ଚଣ୍ଡିଖୋଲ,୨୩/୭(ସବ୍ୟୁ) ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଧିନ ବିଛାଖଣ୍ଡି ପାହାଡର କଳାପଥର ଖଣିଗୁଡିକ ସରକାରୀ କଗଜପତ୍ରରେ ସମ୍ପୂର୍ଣ୍ଣ ବନ୍ଦ ଦର୍ଶାଯାଉଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ସେଠାରୁ ଦୈନିକ ବହୁ ପରିମାଣର ପଥର ଲୁଟ ଚାଲିଛି!ଏହି ଲୁଟପାଟକୁ ନେଇ ଗତ ଗୁରୁବାର ରାତିରେ ଧର୍ମଶାଳା ତହସିଲଦାରଙ୍କ ପକ୍ଷରୁ ହଠାତ ଚଢାଉ କରାଯାଇଥିଲା!ଚଢ଼ାଉ ବେଳେ ପଥରଖଣି ଗୁଡିକ ଖୋଲାମେଲାରେ ଚାଲୁଥିବା ଦେଖାଯାଇଥିଲା ବେଳେ ଘଟଣା ସ୍ଥଳରୁ ତହସିଲଦାର ଓ ତାଙ୍କ ସହଯୋଗୀ ମାନେ ୨ଟି କମ୍ପରେସର ଓ ୫ଟି ପ୍ରୋକଲିନ ମେସିନ ଜବତ କରିଥିଲେ! ଏଥିସହ ସେହିସବୁ ମେସିନ ଚଳାଉଥିବା ଓ ସେମାନଙ୍କୁ ସହଯୋଗ କରୁଥିବା ମୋଟ ୭ଜଣ ବ୍ୟକ୍ତିଙ୍କୁ ଘଟଣା ସ୍ଥଳରୁ ଧରିଆଣି ଜେନାପୁର ଥାନା ପୋଲିସ ଜିମା ଦେଇଥିଲେ! ହେଲେ ସେତେବେଳେ ଏଥିନେଇ ତହସିଲଦାର ଏତଲା ଦାୟର କରିନଥିଲେ! ଏହି ମାମଲାରେ ଗତକାଲି ତହସିଲଦାର ସ୍ୱାଗତ ଦାସ ଏତଲା ଦାୟର କରିଥିଲେ ମଧ୍ୟ ସେଥିରେ ଅଟକଥିବା ବ୍ୟକ୍ତିଙ୍କ ସମ୍ପର୍କରେ କିଛିବି ଉଲେଖ ନଥିଲା!
ଏଥିସହ ପୂର୍ବ ଦିନ ନିଜେ ଓ ତାଙ୍କ ସହଯୋଗୀ ମାନେ ୨ଟି କମ୍ପରେସର ଓ ୫ଟି ପ୍ରୋକଲିନ ମେସିନ ଜବତ କରିଥିଲେ ମଧ୍ୟ ଏତଲାରେ କେବଳ ଗୋଟିଏ କମ୍ପରେସର ଓ ୫ଟି ପ୍ରୋକଲିନ ମେସିନ ଜବତ ହୋଇଛି ବୋଲି ଦର୍ଶାଇ ଥିଲେ! ଏପରିକି ଜବତ ମେସିନ ଗୁଡିକର ମାଲିକ କିମ୍ବା ସପୃକ୍ତ ପଥର ଲୁଟେରାଙ୍କ ବିଷୟରେ କୌଣସି ତଥ୍ୟ ସେ ଏତଲାରେ ଉଲ୍ଲେଖ କରିନଥିବା ଦେଖାଯାଇଥିଲା! ଯାହା ପୋଲିସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି! ତେବେ ପୋଲିସ ତହସିଲଦାରଙ୍କ ଏତଲାକୁ ଭିତିକରି ଜେନାପୁର ଥାନାରେ ୧୯୬/୨୨ ନମ୍ବରରେ ଏକ କେଶ ପଞ୍ଜିକରଣ କରିଥିଲେ ମଧ୍ୟ ଏତଲାରେ ନାମ ନଥିବାରୁ ବାଧ୍ୟହୋଇ ଥାନାରେ ଅଟକଥିବା ବ୍ୟକ୍ତି ମାନଙ୍କୁ ଛାଡିଦେଇଥିବା ଜଣାପଡିଛି! ବିଛାଖଣ୍ଡି ଖଣିରେ ବ୍ୟାପକ ବେଆଇନ କାରବାର ଓ ପଥର ଲୁଟପାଟ ନେଇ ଦୀର୍ଘ ବର୍ଷ ହେବ ଓଡିଶା ହାଇକୋର୍ଟ ଓ ଲୋକାୟୁକ୍ତଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅଦାଲତରେ ମାମଲା ବିଚାରାଧୀନ ଥିଲାବେଳେ ରାଜ୍ୟ କ୍ରାଇମବ୍ରାଞ୍ଚ ମଧ୍ୟ ଏହାଉପରେ ତଦନ୍ତ କରୁଛି! ହେଲେ ପଥର ମାଫିଆମାନେ ସ୍ଥାନୀୟ ପ୍ରଶାସନକୁ ହାତକରି ସମ୍ପୂର୍ଣ୍ଣ ବେଆଇନ ଭାବେ ଅନେକ ଖଣିରେ ବିସ୍ଫୋରଣ କରି ବଡ ବଡ ମେସିନ ଦ୍ୱାରା ବେଧଡକ କୋଟିକୋଟି ଟଙ୍କାର ପଥର ଖୋଳି ନେଉଛନ୍ତି! ଏହି ବେଆଇନ କାରବାରରେ ତହସିଲର ଜଣେ ଅତିରିକ୍ତ ତହସିଲଦାର ଅଦୃଶ୍ୟ ଭାବେ ମାଫିଆମାନଙ୍କୁ ପ୍ରାଣପଣେ ସହଯୋଗ କରୁଥିବାରୁ ଏଠାରୂ ପ୍ରଶାସନର ଚୋରିରୋକିବା ଯୋଜନା ଫେଲ ମାରୁଥିବା ଆଲୋଚନା ହେଉଛି! ତେବେ ଉପରୁ ଚାପ ପଡିଲେ ସ୍ଥାନୀୟ ତହସିଲ ଓ ପୋଲିସ କେତେବେଳେ କେମିତି ଧର୍ମକୁ ଆଖିଠାର ନିତିରେ ନାମକୁ ମାତ୍ର ଚଢାଉକରି ପରବର୍ତ୍ତୀ ସମୟରେ ପୁଣି ଚୁପହୋଇ ବସିରହୁଛନ୍ତି! ଯାହା ମାଫିଆ ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ଦୃଢ ସମ୍ପର୍କ ଥିବାନେଇ ଚର୍ଚ୍ଚାକୁ ଖୋରାକ ଯୋଗାଇଛି! ଏବେର ଚଢାଉ ମଧ୍ୟ ତହସିଲ ପକ୍ଷରୁ ପୂର୍ବ ତରିକାରେ ହୋଇଥିବା ଆଲୋଚନା ହେଉଛି! ତେବେ ଜେନାପୁର ପୋଲିସ ତହସିଲଦାରଙ୍କ ଏବେର ଏତଲାକୁ କେତେ ଗୁରୁତ୍ୱ ଦେଇ ଉକ୍ତ ଘଟଣାରେ କେବେ ଓ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି!