ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ଆଜି ରେଳପଥର ମୁଖ୍ୟାଳୟ ରେଳସଦନଠାରେ ରେଳପଥର ପରିସୀମାମଧ୍ୟରେ ଚାଲୁରହିଥିବା ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିବା ସହ ଶୀଘ୍ର କାର୍ଯ୍ୟ ସମ୍ପାଦନ କରିବାକୁ ରେଳବାଇର ପ୍ରମୁଖ ଅଧିକାରୀମାନଙ୍କୁ କହିଛନ୍ତି | ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ଖୋର୍ଦ୍ଧା ରୋଡ଼ – ବଲାଙ୍ଗୀର, ଅନୁଗୁଳ-ସୁକିନ୍ଦା, ତାଳଚେର-ବିମଳାଗଡ଼, ହରିଦାସପୁର-ପାରାଦୀପ ନୂତନ ରେଳ ଲାଇନ; ସମ୍ବଲପୁର-ଟିଟିଲାଗଡ଼-ବିଜୟନଗରମ, କୋତ୍ତଭାଲାସା-କୋରାପୁଟ-କିରନ୍ଦୁଲ ଦୋହରି କାରଣ ଓ ଅନୁଗୁଳ-ସମ୍ବଲପୁର ମଧ୍ୟରେ ଦୋହରୀକରଣ ସହିତ ଅନ୍ୟାନ ନିର୍ମାଣ କାର୍ଯ୍ୟଗୁଡିକ ଦୋହରୀକରଣ, ତୃତୀୟ ଲାଇନ, ରାସ୍ତା ଉପର ପୋଲ, ଉପମାର୍ଗ ଅନ୍ତର୍ଭୁକ୍ତ
ପ୍ରକଳ୍ପ ଗୁଡିକର ସଫଳତା ପାଇଁ ଆବଶ୍ୟକ ପଦକ୍ଷେପ ଭାବେ ବିସ୍ତୃତ ଓ ସଠିକ ଯୋଜନା, କୁଶଳ ଟେଣ୍ଡର ପ୍ରକ୍ରିୟା ଏବଂ ନିର୍ମାଣ କାର୍ଯ୍ୟର ତଦାରଖ ପ୍ରତି ବିଶେଷ ଧ୍ୟାନଦେବାକୁ ଅଧିକାରୀମାନଙ୍କୁ ଶ୍ରୀ ଶ୍ରୀବାସ୍ତବ ପରାମର୍ଶ ଦେଇଥିଲେ | ତଳ ସ୍ତରରେ ରାଜ୍ୟ ସରକାରଙ୍କ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ଉଚିତ ସମନ୍ୱୟ ରଖି କାର୍ଯ୍ୟକରିବାକୁ ମଧ୍ୟ ସେ ଅଧିକାରୀମାନଙ୍କୁ କହିଥିଲେ | ଏହି ସମୀକ୍ଷା ବୈଠକରେ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ୱାଲଟିୟର, ସମ୍ବଲପୁର, ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏବଂ ରେଳ ବିକାଶ ନିଗମ ଲିମିଟେଡ଼ର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ