ଖଇରା-୦୯/୦ : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗଡପୋଖରି ଗ୍ରାମ ପଞ୍ଚାୟତ ଅଧୀନ ଜୟିଗଡ ଗ୍ରାମର ମହେନ୍ଦ୍ର ସେଠୀଙ୍କ ଶବ ବ୍ୟବଛେଦ ରିପୋର୍ଟରେ ହତ୍ୟାର ସୁରାକ ମିଳିବା ପରେ ଗ୍ରାମବାସୀ ମାନେ ଅଭିଯୁକ୍ତ ଭାବେ ଗ୍ରାମରେ ମଦ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୋମବାର ସକାଳେ ମହେନ୍ଦ୍ରଙ୍କ ପୁଅ ନିରଞ୍ଜନ ଙ୍କ ସହ ଶତାଧିକ ଗ୍ରାମବାସୀ ଖଇରା ଥାନାକୁ ଆସି ଶବବ୍ୟବଛେଦ ରିପୋର୍ଟ ଦେଖାଇ ହତ୍ୟା ପଛରେ ସାମିଲ ଥିବା ଶ୍ୟାମ ସାହୁ ନାମକ ମଦ ବ୍ୟବସାୟୀ ନାମ ଉଠାଇ ତାଙ୍କୁ ଗିରଫ କରିବାକୁ ଦାବୀ କରିଥିଲେ ।
ହେଲେ ତଦନ୍ତକାରୀ ଅଧିକାରୀ ଙ୍କ ସମେତ ଅନ୍ୟ କୌଣସି କର୍ମଚାରୀ ସେମାନଙ୍କ କଥାକୁ ଶୁଣି ନଥିଲେ । ଏହାକୁ ବିରୋଧ କରି ଗ୍ରାମର ମହିଳା ପୁରୁଷ ପ୍ରଥମେ ଥାନା ଆଗରେ ଧାରଣା ଦେବା ପରେ ଅପରାହ୍ନରେ ସୋର-କୁପାରୀ ରାସ୍ତାକୁ ଅବରୋଧ କରିଥିଲେ । ଭଦ୍ରକ ମହରମ ପର୍ବ ପାଳନ ଦାୟିତ୍ୱରେ ଥିବା ଖଇରା ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଫୋନ ଯୋଗେ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇ ସେ ୧୧ତାରିଖରେ ଖଇରା ପହଞ୍ଚିବା ପରେ ନିଜେ ଘଟଣାର ତଦନ୍ତ କରି ଅଭଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିବା ପରେ ଗ୍ରାମବାସୀ ଅବରୋଧ ପ୍ରତ୍ୟାହାର କରିଥିଲେ । ୪ତାରିଖ ସକାଳେ ମହେନ୍ଦ୍ରଙ୍କ ଶବ ସଂପୃକ୍ତ ମଦ ବ୍ୟବସାୟୀଙ୍କ ଘର ନିକଟସ୍ଥ ନାଳରୁ ଉଦ୍ଧାର କରାଯାଇଥିଲା ।
ପରିବାର ଲୋକେ ଏହାକୁ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭି୍େୟାଗ ଧରି ଖଇରା ଥାନାକୁ ଆସିଥିବା ବେଲେ ପୋଲିସ ଏହାକୁ ଅପମୃତୁ୍ୟ ମାମଲା ଭାବେ ବିବେଚନା କରିଥିଲା । ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି କହିଥିବାରୁ ଏବେ ଗ୍ରାମବାସୀ ମାନେ ହତ୍ୟା ମାମଲା ରୁଜୁ କରିବା ଜିଦରେ ଅଟଳ ଅଛନ୍ତି । ସଂପୃକ୍ତ ମଦବ୍ୟବସାୟୀ ଙ୍କ ମଦକାରବାର ଯୋଗୁଁ କେବଳ ବୃଦ୍ଧ ବା ଯୁବକ ନୁହଁନ୍ତି ଛୋଟ ଛୋଟ ପିଲାମାନେ ମଧ୍ୟ ନିଶାଖାଇ ରାସ୍ତାରେ ଗଡୁଛନ୍ତି । ଏହି ମଦପିଆ ଏବଂ ପଇସା ଦିଆନିଆକୁ ନେଇ ପ୍ରତ୍ୟେକଦିନ ଛୋଟବଡ ଦୁର୍ଘଟଣା ଘଟୁଥିବାରୁ ତୁରନ୍ତ ଏହାକୁ ବନ୍ଦ କରିବାକୁ ଗ୍ରାମର ଜୟନ୍ତ ସେଠୀ ଦାବୀ କରିଛନ୍ତି