ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ତମ ସଂସ୍କରଣର ରବିବାର ଚେନ୍ନାଇ ସୁପର କିଙ୍ଗସ (ସିଏସ୍କେ) ଓ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ୧୧ତମ ମ୍ୟାଚରେ ପଞ୍ଜାବ ୫୪ ରନରେ ପରାସ୍ତ ହୋଇଛି। ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମ୍ରେ ଟସ୍ ଜଣି ଚେନ୍ନାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ରବୀନ୍ଦ୍ର ଜାଦେଜାଙ୍କ ନେତୃତ୍ବରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବାକୁ ପଂଜାବକୁ ଆମନ୍ତ୍ରଣ କରିଥିଲା। ମୟଙ୍କ ଅଗ୍ରୱାଲଙ୍କ ବାହିନୀ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୮୦ ରନ୍ କରିଥିଲା। ପଂଜାବର ଓପନର ତଥା ଅଧିନାୟକ ମୟଙ୍କ ଅଗ୍ରୱାଲ ଓ ଶିଖର ଧାୱନ ଇନିଂସ ଆରମ୍ଭ କରିଥିଲେ। ମୟଙ୍କ ଅତି ଶସ୍ତାରେ ଆଉଟ୍ ହୋଇଥିଲେ। ପ୍ରଥମ ୱିକେଟ୍ରେ ୪ ରନ୍ ସଂଗ୍ରହ ହୋଇଥିଲା। ଦଳ ୧୪ ରନ୍ ବେଳକୁ ଭାନୁକା ରାଜପକ୍ଷା (୯ ରନ୍) ଆଉଟ୍ ହୋଇଥିଲେ। ତେବେ ଅଭିଜ୍ଞ ବ୍ୟାଟ୍ର ଶିଖର ଧାୱନ ଦଳ ପାଇଁ ୩୩ ରନ୍ ଯୋଡ଼ିଥିବା ବେଳେ ମଧ୍ୟକ୍ରମର ଖେଳାଳି ଲିଆମ ଲିଭିଂଷ୍ଟୋନ୍ (୬୦ ରନ୍) ଓ ଯତୀଶ ଶର୍ମା (୨୬ ରନ୍) ସଂଗ୍ରହ କରିଥିଲେ। ଚେନ୍ନାଇ ତରଫରୁ କ୍ରିସ ଜୋର୍ଡାନ ଓ ଡ୍ବେନ୍ ପ୍ରିଟୋରିଅସ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ମୁକେଶ ଚୌଧୁରୀ, ଡ୍ବେନ୍ ବ୍ରାଭୋ ଓ ରବୀନ୍ଦ୍ର ଜାଦେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ପଞ୍ଜାବର ୧୮୧ ରନର ଟାର୍ଗେଟକୁ ପିଛା କରି ଚେନ୍ନାଇର ରବିନ ଉଥପା ଓ ରୁତୁରାଜ ଗାଇକୱାଡ ଇନିଂସ ଆରମ୍ଭ କରିଥିଲେ। ପ୍ରଥମରୁ ଚେନ୍ନାଇର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। କେବଳ ଶିଭମ ଦୁବେ ଓ ୱିକେଟ ରକ୍ଷକ ମହେନ୍ଦ୍ର ସିଂ ଧୋନିକୁ ଛାଡିଦେଲେ ଆଉ କିଏ ଭଲ ବ୍ୟାଟିଂ କରିପାରିନଥିଲେ। ରୁତୁରାଜ ୧ ରନ କରିଥିବାବେଳେ ରବିନ ଉଥପା ୧୩ ରନ କରିଥିଲେ। ଅମ୍ବାତି ରାଇଡୁ ୧୩ ରନ କରିଥିବାବେଳେ ଶିଭମ ଦୁବେ ୫୭ ଓ ଧୋନି ୨୩ ରନ୍ କରିଥିଲେ। ଚେନ୍ନାଇ ୧୮ ଓଭରରେ ସମସ୍ତ ୱିକେଟ ହରାଇ ୧୨୬ ରନରେ ସୀମିତ ରହିଯାଇଥିଲା। ପଞ୍ଜାବ ପକ୍ଷରୁ ରାହୁଲ ଚହର ୩ ୱିକେଟ ନେଇଥିବାବେଳେ ଲଭିଙ୍ଗଷ୍ଟୋନ ୨ଟି ୱିକେଟ ନେଇଥିଲେ