Odisha news

ବିଜେବି କଲେଜ ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ୍ ଆଡମିସନ୍ ମାମଲା : ଦୁଇ ଗିରଫ , ପାଞ୍ଚ ନକଲି ପ୍ରମାଣପତ୍ର ଜବତ

0

ଭୁବନେଶ୍ୱର,(ନି.ପ୍ର): ରାଜଧାନୀ ବିଜେବି କଲେଜ ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଆଠ ଜଣ ପିଲା ନାମ ଲେଖାଇଥିବା ଜଣାପଡିବାପରେ କଲେଜ ପକ୍ଷରୁ ବଡଗଡ ଥାନାରେ ଏତଲା ହୋଇଥିଲା । ଏତଲାକୁ ଭିତ୍ତିକରି ପୋଲିସ ତଦନ୍ତ କରିବା ସହ ଗୁରୁବାର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର ଦିପ୍ତିରଞ୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ସେମାନଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବଡଗଡ ପୋଡସାହିର ମାନସ କୁମାର ବେଜ୍(୩୩) ଓ କେଶୁରା ଏସବିଆଇ କଲୋନୀରେ ରହୁଥିବା ଜଗତସିଂହପୁରର ମଣ୍ଟୁ ଓରଫ୍ ନିରଞ୍ଜନ ମହାରଣା(୪୦) । ସେମାନଙ୍କଠାରୁ ପୋଲିସ ପାଞ୍ଚଟି ନକଲି ସାର୍ଟିଫିକେଟ୍ ଜବତ କରିଛି ।
ପୋଲିସ ସୂଚନାନୁସାରେ, ଅଭିଯୋଗକାରୀ ବି.ଜେ.ବି କଲେଜର ପ୍ରିନ୍ସିପାଲ ଅଟନ୍ତି । ସେ ବିଜେବି କଲେଜରେ ଆଡମିଶନ ନିମନ୍ତେ ଶିକ୍ଷାର୍ଥୀମାନେ ଦାଖଲ କରିଥିବା ସମସ୍ତ ଶାରୀରିକ ଅକ୍ଷମତା ପ୍ରମାଣପତ୍ରକୁ ସଂପୃକ୍ତ ସିଡିଏମ୍-ପିଏଚ୍ଓଙ୍କୁ ପ୍ରମାଣପତ୍ରର ସତ୍ୟତା ଯାଞ୍ଚ କରିବାପାଇଁ ପଠାଇଥିଲେ । ସିଡିଏମ୍-ପିଏଚ୍ଓ, କଟକ ଓ ଭଦ୍ରକଙ୍କ ଅନୁଯାୟୀ ସମସ୍ତ ପ୍ରମାଣପତ୍ର ମଧ୍ୟରୁ ଯାଞ୍ଚ ସମୟରେ ୮ ଗୋଟି ପ୍ରମାଣପତ୍ର ଜାଲ ବୋଲି ପ୍ରମାଣିତ ହୋଇଥିଲା । ଛାତ୍ର ଛାତ୍ରୀମାନେ ଅନ୍ଲାଇନ୍ରେ ଆବେଦନ କରିବା ସମୟରେ ଶାରୀରିକ ଅକ୍ଷମତାର ଜାଲ୍ ସାର୍ଟିଫିକେଟ୍ ପ୍ରଦାନ କରି ବିଜେବି ସ୍ୱୟଂଶାସିତ କଲେଜରେ ଆଡମିଶନ ନେଇଥିବାର ଜାଣିପାରି ଅଭିଯୋଗକାରୀ ଏ ନେଇ ବଡଗଡ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗପରେ ବଡଗଡ ପୋଲିସ ଟିମ ଘଟଣାର ତଦନ୍ତ ଆରମ୍ଭ କରି ଏହି ଜାଲିଆତିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୫ ଗୋଟି ନକଲି ପ୍ରମାଣପତ୍ର ଜବତ କରି ଅଧିକ ତଦନ୍ତ ପାଇଁ ଥାନାକୁ ଆଣିଥିଲା । ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତମାନେ ପେଶାଗତ ଭାବରେ ଜାଲ୍ ପ୍ରମାଣପତ୍ର ପ୍ରସ୍ତୁତ କରିଆସୁଥିଲେ । ଅଭିଯୁକ୍ତମାନେ ବିଭିନ୍ନ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ୪୦,୦୦୦/- ଟଙ୍କା ବିନିମୟରେ ଶାରୀରିକ ଅକ୍ଷମତାର ଜାଲ ପ୍ରମାଣପତ୍ର ଯୋଗାଇ ଆସୁଥିଲେ ।

Leave A Reply