Odisha news

ରାଜଧାନୀର ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା : ରାଜନୈତିକ ଆକ୍ରୋଶର ଅଭିଯୋଗ

0

ଭୁବନେଶ୍ୱର: ରାଜଧାନୀର ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ୧୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। କିଛି ନୋଟିସ ନଦେଇ ଆଜି ସକାଳୁ ସକାଳୁ ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ହେଉଥିବାରୁ ବ୍ୟବସାୟୀ ଓ ବାସିନ୍ଦାମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ବିରୋଧ କରିଛନ୍ତି। ଦୀର୍ଘ ଦିନ ଧରି ବିଏମସି ପକ୍ଷରୁ ଏଠାରେ ଥିବା ଦୋକାନକୁ ଭଙ୍ଗାଯାଉଥିବାକୁ ବି ବିରୋଧ କରାଯାଉଛି। ଏଠାରେ ଥିବା ୩ ଶହ ଦୋକାନ ଭଙ୍ଗାଯାଉଛି। ବ୍ୟବସାୟୀମାନେ ନିଜର ସାମଗ୍ରୀକୁ ସେଠାରୁ ନେବାକୁ ବି ସମୟ ପାଇଲେନି। ଏହାଫଳରେ ଅନେକ ବ୍ୟବସାୟୀ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା କୁହାଯାଉଛି।

ଘଟଣା ସଂପର୍କରେ ଖବର ପାଇ ଗତ ପୌର ନିର୍ବାଚନରେ ବିଜେପିର ମେୟର ପ୍ରାର୍ଥୀ ହୋଇଥିବା ଡକ୍ଟର ସୁନୀତି ମୁଣ୍ଡ, ବରିଷ୍ଠ ବିଜେପି ନେତା ବାବୁ ସିଂହ ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ପହଞ୍ଚିଥିଲେ।। ସେମାନେ ଏହାକୁ ରାଜନୈତିକ ଆକ୍ରୋଶ ବୋଲି ଅଭିଯୋଗ କରିଛନ୍ତି। ଯେହେତୁ ସେହି ୱାର୍ଡରେ ବିଜେପିର କର୍ପୋରେଟର୍ ପ୍ରାର୍ଥୀ ବିଜୟୀ ହୋଇଛନ୍ତି, ତେଣୁ ବିଜେଡି ଜାଣିଶୁଣି ଏଭଳି ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ କରାଉଛି ବୋଲି କହିଛନ୍ତି। ବିଡିଏ ଓ ବିଏମସି ପକ୍ଷରୁ ମିଳିତ ଭାବେ ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ କରାଯାଉଥିବା ଜଣାଯାଇଛି। ଭୋର ୪ଟା ସମୟରୁ ଏହି ଉଚ୍ଛେଦ କାମ ଜାରି ରହିଥିବା ଜଣାପଡ଼ିଛି। ଏ‌ହି ଘଟଣାର ପ୍ରତିବାଦରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବାର ସୂଚନା ରହିଛି।

Leave A Reply