Odisha news

ରୁଷରୁ ଶସ୍ତାରେ ତେଲ କିଣୁଥିବାରୁ ଭାରତକୁ ଏଭଳି ଉପଦେଶ ଦେଲା ଆମେରିକା

0

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା-ଭାରତ ମଧ୍ୟରେ ଚାଲିଛି କଥା କଟାକଟି। ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ଭାରତ ନିଜର ପକ୍ଷ ସ୍ପଷ୍ଟ ନକରିବା ସହ ରୁଷରୁ ତେଲ କିଣୁଥିବାରୁ ଏହାକୁ ନେଇ ଖପ୍ପା ରହିଛି ଆମୋରିକା। ଅନେକ ଥର ରୁଷକୁ ସମର୍ଥନ ନକରିବା ଓ ତେଲ ନକିଣିବା ପାଇଁ ଆମେରିକା ଭାରତକୁ କହିଥିବା ‌ବେଳେ ଏବେ ପୁଣି ଥରେ ଆମେରିକାର ରାଷ୍ଟ୍ରପତିଙ୍କ କାର୍ଯ୍ୟଳୟ ଭାରତକୁ ଉପଦେଶ ଦେଇଛି।

ହ୍ବାଇଟ ହାଉସର ଗଣମାଧ୍ୟମ ସଚିବ ଜେନ ପସାକି କହିଛନ୍ତି ଯେ, ରୁଷରୁ ତେଲ ଏବଂ ଅନ୍ୟାନ୍ୟ ସାମଗ୍ରୀର ଆମଦାନୀକୁ ତ୍ୱରାନ୍ୱିତ କିମ୍ବା ବୃଦ୍ଧି କରିବା ଭାରତ ପାଇଁ ଭଲ ବୋଲି ଆମେ ଭାବୁନାହୁଁ। ଏଭଳି କଲେ ଭାରତକୁ କୌଣସି ଲାଭ ମିଳିବ ନାହିଁ।

ତେବେ କମ ମୂଲ୍ୟରେ ରୁଷ ଭାରତକୁ ତେଲ ଯୋଗାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରୁଷ ଭାରତକୁ ବ୍ୟାରେଲ ପିଛା ୩୫ଡଲାର ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି। ରୁଷ ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ଯୋଗୁଁ ରୁଷର ଡଲାରରେ କାରବାର କରିବା ସମ୍ଭବ ନୁହେଁ, ତେଣୁ ଉଭୟ ଦେଶ ଅନ୍ୟାନ୍ୟ ଦେୟ ପଦ୍ଧତି ଉପରେ ଆଲୋଚନା କରୁଛନ୍ତି।

ଅନ୍ୟପକ୍ଷରେ, ଆମେରିକା ରୁଷରୁ ବିପୁଳ ପରିମାଣର ତୈଳ କ୍ରୟ କରି ନିଜର ତୈଳ ଭଣ୍ଡାର ଭରୁଛି ଏବଂ ଅନ୍ୟ ପଟେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଦର୍ଶାଇ ଅନ୍ୟ ଦେଶକୁ ରୁଷରୁ ତେଲ ନକିଣିବାକୁ ଚାପ ପକାଉଥିବା କହୁଛି ରୁଷ। ଗତକାଲି ରବିବାର ରୁଷର ସୁରକ୍ଷା ପରିଷଦର ଉପସଚିବ ମିଖାଇଲ ପୋପୋଭ ରୁଷର ଗଣମାଧ୍ୟମକୁ କହିଥିଲେ ଯେ, ଗତ ସପ୍ତାହରେ ଆମେରିକା ରୁଷରୁ ଅଶୋଧିତ ତୈଳ କ୍ରୟକୁ ୪୩ ପ୍ରତିଶତ ବୃଦ୍ଧି କରିଛି। ଅର୍ଥାତ୍ ଆମେରିକା ରୁଷରୁ ପ୍ରତିଦିନ ଶହେ ହଜାର ବ୍ୟାରେଲରୁ ଅଧିକ ଅଶୋଧିତ ତୈଳ କିଣୁଛି। ଆମେରିକା ତୈଳ ସହ ଅନ୍ୟ ଜରୁରୀ ଜିନିଷ ରୁଷଠାରୁ କିଣିବା ପାଇଁ ଅନୁମତି ଦେଇଛି।

Leave A Reply