ଗ୍ରାମ ବାସୀ ଙ୍କ ଦ୍ଵାରା ୫୫ ଜାତୀୟ ରାଜପଥ ରାସ୍ତା ଅବରୋଧ, ଜାତୀୟ ରାଜପଥ କତୃପକ୍ଷ ଙ୍କ ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ହଟିଥିଲା।
ଆଠଗଡ ତା ୨୧/୧୦/୨୨ ଦୀର୍ଘ ୩ ବର୍ଷ ଧରି ୫୫ ନମ୍ବର ଜାତୀୟ ରାଜପଥ ରାସ୍ତା କାର୍ଯ୍ୟ ଚାଲିଛି, କିନ୍ତୁ ସରିବାର ନାଁ ନେଉନାହିଁ। ଏହି ରାସ୍ତା କାମ କେବେ ସରିବ ତାହା ମଧ୍ୟ ସଠିକ୍ ଭାବରେ ଜଣାନାହିଁ। ମଙ୍ଗୁଳି ଠାରୁ ଅନୁଗୁଳ ପର୍ଯ୍ୟନ୍ତ ଯାଇଥିବା ଏହି ୪ ଥକିଆ ରାସ୍ତାର ଅନେକ ରାସ୍ତାକୁ ଅଧା କରି ବର୍ଷ ବର୍ଷ ପକାଇ ଦିଆଯିବା ଦ୍ୱାରା ଦୈନିକ ଛୋଟବଡ ଦୁର୍ଘଟଣା ମାନ ଘଟୁଛି। ବର୍ତ୍ତମାନ ସମୟରେ ଏହି ରାସ୍ତା ଟି ବ୍ୟସ୍ତ ବହୁଳ ହୋଇପଡ଼ିଛି। ଟିକିଏ ଅସାବଧାନତା ହେଲେ ଛୋଟ ବଡ଼ ଦୂର୍ଘଟଣା ଘଟୁଛି। ସାଧାରଣ ଜନତା ଙ୍କ ସହ ଛାତ୍ରଛାତ୍ରୀ ମାନଙ୍କ ଜିବନକୁ ଜାତୀୟ ରାଜପଥ କତୃପକ୍ଷ ମରଣଯନ୍ତା ମୁହଁ କୁ ଠେଲି ଦେଉଛନ୍ତି ବୋଲି ସାଧାରଣ ଜନତା ଅଭିଯୋଗ କରିଛନ୍ତିି। ଏହି ରାସ୍ତା ଦେଇ ଦିନକୁ ପ୍ରାୟ ହଜାର ହଜାର ଗାଡ଼ି ଚଳାଚଳ କରୁଥିବାରୁ ଗାଡିର ଧୂଳି ଧୂଆଁରେ ବରିଷ୍ଠ ନାଗରିକ, ନାବାଳକ, ଶିଶୁ ଠାରୁ ସମସ୍ତେ ସ୍ୱାଶ କାଶ ଓ ଚର୍ମରୋଗରେ ପୀଡିତ ହେଉଛନ୍ତି । ଏଥିପାଇଁ ଓରନ୍ଦା ଗ୍ରାମବାସୀ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଏବଂ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଯାଏ ଦାବିପତ୍ର ଦେଇ ରାସ୍ତାକୁ ତୁରନ୍ତ ମରାମତି କରିବାକୁ ଦାବି କରିଥିଲେ । ହେଲେ ଏଥିପ୍ରତି କେହି କର୍ଣ୍ଣପାତ କରିନଥିଲେ। ହେଲେ ଆଜି ଅତିଷ୍ଠ ହୋଇ ଓରନ୍ଦା ଗ୍ରାମର ଶତାଧିକ ଗ୍ରାମବାସୀ ସକାଳ ସାଢେ ୭ଟାରୁ ସାଢ଼େ ୧୧ଟା ଯାଏ ୫୫ ନମ୍ବର ଜାତୀୟ ରାଜପଥ ଓରନ୍ଦା ବଜାର ଉପରେ ଅବରୋଧ କରିବାରୁ ରାସ୍ତାର ଉଭୟ ପଟରୁ ହଜାର ହଜାର ଯାନବାହନ ଅଟକି ରହିଥିଲା । ଖବର ପାଇ ଗୁରୁଡ଼ିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ଘଟଣା ସ୍ଥଳକୁ ଆସିଥିଲେ।ପରେ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ପହଞ୍ଚି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଡକାଇ ଥିଲେ । ରାଜପଥର ପ୍ରୋଜେକ୍ଟ ଇଞ୍ଜିନିୟର ସୌମ୍ୟଜିତ ସାମଲ ଓ ଅଶୋକ କୁମାର ସାହୁ ଦିନ ୧୧ଟାରେ ଆସି ଆସନ୍ତା ୧୦ ଦିନ ମଧ୍ୟରେ ରାସ୍ତାର ଉଭୟ ପାର୍ଶ୍ୱ ପିଚୁ କାର୍ଯ୍ୟ ସମ୍ପନ୍ନ କରାଯିବା ସହ ବର୍ତମାନ ଠାରୁ କାର୍ଯ୍ୟ ଆରମ୍ଭ ହେଲା ବୋଲି ଘୋଷଣା କରିବା ପରେ ଗ୍ରାମବାସୀ ରାସ୍ତାରୋକରୁ ଓହରି ଯାଇଥିଲେ । ଏହି ରାସ୍ତାରୋକରେ ଶତାଧିକ ଲୋକ ଯୋଗଦେଇଥିଲେ।