(ହିଞ୍ଜିଳିକାଟୁ – ୨୬/ଡିସେମ୍ବର/୨୦୨୨) “ମାଆ, ମାଟି ଓ ମାତୃଭାଷାର ବିକଳ୍ପ ନାହିଁ। ଏହା ମଣିଷ ଜୀବନର ଏକ ଅବିଭାଜ୍ୟ ଏବଂ ଅଭିନ୍ନ ଅଙ୍ଗ।” ଓଡ଼ିଆ ଭାଷା ସାହିତ୍ୟ ସମିତି ଓଡ଼ିଶାର ଦ୍ଵାଦଶ ସ୍ଵନକ୍ଷତ୍ର ଦିବସ ସମାରୋହ ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଆକାଶ ପଟ୍ଟନାୟକ ଏହି ଭଳି ମତବ୍ୟକ୍ତ କରିଥିଲେ। ସ୍ଥାନୀୟ ଆର.ଏମ.ସି ଛକ ଠାରେ ସମିତିର ଦ୍ଵାଦଶ ସ୍ଵନକ୍ଷତ୍ର ଦିବସ ପାଳନ କରାଯାଇଥିଲା। ଆସିକା ସାଂସଦ ପ୍ରମିଳା ବିଷୋୟୀ ଉଦଘାଟକ ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଆକାଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଏବଂ ମୁଖ୍ୟବକ୍ତା ଭାବରେ ଶେରଗଡ଼ ତହସିଲଦାର ତଥା ବିଶିଷ୍ଟ କବି ଡ଼ଃ. ଦୟାସିନ୍ଧୁ ପରିଡ଼ା ଅନୁଷ୍ଠାନର ଉପସଭାପତି ନିତ୍ୟାନନ୍ଦ ସାହୁ “ମାତୃଭାଷାରେ ଉଚ୍ଚଶିକ୍ଷା” ଶୀର୍ଷକରେ ଅନୁଷ୍ଠିତ ଆଲୋଚନାଚକ୍ରରେ ନିଜସ୍ଵ ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଅବିସ୍ମରଣୀୟ ଯୋଗଦାନ ପାଇଁ ବିଶିଷ୍ଟ କବି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ଚୌଧୁରୀ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଏବଂ ଶତ୍ରୁଘ୍ନ ମହାରଣାଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନରେ ସମ୍ମାନୀତ କରାଯାଇଥିଲା।
ସେହିପରି ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ସମିତିର ସାଧାରଣ ସମ୍ପାଦକ ରଞ୍ଜନ କୁମାର ସାହୁ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଚିନ୍ମୟ ପୋଲାଇ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସେହିପରି କାର୍ଯ୍ୟକ୍ରମର ଦ୍ଵିତୀୟ ସତ୍ରରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ସମିତିର ଆଇନ ପରାମର୍ଶଦାତା ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦ୍ୱିତୀୟ ସତ୍ରରେ ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଅରବିନ୍ଦ ପଣ୍ଡା ଏବଂ ଅଧ୍ୟାପକ ସଞ୍ଜୟ କୁମାର ଷଡଙ୍ଗୀ ମଞ୍ଚାସୀନ ଥିଲେ। କବିତା ଅସରରେ ପ୍ରାୟ ୪୦ରୁ ଉର୍ଦ୍ଧ୍ଵ କବି ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ। କବିତା ଆସରକୁ କବୟିତ୍ରୀ ସ୍ୱାଗତିକା ବାହିନୀପତି ଏବଂ ଯୁବକବି ଚିନ୍ମୟ ରଞ୍ଜନ ମିଶ୍ର ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଅନୁପ କୁମାର ମହାପାତ୍ର, ଅଧ୍ୟାପକ ବି. ଶିବାଜୀ ପାତ୍ର, ଆସିକା ସାଂସଦଙ୍କ ବ୍ୟକ୍ତିଗତ ଏବଂ ରାଜନୈତିକ ସହାୟକ ନିଳମଣୀ ପଟ୍ଟନାୟକ, ବିଜୁ ଛାତ୍ର ଜନତା ଦଳର ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ, ଯୁବ ବିଜେଡ଼ି ନେତା ସଂସ୍କାର ପଟ୍ଟନାୟକ, ମନୋଜ ସାବତ, ଶିକ୍ଷକ ତଥା ସାହିତ୍ୟିକ ଦେବବ୍ରତ ପଟ୍ଟନାୟକ, ଅନୁଷ୍ଠାନର କୋଷାଧ୍ୟକ୍ଷ ଶିବରାମ ବେହେରା, ଆଲୋକ କୁମାର ନାୟକ ପ୍ରମୂଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଶେଷରେ ଅନୁଷ୍ଠାନର ଉପସଭାନେତ୍ରୀ ରୀତାଞ୍ଜଳୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସମିତିର ଦୁଇଟି ଅନୁ ବିଭାଗ ଲୋକକଳା ସୁରକ୍ଷା ପ୍ରକୋଷ୍ଠ ଏବଂ ସବୁଜ ସେନାନୀ ପ୍ରକୋଷ୍ଠର ଘୋଷଣା କରାଯାଇଥିଲା। ବିଶିଷ୍ଟ ଲୋକନୃତ୍ୟ କଳାକାର ମାଧବ ଗୌଡ଼ ଲୋକକଳା ସୁରକ୍ଷା ପ୍ରକୋଷ୍ଠର ସଂଯୋଜକ ଏବଂ ବିଶିଷ୍ଟ ସମାଜସେବୀ ତଥା କବି ଉମା ଶଙ୍କର ସାହୁଙ୍କୁ ସବୁଜ ସେନାନୀର ସଂଯୋଜକ ଭାବରେ ମନୋନୀତ କରାଯାଇଥିଲା।