ବାରିପଦାରେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ସଭାପତି
ବାରିପଦା : ନବନିଯୁକ୍ତ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତ ଅବସରରେ ବାରିପଦା ଠାରେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ବାଜାର ଇଣ୍ଡିଆ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ । ଏହି ଅବସରରେ କେନ୍ଦ୍ର ସରକାର ପ୍ରତିବର୍ଷରେ ୨କୋଟି ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବେ କହି ଲୋକମାନଙ୍କୁ ଭୂଆଁ ବୁଲାଇଛନ୍ତି ଓ ଅଗ୍ନିପଥ ନାମରେ ନିଯୁକ୍ତି ଦେବା ଏକ ପ୍ରହସôନ ବୋଲି ମତ ରଖିବା ସହିତ ଅଗ୍ନିପଥରେ ୪ବର୍ଷ ନିଯୁକ୍ତି ନୁହେଁ ବରଂ ସ୍ଥାୟୀ ନିଯୁକ୍ତି କରନ୍ତୁ ବୋଲି ମତ ରଖିବା ସହ ଅଗ୍ନିପଥକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି ରଖିଥିଲେ ।
ଏଥିସହ ଡିଜେଲ, ପେଟ୍ରୋଲ, ଗ୍ୟାସ ସହ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଅହେତୁକ ଦରବୃଦ୍ଧିକୁ କଡାନିନ୍ଦା କରିବା ସହ ଦରବୃଦ୍ଧିକୁ ତୁରନ୍ତ କେନ୍ଦ୍ର ସରକାର ନିୟନ୍ତ୍ରଣ କରିବା ପାଇଁ ଦାବି ରଖିଥିଲେ । ଏହି ଅବସରରେ ଓଡିଶାରେ ଦୀର୍ଘବର୍ଷ ଧରି କ୍ଷମତାରେ ଥିବା ବିଜେଡି ନବୀନ୍ ସରକାରଙ୍କ ପାଇଁ ଆଜି ରାଜ୍ୟବାସୀ ତଳିତଳାନ୍ତ ହୋଇପଡିଛନ୍ତି ବୋଲି ମତ ରଖିଥିଲେ । ଏବେ ରାଜ୍ୟରେ କୁଶାସନ ଓ ଅମଲାତନ୍ତ୍ର ଶାସନରେ ରାଜ୍ୟବାସୀ ଅଣନିଶ୍ୱାସ ହୋଇପଡିଛନ୍ତି ।
ରାଜ୍ୟରେ ବିଭିନ୍ନ ମୌଳିକ ସୁବିଧା ରାଜ୍ୟବାସୀ ପାଉନଥିବାବେଳେ ଏବେ ବିଭିନ୍ନ ଅଞ୍ଚଳରେ ରାଜ୍ୟବାସୀ ବିଶୁଦ୍ଧ ପାଣି ମଧ୍ୟ ପାଇ ପାରୁନାହାଁନ୍ତି । ଏଠାରେ ଡାକ୍ତରଖାନା ଅଛି, ସ୍କୁଲ କଲେଜ ଅଛି ମାତ୍ର ପର୍ଯ୍ୟାପ୍ତ ସଂଖ୍ୟାରେ ନା ଡାକ୍ତର ଅଛନ୍ତି, ନା ଶିକ୍ଷକ ଅଛନ୍ତି । ଏପରିକି ରାଜ୍ୟରେ ଯେଉଁ ଶିଳ୍ପ ଗଢିଉଠିଥିଲା ତାହା କେବଳ କଂଗ୍ରେସ ସରକାରଙ୍କ ଦ୍ୱାରା ହିଁ ସମ୍ଭବ ହୋଇଥିଲା ବୋଲି ମତ ରଖିବା ସହ ରାଜ୍ୟରେ ଏବେ ସବୁଠି ଦୃର୍ନୀତି ବଢିଚାଲିଛି ବୋଲି ପ୍ରଦେଶ ସଭାପତି ଶ୍ରୀ ପଟ୍ଟନାୟକ ରାଜ୍ୟସରକାରଙ୍କୁ କଟାକ୍ଷ କରିଥିଲେ । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ରାଜ୍ୟରେ ଦଳର ୯ ବିଧାୟକରୁ ୯୦ ବିଧାୟକ ନିର୍ବାଚିତ ହେବେ ଓ ରାଜ୍ୟରେ କଂଗ୍ରେସ ସରକାର ଗଠନ ହେବ ବୋଲି ଦୃଢୋକ୍ତି ସହ ମତପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ସହ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ, କଂଗ୍ରେସ ନେତା ପ୍ରଭାସକର ମହାପାତ୍ର, ଅରବିନ୍ଦ ଦାସ, ଯୋଗେଶ ଅଗ୍ରୱାଲ, ସୁସ୍ମିତା ଘୋଷାଲ, ଶାନ୍ତନୁ ପାଲ ଓ ମୋତିପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।