କୃଷକ ମୋର୍ଚ୍ଚାର ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ , ଚାଷୀଙ୍କୁ ବିହନ ଯୋଗାଇବାରେ ବିଫଳ ରାଜ୍ୟ ସରକାର: ପ୍ରଦୀପ ପୁରୋହିତ
ଓଡ଼ିଶା ଚାଷୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଦୁର୍ବାର କୃଷକ ଆନେ୍ଦାଳନ ନିଷ୍ପତି
ଚାଷ କାର୍ଯ୍ୟ ଆରମ୍ଭ ହୋଇସାରିଥିବାବେଳେ ଓଡ଼ିଶା ସରକାର ଚାଷୀଙ୍କୁ ବିହନ ଯୋଗାଇବାରେ ବିଫଳ
ଆଗାମୀ ଦିନରେ ସାରର କଳାବଜାର ରୋକିବାକୁ ଯୋଜନା କରନ୍ତୁ ରାଜ୍ୟ ସରକାର
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧିର ଟଙ୍କା ପାଇବା ପାଇଁ ସମସ୍ତ ଯୋଗ୍ୟ ଚାଷୀଙ୍କ ନିର୍ଭୁଲ ତାଲିକା କେନ୍ଦ୍ରଙ୍କୁ ପଠାନ୍ତୁ ରାଜ୍ୟ ସରକାର
ଓଡ଼ିଶାର ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୪୦ଟଙ୍କା ଯୋଗାଇ ଦେବାର ଉତର ଦାୟିତ୍ୱ ନିଅନ୍ତୁ ରାଜ୍ୟ ସରକାର
ଭୁବନେଶ୍ୱର, ତା.୩୦/୦୬: ଆଜି ଭାରତୀୟ ଜନତା ପାର୍ଟି ରାଜ୍ୟ କୃଷକ ମୋର୍ଚ୍ଚାର ପଦାଧିକାରୀମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜ୍ୟ କାର୍ଯ୍ୟାଳୟର ବାଜପେୟୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜେପି ରାଜ୍ୟ ସହପ୍ରଭାରୀ ସାଂସଦ ଶ୍ରୀ ବିଜୟପାଲ ସିଂ ତୋମାର ମୁଖ୍ୟଅତିଥିଭାବେ ଯୋଗ ଦେଇ ଆଗାମୀ ଦିନରେ କୃଷକ ମୋର୍ଚ୍ଚା ରାଜ୍ୟର କୃଷକମାନଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଓ କେନ୍ଦ୍ର ସରକାର ଚାଷୀମାନଙ୍କ ଉଦେ୍ଦଶ୍ୟରେ ପଠାଉଥିବା ପର୍ଯ୍ୟାପ୍ତ ଅର୍ଥ ଯେପରି ରାଜ୍ୟ ସରକାର ବାଟବଣା କରୁଛନ୍ତି ତା’ର ବିରୋଧରେ ଏକ ଦୁର୍ବାର ଆନେ୍ଦାଳନ କରିବା ପାଇଁ ମତ ଦେଇଥିଲେ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବା ସହ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ରାଜ୍ୟ ସରକାର ଚାଷୀଙ୍କ ନିକଟରେ ବିହନ ପହଂଚାଇ ନଥିବାରୁ ଉଦ୍ବେଗ ପ୍ରକାଶ ପାଇଥିଲା ।
କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣରେ ଚାଷୀଙ୍କୁ ବଂଟନ ପାଇଁ ପଠାଉଥିବାବେଳେ ଓଡ଼ିଶାରେ ବ୍ୟାପକ ମାତ୍ରାରେ କଳାବଜାର ହୋଇ ଚାଷୀ ଅତ୍ୟଧିକ ଦରରେ ସାର କିଣୁଥିବାରୁ ରାଜ୍ୟ ସରକାର ଏବେଠୁଁ ଏହାକୁ ରୋକ ଲଗାଇବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ସରକାରଙ୍କଠାରେ ଦାବି କରାଯାଇଛି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧିର ଟଙ୍କା ପାଇବାରୁ ଓଡ଼ିଶାର ୧୮ଲକ୍ଷରୁ ଅଧିକ ଛୋଟ, ମଧ୍ୟମ ଚାଷୀ ବଂଚିତ ହୋଇଥିବାରୁ ରାଜ୍ୟ ସରକାର ସମସ୍ତ ଚାଷୀଙ୍କ ତଥ୍ୟ ନିର୍ଭୁଲଭାବେ କେନ୍ଦ୍ରକୁ ପଠାଇବା ପାଇଁ ଦାବି କରାଯାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୪୦ଟଙ୍କା ବର୍ଦ୍ଧିତ ହୋଇଥିବା ବେଳେ ଓଡ଼ିଶାର ଚାଷୀ ମଣ୍ଡିରେ କିମ୍ବା ମଣ୍ଡିବାହାରେ ଯେଉଁଠି ଧାନ ବିକ୍ରି କଲେ ପ୍ରତି କ୍ୱିଂଟାଲରେ ଯେପରି ୨୦୪୦ଟଙ୍କା ପାଇବେ ସେଥିପାଇଁ ଓଡ଼ିଶା ସରକାର ନିଜର ରାଜଧର୍ମ ପାଳନ କରନ୍ତୁ । ଆସନ୍ତା ଜୁଲାଇ ୩୧ତାରିଖ ଦିନ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକ ବଲାଙ୍ଗିରଠାରେ ଅନୁଷ୍ଠିତ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଛି ।
ଏହି ବୈଠକରେ ବିଜେପିର ବରିଷ୍ଠ ନେତା ଶ୍ରୀ ରଞ୍ଜନ ପଟେଲ, ରାଜ୍ୟ ଉପସଭାପତି ଶ୍ରୀ ହୃଶିକେଶ ନାୟକ, ରାମ ପାତ୍ର, ଦୁର୍ଯ୍ୟଧନ ସାହୁ, ଶ୍ରୀରଞ୍ଜନ ମଙ୍ଗରାଜ, ରାଧାକାନ୍ତ ମହନ୍ତ, ସାଧାରଣ ସଂପାଦକ ଲଷ୍ମଣ ବାଗଆର୍ଯ୍ୟ, କାମାକ୍ଷା ପ୍ରଧାନ, ଅଫିସ ସେକ୍ରେଟାରୀ ଅଶୋକ ମହାନ୍ତିଙ୍କ ସମେତ ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ ।