ବାଲେଶ୍ୱର-୧୯/୦୯ : ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ବିୟୋଗରେ ସରକାରୀ ମେଡିକାଲ୍ କଲେଜ୍ କି୍ରୟାନୁଷ୍ଠାନ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । କି୍ରୟାନୁଷ୍ଠାନ କମିଟିର ସାପ୍ତାହିକ ବୈଠକରେ ବହୁ ବରିଷ୍ଠ ସଦସ୍ୟ ଓ କର୍ମକର୍ତ୍ତାମାନେ ସ୍ୱର୍ଗତ ଗୋପନାରାୟଣ ଦାସ ଜଣେ ଦକ୍ଷ ରାଜନେତା ଭାବେ ବାଲେଶ୍ୱରରେ ବହୁ ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ସ୍ମୃତିଚାରଣ ବୈଠକରେ ପ୍ରକାଶ କରିଥିଲେ । ଗତ ଅଶୀ ଦଶକରେ ବାଲେଶ୍ୱର ଭଳି ଏକ ଶିଳ୍ପବିହୀନ ଜିଲ୍ଲାକୁ ସେ ଶିଳ୍ପ ମାନଚିତ୍ରରେ ସ୍ଥାନ ଦେଇପାରିଥିଲେ । ବାଲେଶ୍ୱରରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଦାବି ଓ ଆନେ୍ଦାଳନକୁ ସ୍ୱର୍ଗତ ଦାସ ଅକୁଣ୍ଠ ସମର୍ଥନ ଜଣାଇଥିଲେ । ତାଙ୍କ ବିୟୋଗ ବାଲେଶ୍ୱରବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରଦ୍ଧାଞ୍ଜଳି ବୈଠକରେ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । ତାଙ୍କ ସ୍ମୃତି ପ୍ରତି ସମ୍ମାନ ଜଣାଇ ଓ ଆତ୍ମାର ସଦଗତି ପାଇଁ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।ଏହି ବୈଠକରେ ମମତା ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସଂପାଦକ ପ୍ରଦୀପ ଦାସ ଶୋକ ପ୍ରସ୍ତାବ ଆଗତ କରିଥିଲେ । ସର୍ବଶ୍ରୀ ପ୍ରଭାକର ସାହୁ, ନିରଞ୍ଜନ ପରିଡ଼ା, ଗୌରାଙ୍ଗ ପାଣିଗ୍ରାହୀ, ଦୀନବନ୍ଧୁ ଲେଙ୍କା, ଯଶୋଦା ନନ୍ଦନ ଆସ, ପ୍ରଫୁଲ୍ଲ ଦାସ, ଅକ୍ଷୟ ତି୍ରପାଠୀ, ରମେଶ ଚନ୍ଦ୍ର ଜେନା ଓ ଶ୍ୟାମ ସୁନ୍ଦର ଜେନା ପ୍ରମୁଖ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଏହି ବୈଠକରେ କି୍ରୟାନୁଷ୍ଠାନ କମିଟିର ପୃଷ୍ଠପୋଷକ ସଦସ୍ୟତା ଗ୍ରହଣ କରିଥିବା ଡାକ୍ତର ଯଦୁନାଥ ମିଶ୍ର ଓ ଶ୍ରୀମତୀ ଭାରତୀ ଦ୍ୱିଦେବୀ ଏବଂ ଆଜୀବନ ସଦସ୍ୟ ଡା. ଗୌରସାଧନ ମିଶ୍ରଙ୍କୁ ସ୍ୱାଗତ କରାଯାଇଥିଲା । ସୀତାରାମ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।