Odisha news

ଚନ୍ଦ୍ରଭାଗା ଠାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ।

0

କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସନ୍ନିକଟ ପୁରାଣ ବର୍ଣ୍ଣିତ ତୀର୍ଥ ସ୍ଥାନ ଚନ୍ଦ୍ରଭାଗା ଠାରେ ଉତ୍କଳୀୟ ନୌବାଣିଜ୍ୟ ସ୍ମାରକୀ ସ୍ବରୂପ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ଚନ୍ଦ୍ରଭାଗା ବୋଇତ ବନ୍ଦାଣ କମିଟି ଆନୁକୂଲ୍ୟରେ ଚନ୍ଦ୍ରଭାଗା ବଜାର କମିଟି ଓ ଫଟୋଗ୍ରାଫର ଆସୋସିଏସନ ମିଳିତ ସହଯୋଗରେ ଆୟୋଜିତ ଏହି ଉତ୍ସବକୁ କମିଟିର ସଭାପତି ଅଜୟ କୁମାର ବେହେରା, ସଂପାଦକ ମାନସ କୁମାର ସ୍ଵାଇଁ, କମିଟିର ଉପଦେଷ୍ଟା ତଥା ଆଇନଜୀବୀ ସୁରେଶ ଚନ୍ଦ୍ର ସ୍ଵାଇଁ, କୃଷକନେତା ଲିଂଗରାଜ ନାୟକ ଓ ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ। ଅତୀତରେ ଓଡ଼ିଶାର ସାଧବ ପୁଅ ମାନେ ସୁଦୂର ଜାଭା ସୁମାତ୍ରା, ବାଲିଦୀପ ଓ ବୋର୍ଣ୍ଣିଓ ଆଦି ସ୍ଥାନକୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ବୋଇତ ଯୋଗେ ଯାତ୍ରା କରୁଥିଲେ। ଏହି ସ୍ମୃତି ଓ ସଂସ୍କୃତି ମହାର୍ଘ ମୂହୁର୍ତ୍ତକୁ ଉଜ୍ଜୀବିତ ରଖିବା ପାଇଁ ଗତ ୨୮ବର୍ଷ ଧରି ପୁରାଣ ବର୍ଣ୍ଣିତ ଚନ୍ଦ୍ରଭାଗା ଠାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଆସୁଛି। ଚଳିତ ବର୍ଷ ଐତିହ୍ୟ ଓ ପରମ୍ପରା ବଜାୟ ରଖିବା ପାଇଁ ଏହା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କୋଣାର୍କ ଏନଏସି ଅନ୍ତର୍ଗତ ମୂଳିସାହୀ ଗ୍ରାମର ଖିଲେଶ୍ବରୀ ସଂକୀର୍ତ୍ତନ ମଣ୍ଡଳୀ ଦ୍ବାରା ସଂକୀର୍ତ୍ତନ ପରିବେଷଣ ଚନ୍ଦ୍ରଭାଗା ଠାରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ପରେ ପରେ ରାୟଗଡା ଜିଲ୍ଲାର ଭକ୍ତି ତର୍ପଣ ଭଜନ ସନ୍ଧ୍ୟାର ପ୍ରସିଦ୍ଧ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ନାୟକ ଓ ସାଥି କଳାକାର ମାନଙ୍କ ଦ୍ଵାରା ରାତିତମାମ ଭଜନ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସମାଜସେବୀ ନିରଂଜନ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ଚନ୍ଦ୍ରଭାଗା ବଜାର କମିଟି ସଭାପତି ଭାସ୍କର ବେହେରା, ସଂପାଦକ ବାନାମ୍ବର ବେହେରା, ବୋଇତ ବନ୍ଦାଣ କମିଟି ଉପସଭାପତି କାଳନ୍ଦୀ ବିଶ୍ବାଳ, ସରୋଜ କୁମାର ପଣ୍ଡା ଓ ଲିଂଗରାଜ ପାତ୍ର ସମେତ ବୋଇତ ବନ୍ଦାଣ କମିଟି, ଚନ୍ଦ୍ରଭାଗା ବଜାର କମିଟି ଓ ଚନ୍ଦ୍ରଭାଗା ଫଟୋ ଗ୍ରାଫର ଆସୋସିଏସନର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।

Leave A Reply