ବାରିପଦା : ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଓଡିଶା ରାଜ୍ୟ କମିଟିର ସମ୍ପାଦକ ପଦ୍ମଲୋଚନ ମହାନ୍ତଙ୍କ ଅଧ୍ୟକ୍ଷତାରେ ଜେଏମଏମର ପୂର୍ବତନ କେନ୍ଦ୍ରୀୟ ସଭାପତି ସ୍ୱର୍ଗତ ନିର୍ମଳ ମହାନ୍ତଙ୍କ ୩୬ତମ ଶହୀଦ୍ ଦିବସ ବାରିପଦା ଠାରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ବଞ୍ଚାଅ ଅଭିଯାନ ପାଳିତ ହୋଇଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଦିବାସୀ ଓ ମୂଳବାସୀମାନଙ୍କ ଜଳ, ଜମି ଓ ଜଙ୍ଗଲର ଅଧିକାର ପାଇଁ ସେତେବେଳେ ଆନେ୍ଦାଳନକୁ ତୀବ୍ରତର କରିବା ସହିତ ଶହୀଦ୍ ନିର୍ମଳ ମହାନ୍ତ ସ୍ୱତନ୍ତ୍ର ଝାରଖଣ୍ଡ ରାଜ୍ୟର ଆନେ୍ଦାଳନକୁ ନୂଆ ଦିଗନ୍ତ ଦେଇଥିଲେ । ଆନେ୍ଦାଳନରେ ଛାତ୍ରମାନଙ୍କ ଭୂମିକାର ଗୁରୁତ୍ୱକୁ ଅନୁଭବ କରି ତାଙ୍କ ମାର୍ଗଦର୍ଶନରେ ଅଖିଳ ଝାରଖଣ୍ଡ ଛାତ୍ର ସଂଗଠନ ବା ଆଜସୁ ମଧ୍ୟ ଗଠତି ହୋଇଥିଲା । କିନ୍ତୁ ଏହି ଆନେ୍ଦାଳନକୁ ଭଣ୍ଡୁର କରିବା ପାଇଁ ଶୋଷଣକାରୀ ଗୋଷ୍ଠୀମାନେ ଚକ୍ରାନ୍ତ କରି ୧୯୮୯ ମସିହା ଅଗଷ୍ଟ ୮ତାରିଖ ଦିନ ତାଙ୍କୁ ଜାମସେଦପୁରରେ ଥିବା ଟାଟା କମ୍ପାନୀର ଏକ ଗେଷ୍ଟ ହାଉସରେ ହତ୍ୟା କରିଥିଲେ । କିନ୍ତୁ ଏହା ଫଳରେ ଝାରଖଣ୍ଡ ଅଞ୍ଚଳରେ ଲୋକମାନଙ୍କ ଆନେ୍ଦାଳନ ତୀବ୍ରତର ହୋଇ ପରେ ସ୍ୱତନ୍ତ୍ର ଝାରଖଣ୍ଡ ରାଜ୍ୟ ଗଠିତ ହୋଇଥିଲା । କିନ୍ତୁ ଓଡିଶାର ପ୍ରସ୍ତାବିତ ଝାରଖଣ୍ଡ ଅଞ୍ଚଳରେ ଏବେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରରୋଚନାରେ ଅର୍ଥନୈତିକ ସାମାଜିକ ଓ ସାଂସ୍କୃତି ଶୋଷଣ ଜାରି ରହିଥିବାରୁ ଏଥିପାଇଁ ସ୍ୱତନ୍ତ୍ର ଆନେ୍ଦାଳନର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ବକ୍ତାମାନେ ପ୍ରକାଶ କରିଥିଲେ । ଏହି ସଭାରେ ପ୍ରାକ୍ତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦା, ଆଇନ୍ଜୀବି ପ୍ରଭୂଦାନ ମାରାଣ୍ଡି, ରାମଚନ୍ଦ୍ର ହେମ୍ବ୍ରମ, ଜଗନ୍ନାଥ ମାରାଣ୍ଡି, ଗୋପାଳଚନ୍ଦ୍ର ମୁର୍ମୁ ଓ ବନ୍ଧନ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।