ଆଜିଠାରୁ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା : ଆଜିଠାରୁ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା
ଭୁବନେଶ୍ୱର: ଗତ ପ୍ରାୟ ଏକ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଉଥିବା ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ସଂପ୍ରତି ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ ସାମୁଦ୍ରିକ ବାୟୁ କ୍ରମାଗତ ଭାବେ ପ୍ରବେଶ କରିବାକୁ ଆରମ୍ଭ କରିଛି। ଜଳୀୟବାଷ୍ପ -ପୂର୍ଣ୍ଣ ସାମୁଦ୍ରିକ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କାଳବୈଶାଖୀ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରୁଛି। ଫଳରେ ଆଜିଠାରୁ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି ବୋଲି ଆଜିଠାରୁ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ଦିଆଯାଇଛି।
ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ କାଳବୈଶାଖୀର ସମ୍ଭାବନା ରହିଛି। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୨ ତାରିଖ ସୋମବାର ଅପରାହ୍ନ ସୁଦ୍ଧା ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଓ ପବନ ସହ କାଳବୈଶାଖୀର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।
ସେହିପରି ଏହି ସମୟ ମଧ୍ୟରେ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଅନୁଗୁଳ, ଢ଼େଙ୍କାନାଳ, ମାଲକାନଗରି ଓ କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ଏହି ୨୦ଟି ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।
ସେହିପରି ଜାରି ସତର୍କ ସୂଚନା ଅନୁଯାୟୀ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢ଼େଙ୍କାନାଳ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା/ ବଜ୍ରପାତ ହେବାର ସମ୍ଭାବନା ରହିଛି।
ଅନ୍ୟ ପକ୍ଷରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା)ରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ, ଆସନ୍ତା ୨ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ କମ ରହିପାରେ।