Odisha news

ଅକ୍ଷୟ ତୃତୀୟା ତିଥି ଅବସରରେ ଶ୍ରୀ କ୍ଷେତ୍ରରେ ଶ୍ରୀଜୀମାନଙ୍କର ଚନ୍ଦନ ଯାତ୍ରା ଓ ତିନି ରଥର ନିର୍ମାଣ କାର୍ଯ୍ୟ ଅନୁକୂଳ।

0
ପୁରୀ:  ବୈଶାଖ ଶୁକ୍ଳ ତୃତୀୟା ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ଶ୍ରୀ କ୍ଷେତ୍ରରେ ଆଜି  ଶ୍ରୀଜୀମାନଙ୍କର ପବିତ୍ର ଚନ୍ଦନ ଯାତ୍ରା ଓ ତିନି ରଥ ନିର୍ମାଣର ଶୁଭ ଅନୁକୂଳ ଅନୁଷ୍ଠିତ ହୋଇଛି। ଦୁଇ ବର୍ଷ ପରେ ଭକ୍ତ ମାନେ ଆଜି ବଡ଼ ଦାଣ୍ଡରେ ଚଳନ୍ତି ପ୍ରତିମା ବିଗ୍ରହମାନଙ୍କୁ ଦର୍ଶନ କରି ବାର  ସୁଯୋଗ ଲାଭ କରି ଅପୂର୍ବ  ଆନନ୍ଦ ପାଇ ଛନ୍ତି । ସେହିପରି ନରେନ୍ଦ୍ର ପୁଷ୍କରିଣୀରେ ଭକ୍ତ ମାନେ ଆଜି ବିଗ୍ରହମାନଙ୍କର ପବିତ୍ର ଚାପ ଖେଳ ଦେଖି ଅପାର କୃପା ଓ ଆନନ୍ଦ ଅନୁଭବ କରିଛନ୍ତି। ଆଜି ଠାରୁ ୨୧ ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ଅନୁଷ୍ଠିତ ହେବ। ଆଜି ଉଭୟ ଦିନ ଚାପ ଓ ରାତ୍ରୀ ଚାପ ଅନୁଷ୍ଠିତ ହୋଇଛି।
ନରେନ୍ଦ୍ର ପୁଷ୍କରିଣୀକୁ ବିଭିନ୍ନ ରଙ୍ଗର ପୁଷ୍ପରେ ସୁସଜ୍ଜିତ କରା ଯାଇଛି। ସେହିପରି ଚାପ ନୌକା ଗୁଡ଼ିକୁ ମଧ୍ୟ ବିଭିନ୍ନ ପୁଷ୍ପରେ ସୁସଜ୍ଜିତ କରା ଯାଇଛି। ଯାହା ଅତ୍ୟନ୍ତ ମନୋରମ ଓ ଆକର୍ଷଣୀୟ ଦେଖା ଯାଇଛି । ସେହିପରି ରାତିରେ ରଙ୍ଗ ବେରଙ୍ଗର ଉଜ୍ବଳ ଆଲୋକରେ ନରେନ୍ଦ୍ର ପୁଷ୍କରିଣୀ ଝଲସି ଉଠିଥିଲା। ଯାହା ଅତ୍ୟନ୍ତ ମନୋରମ ଦେଖା ଯାଇ ଥିଲା। ଅକ୍ଷୟ ତୃତୀୟା ନୀତି ଅବସରରେ ଶ୍ରୀମନ୍ଦିରରେ ଆଜି ବିଗ୍ରହମାନଙ୍କର ସମସ୍ତ ନୀତି କାନ୍ତି ସମନୁବର୍ତୀ ଅନୁଯାୟୀ ହୋଇଛି । ମଙ୍ଗଳବାର ପ୍ରତ୍ୟୁସସରୁ ଶ୍ରୀ ମନ୍ଦିର ଦ୍ଵାରା ଫିଟା ନୀତି ଅନୁଷ୍ଠିତ ହୋଇ ଥିଲା। ପରେ ବିଗ୍ରହ ମାନଙ୍କର ଦୈନନ୍ଦିନ ନୀତି କାନ୍ତି ମଙ୍ଗଳ ଆଳତି, ଅବକାଶ, ରୋଷ ହୋମ ଇତ୍ୟାଦି ଅନୁଷ୍ଠିତ ହୋଇ ଥିଲା। ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ରାମକୃଷ୍ଣ, ଶ୍ରୀମଦନ ମୋହନ,ଶ୍ରୀଦେବୀ, ଭୂଦେବୀ ଆଜ୍ଞାମାଳ ପାଇ ପାଲିଙ୍କି ଏବଂ ବିମାନକୁ ଅପରାହ୍ନ ୩ ଟା ୪୦ ମିନିଟରେ ବିଜେ କରିଥିଲେ। ୩ ବାଡରୁ ୩ ଜଣ ପୂଜାପଣ୍ଡା  ଅପରାହ୍ନ ୪ ଟାରେ ବିଜେ କରାଇ ଆଣିଥିବା ଆଜ୍ଞାମାଳ ଧରି ଆଗରେ  ବିଜେ କରି ଥିଲେ। ବିଜେ ପ୍ରତିମାମାନେ ପଟୁଆରରେ ଶ୍ରୀନଅର ନିକଟକୁ ବିଜେ କରିଥିଲେ ।
ପୂର୍ବରୁ ରଥ ଖଳାଠାରେ ପୁରୋହିତଙ୍କ ଦ୍ୱାରା ରଥ ନିର୍ମାଣ ଅନୁକୂଳ ହୋମ ସମାପିତ ହୋଇଥିଲା।  ପୂଜା ପଣ୍ଡା ୩ ଜଣ ଆଜ୍ଞା ମାଳ ଧରିଥିବାରେ ରଥ ନିର୍ମାଣ କାରୀ ବଢ଼ାଇ, ରୂପକାର, ଓଝା ଏବଂ ଭୋଇ ସେବକ ମାନଙ୍କ ଶାଢି ବନ୍ଧା ନୀତି ପାଟ୍ଟଯୋଶୀ ମହାପାତ୍ରଙ୍କ ଉପସ୍ଥିତିରେ ଦେଉଳ କରଣ ସମାପନ କରିଥିଲେ । ଏହାପରେ ତିନି ରଥର ନିର୍ମାଣ ଶୁଭାନୁକୂଳ ନିମନ୍ତେ ପୂଜା ପାଇଁ ରଖା ଯାଇଥିବା ତିନି ଗୋଟି ଧଉରା କାଠରେ ଆଜ୍ଞାମାଳ ଲାଗି ହୋଇ ଥିଲା। ତିନି ରଥର ମୁଖ୍ୟ ମହାରଣା ମାନଙ୍କ ଦ୍ୱାରା ଅନୁକୂଳ ନୀତି ଅନୁଷ୍ଠିତ ହୋଇ ଥିଲା । ଅପରାହ୍ନ ଅପରାହ୍ନ ୪ଟା ୩୦ ମିନିଟରେ ପାଲିଙ୍କି, ବିମାନ, ଦୋଳରେ ବିଜେ ଠାକୁର, ଠାକୁରାଣୀ ମାନେ ଚାପ ନିମନ୍ତେ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରଣୀ ଚନ୍ଦନ ଚକଡ଼ା ଅଭିମୁଖେ ବିଜେ କରିଥିଲେ । ଏହି ଶୋଭାଯାତ୍ରାରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ,ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ
ଏବଂ ଜିଲ୍ଲାପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ବୃନ୍ଦ ସାମିଲ  ଥିଲେ ।
Leave A Reply