନର ପ୍ରୟାସ , ନ ମାନିଲେ କାର୍ଯ୍ୟାନୁଷ୍ଠାନର ତାଗିଦ୍
ନିରାକାରପୁର, ୨୭/୧୨: ଗତ କିଛି ଦିନ ଧରି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳ କିଛି କଥାକୁ ନେଇ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର କିଛି ଲୋକ ମାନଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା। ଏହାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗିଥିବାରୁ ଏହାକୁ ଦମନ ପାଇଁ ପୋଲିସ ଆଜି ଉତେଜନା ପ୍ରବଣ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଥିଲା। ପରେ ଅଂଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ ଙ୍କ ଅଧ୍ୟକ୍ଷତାରେ ଉଭୟ ହିନ୍ଦୁ ଓ ମୁସଲିମ ଭାଇମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉଭୟ ନିଜ ନିଜର ମତ ରଖିଥିଲେ। ବିଭିନ୍ନ ସମୟ ରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବିଭିନ୍ନ ଛୋଟ କଥାକୁ ନେଇ ଉପୂଜଥିବା ବିବାଦକୁ ସମାଧାନ କରିବା ପାଇଁ ପୂର୍ବ ବୈଠକ ମାନଙ୍କରେ ନିଷ୍ପତି ନିଆଯାଇଥିଲେ ବି ପୁନର୍ବାର କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ନେଇ ଅନ୍ୟମାନେ ହଇରାଣ ହେଉଥିବାରୁ ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାବେଳେ ସେଥିରେ ଅନ୍ୟ ଗୋଷ୍ଠୀ ମାନେ ହସ୍ତକ୍ଷେପ ନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିବା ତହସିଲଦାର ଜନ୍ମେଜୟ ସାହୁ, ଏସ ଡି ପି ଓ ମାନସ ବାରିକ, ଟାଙ୍ଗୀ ଥାନା ଆଇଆଇସି ଦିଗବିଜୟ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ଉଭୟ ହିନ୍ଦୁ ମୁସଲିମ ଭାଇଚାରା ଭାବ ନେଇ ସ୍ନେହ, ଶ୍ରଦ୍ଧାରେ ଚାଳିବାକୁ ଅପିଲ କରିଥିଲେ। ଯଦି କୌଣସି ଘଟଣା ଘଟୁଛି ତେବେ ଆଇନକୁ ହାତକୁ ନ ନେଇ ପୋଲିସ ପ୍ରଶାସନକୁ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଆଇ ଆଇ ସି ଗୀତାଞ୍ଜଳି ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ବୈଠକ ଶେଷ ପରେ ଉଭୟ ସଂପ୍ରଦାୟକର ଲୋକମାନେ କିଛି ଭଦ୍ର ବ୍ୟକ୍ତି ଙ୍କ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଚାଲିବାକୁ ସ୍ଥିର କରି ନିଜ ନିଜ ଭିତରେ ଉପୁଜିଥିବା କିଛି ସମସ୍ୟାର ଆପୋଷ ସମାଧାନ କରିବାକୁ ପୋଲିସ କୁ ଜଣାଇଥିବା ଜଣାପଡିଛି।