Odisha news

ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ରକ୍ଷକ ଫେଜ୍ -୨ ତାଲିମ ଶିବିର

0

ଭଞ୍ଜନଗର,୧୯/୯- ସ୍ଥାନୀୟ ପରିବହନ ଅଧିକାରୀ ଙ୍କ ନୂତନ କାର୍ଯ୍ୟାଳୟ ପରିସରରେ ରକ୍ଷକ ଫେଜ୍ -୨ ତାଲିମ ଶିବିର ଆୟୋଜିତ ହୋଇଯାଇଛି। ଏହି ତାଲିମ ଶିବିର କୁ ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର ଓ ଆରଟିଓ ଶୁଭେନ୍ଦୁ ରାୟ ଉଦଘାଟନ କରିଥିଲେ। ଏଥିପାଇଁ ଆୟୋଜିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ କ୍ଷତ୍ରୀୟ ବରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ବି.ଗୋବିନ୍ଦ ରାଓ, ମାଣିତରା କଲେଜ ର ଓଡ଼ିଆ ଅଧ୍ୟାପକ ଦିଲ୍ଲିପ କୁମାର ଆଚାର୍ଯ୍ୟ, ଜଗନ୍ନାଥ ପ୍ରସାଦ କଲେଜର ଓଡିଆ ଅଧ୍ୟାପକ ଲୋକନାଥ ମହାନ୍ତି ପ୍ରମୁଖ ମଞ୍ଚାସୀନ ରହି ଯେକୌଣସି ପ୍ରକାର ଦୁର୍ଘଟଣା ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କିଭଳି କରାଯିବା ଜରୁରୀ ସେ ସଂପର୍କରେ ଆଲୋକପାତ କରିଥିଲେ। ବିଶେଷ କରି ରାସ୍ତା ରେ ଦୁର୍ଘଟଣା ଘଟିଲେ ଜଣେ ଗୁରୁତରଙ୍କ ଜୀବନ କିଭଳି ରକ୍ଷା କରାଯାଇ ପାରିବ ସେ ସଂପର୍କରେ ଶିବିରରେ ପ୍ରାକ୍ଟିକାଲି ବୁଝାଇ ଦିଆଯାଇଥିଲା। ଜଣେ ସଂଜ୍ଞାହୀନ ବ୍ୟକ୍ତିଙ୍କୁ ପ୍ରଥମେ ସିପିଆର, ପରେ ମୁହଁ ଦ୍ବାରା ଅମ୍ଳଜାନ ଦେବା ସହ ରକ୍ତସ୍ରାବ ବନ୍ଦ କରିବାର ଉପାୟ ତଥା ବ୍ୟବହାରିକ ଜ୍ଞାନ ସଂପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ତୁରନ୍ତ ଚିକିତ୍ସା ସେବା ଦ୍ବାରା ଜଣଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇବା ସମ୍ଭବ ହୋଇପାରିବ। ଏଣୁ ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ଅଞ୍ଚଳର ବିଭିନ୍ନ ଦୁର୍ଘଟଣା ପ୍ରବଣ ଇଲାକାରୁ ବ୍ୟବସାୟୀ, ଛାତ୍ରଛାତ୍ରୀ ଓ କିଛି ସ୍ଥାନୀୟ ବାସିନ୍ଦାଙ୍କୁ ଏହି ଶିବିରରେ ତାଲିମ ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ପଞ୍ଚାନନ ପାଳ, ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ ଶୁଳପାଣୀ ଶତପଥୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଙ୍କ ସମେତ ବିପଦର ବନ୍ଧୁ, ହେଲପିଙ୍ଗ୍ ହାଣ୍ଡ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave A Reply