ପୁରୀ: କରୋନାର ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ମାନଙ୍କ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା । ପ୍ରବଳ ଭକ୍ତଙ୍କ ସମାଗମକୁ ଲକ୍ଷ କରି ପୋଲିସ ଓ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରିଜର୍ଭ ପୋଲିସ ଲାଇନ ପଡିଆରେ ସମ୍ପୁର୍ଣ୍ଣ ରଥଟଣାର ମକଡ୍ରିଲ ଓ ଅଭ୍ୟାସ କରାଯାଇଛି। ଭିଡ ଭିତରେ ରଥ ଗୁଡିକ କିଭଳି ଟଣା ଯିବ, ଇନର ଓ ଆଉଟଡୋର କର୍ଡନ କିଭଳି ରହିବ ଓ ମାଜିଷ୍ଟ୍ରେଟଙ୍କ ଦ୍ବାରା ରଥ କିଭଳି ନିୟନ୍ତ୍ରଣ କରାଯିବ ତାହାର ଅଭ୍ୟାସ ଓ ପ୍ରଶିକ୍ଷଣ କରାଯାଇଥିଲା। ଏହି ଅଭ୍ୟାସରେ ମାଜିଷ୍ଟ୍ରେଟ, ପୋଲିସ, ଏସ ଓଜି ଜବାନ୍ ମାନେ ସାମିଲ ହୋଇଥିବା ବେଳେ ଚଳିତ ବର୍ଷ ରଥଯାତ୍ରାରେ ସର୍ବାଧିକ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଏଥିସହ ସହରକୁ ୧୦ ଟି ଜୋନ ଓ ୨୯ ଟି ସେକ୍ଟରରେ ବିଭକ୍ତ, ବମ ସ୍କ୍ୱାଡ଼, ଡ଼ଗ ସ୍କ୍ୱାଡ଼ ସହ ସିସିଟିଭି ସର୍ଭେଲାନ୍ସର ବ୍ୟବସ୍ଥା କରାଯାଇଛି | ରଥଯାତ୍ରାକୁ ଶୃଙ୍ଖଳିତ କରିବା ନେଇ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ନୀତିକାନ୍ତିକୁ ଶୃଙ୍ଖଳିତ କରି ରଥଯାତ୍ରା ସମାପନ କରିବା ନେଇ ତତ୍ପରତା ପ୍ରକାଶ ପାଇଛି |