ଜମନକିରା,୨୪/୬: ନୂତନ ଶିକ୍ଷାବର୍ଷ ୨୦୨୨-୨୩ରେ ଛାତ୍ରଛାତ୍ରୀ ନାମ ଲେଖା ପାଇଁ ଆବଶ୍ୟକ ପଡ଼ିଥାଏ ଜାତିଗତ, ବାସିନ୍ଦା ଏବଂ ଆୟ ପ୍ରମାଣପତ୍ର। ଉକ୍ତ ପ୍ରମାଣପତ୍ର ଗୁଡ଼ିକ ତହସିଲ, ରାଜସ୍ବ ନିରୀକ୍ଷକ ଏବଂ ସହଯୋଗ କେନ୍ଦ୍ରରୁ ମିଳିଥାଏ। ମାତ୍ର ତହସିଲ କାର୍ଯ୍ୟାଳୟରୁ ଉକ୍ତ ପ୍ରମାଣପତ୍ର ଗୁଡ଼ିକ ମାସ ମାସ ଧରି ମିଳି ପାରୁନଥିବା ଯୋଗୁଁ ଛାତ୍ରୀ ଛାତ୍ର ତଥା ଅଭିବହକ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି।
ସୂଚନା ଯୋଗ୍ୟ ଯେ, ଜମନକିରା ତହସିଲ କାର୍ଯ୍ୟାଳୟ ୮ ଟି ରାଜସ୍ବ ନିରୀକ୍ଷକ କେନ୍ଦ୍ର ଏବଂ ୨୧ ଟି ପଞ୍ଚାୟତକୁ ନେଇ ଗଠିତ। ଏହା ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଲକ୍ଷାଧିକ ଛାତ୍ରିଛାତ୍ର ବିଭିନ୍ନ ପ୍ରମାଣପତ୍ର ପାଇଁ ନିର୍ଭରଶୀଳ ଅଟନ୍ତି। ଚଳିତ ଶିକ୍ଷା ବର୍ଷରେ ନାମ ଲେଖା ପାଇଁ ଶିକ୍ଷାର୍ଥୀ ମାନଙ୍କୁ ଜାତି, ଆୟ ଓ ବାସିନ୍ଦା ଆଦି ପ୍ରମାଣପତ୍ର ଆବଶ୍ୟକ ପଡିଥାଏ। ପ୍ରମାଣପତ୍ର ଗୁଡ଼ିକ ତହସିଲ, ରାଜସ୍ବ ନିରୀକ୍ଷକ ଏବଂ ସହଯୋଗ କେନ୍ଦ୍ରରୁ ମିଳିଥାଏ। ଗ୍ରାମାଞ୍ଚଳ ତଥା ଗରିବ ସାଧାରଣ ଲୋକଙ୍କ ପାଇଁ ସହଯୋଗ କେନ୍ଦ୍ର ହେଉଛି ପ୍ରଥମ ପସନ୍ଦ। ସହଯୋଗ କେନ୍ଦ୍ରରୁ ସହଜରେ ପ୍ରମାଣପତ୍ର ପାଇବା ପାଇଁ ଲୋକେ ବହୁ ସଂଖ୍ୟାରେ ଅନଲାଇନ ମାଧ୍ୟମରେ ଆବେଦନ କରିଥାନ୍ତି। ମାତ୍ର ତହସିଲ କାର୍ଯ୍ୟାଳୟ ଦାୟିତ୍ଵ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ମାସ ମାସ ଧରି ପ୍ରମାଣପତ୍ର ମିଳି ପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି। ପ୍ରମାଣପତ୍ର ଗୁଡିକ ସଠିକ ସମୟ ସୀମା ମଧ୍ୟରେ ମିଳି ପାରୁନଥିବା ଯୋଗୁଁ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ନାହିନଥିବା ଅସୁବିଧାରେ ପଡ଼ିଛନ୍ତି।
ଚଳିତ ଶିକ୍ଷା ବର୍ଷ ପାଇଁ ସ୍କୁଲ୍, କଲେଜ ଓ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଦାଖଲ କରିବା ପାଇଁ ଛାତ୍ରଛାତ୍ରୀ ମାନେ ଜାତିଗତ, ବାସିନ୍ଦା, ଏବଂ ଇନକମ ପ୍ରମାଣପତ୍ର ପାଇଁ ମାସଟିଏ ଆଘରୁ ଆବେଦନ କରିଥିବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଅନେକ ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ବକେୟା ରହିଛି। ଯାହା ଫଲରେ ସ୍କୁଲ୍, କଲେଜ ମାନଙ୍କରେ ନୂତନ ଭାବରେ ନାମ ଲେଖା ପାଇଁ ଛାତ୍ରଛାତ୍ରୀ ସନ୍ଧିହାନ ହୋଇ ପଡିଛନ୍ତି। ଅନଲାଇନ ସେଣ୍ଟରରୁ ଗୋଟାଏ ପ୍ରମାଣପତ୍ର ଆବେଦନ କଲାପରେ ରସିଦରେ ଏକ ମାସର ଅବଧି ଥାଏ, ଯାହା ତହସିଲ କାର୍ଯ୍ୟଳୟରୁ ଅନଲାଇନ ଯୋଗେ ମିଳିଥାଏ। ମାତ୍ର ତହସିଲ କାର୍ଯ୍ୟାଳୟରେ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ତାହା ଠିକରେ ମିଳି ପାରୁନାହିଁ। ତହସିଲ କାର୍ଯ୍ୟଳୟର କର୍ମକର୍ତ୍ତା ତାଙ୍କ ନିକଟକୁ ଅନଲାଇନ ମାଧ୍ୟମରେ ଯାଇଥିବା ପ୍ରମାଣପତ୍ରକୁ ଠିକ ସମୟ ମଧ୍ୟରେ ତଦାରଖ କରୁନାହାନ୍ତି। ତଦାରଖ କରି ଯଦି ଅନଲାଇନ ଆବେଦନରେ ତ୍ରୁଟି ଅଛି ହେଲେ ତାକୁ ଏକ ମାସ ମଧ୍ୟରେ ସୁଧାରିବା କଥା ଅଥବା ତାକୁ ଖାରଜ କରିବା କଥା କିନ୍ତୁ ତାହା ମଧ୍ୟ ଏଠି କରାଯାଉ ନାହିଁ।
ଏ ସମସ୍ୟା ନେଇ ଗଣମାଧ୍ୟମ ପ୍ରତିନିଧି ମାନେ ଗତ ମଙ୍ଗବାର ୨୧ ତାରିଖ ଦିନ ତହସିଲ କାର୍ଯ୍ୟାଳୟକୁ ଯାଇ ୬ ଗୋଟି ରସିଦ ଦେଖେଇ ସମସ୍ୟା ବିଷୟରେ ପଚାରିଥିଲେ।ସେହିଦିନ ତହସିଲଦାର କୌଣସି କାର୍ଯ୍ୟ ନେଇ ସମ୍ବଲପୁର ଗସ୍ଥରେ ଯାଇଥିବା ବେଳେ ଅତିରିକ୍ତ ତହସିଲଦାର ଗୋପୀନାଥ ଖାକା ଙ୍କୁ ପଚରା ଯାଉଥିଲା। ସେ ନେଟୱର୍କ ଅସୁବିଧା ପାଇଁ ଏମିତି ହଉଛି ବୋଲି ମତ ରଖିଥିଲେ। ହେଲେ ଏଠି ପ୍ରଶ୍ନ ଉଠୁଛି ମାସ ମାସ ଧରି କ’ଣ ନେଟୱର୍କ ଅସୁବିଧା ରହୁଛି ହେଲେ ସମସ୍ତ କାର୍ଯ୍ୟ କିପରି ଚଳୁଛି। ଅଧିକାରୀ ଓ କର୍ମଚାରୀ ମାନେ ବିଭିନ୍ନ ଆଳ ଦେଖାଇ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଜଣାଯାଇଛି। ଏହାର ସଦ୍ୟ ଉଦାହରଣ ହେଉଛି, ଗଣମାଧ୍ୟମ ପ୍ରତିନିଧି ମାନେ ସେଠୁ ଚାଲିଆସିବା ପରେ ଯେଉଁ ପ୍ରମାଣପତ୍ର ଗୁଡିକ ପାଇଁ ସମୟ ୧ ମାସରୁ ଅଧିକ ଲାଗିଥିଲା, ସେଇ ପ୍ରମାଣପତ୍ର ମଧ୍ୟରୁ ୩ ଟି ପ୍ରମାଣପତ୍ର ଦିନଟିଏ ମଧ୍ୟରେ ବାହାରିଥିବା ଦେଖିବାକୁ ମିଳିଥିଲା। ସେହିପର ଜମନକିରା ବ୍ଳକ ସମସ୍ତ ଅଞ୍ଚଳରୁ ଏହିପରି ଅସୁବିଧା ଆସୁଥିବା ଦେଖିବାକୁ ମିଳିଛି। ବ୍ଲକର ଅନେକ ଗୁଡ଼ିଏ ଅନଲାଇନ ସେଣ୍ଟର୍ ମାନଙ୍କରେ ଏମିତି ଅସୁବିଧା ଦେଖିବାକୁ ମିଳୁଛି। ତହସିଲ କାର୍ଯ୍ୟାଳୟର ଖାମଖିଆଲି ମନୋଭାବ ଯୋଗୁଁ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧାରରେ ରହିବ ବୋଲି ଅଭିଭାବକ ମାନେ ପ୍ରକାଶ କରିଛନ୍ତି। ତୁରନ୍ତ ଛାତ୍ରଛାତ୍ରୀ ମାନଙ୍କ ପ୍ରମାଣ ପତ୍ର ଛଡା ଯାଉ ବୋଲି ଦାବି ହେଉଛି।